- ବେତାର ବ୍ୟୁରୋ
ଏହି ନିୟମ ମାନିଲେ ବିଶ୍ଵକପରେ ଖେଳାଳୀ ରହିପାରିବେ ପତ୍ନୀଙ୍କ ସହିତ : ବିସିସିଆଇ

(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ବୋର୍ଡ (BCCI) ତରଫରୁ ଆସନ୍ତା ମେ’ 30ରୁ ଇଂଲଣ୍ଡରେ ହେବାକୁ ଯାଉଥିବା ଆଇସିସି କ୍ରିକେଟ ୱାର୍ଲ୍ଡକପ ଲାଗି ଖେଳାଳୀଙ୍କ WAGs (ଗାର୍ଲଫ୍ରେଣ୍ଡ ବା ପତ୍ନୀ)ଙ୍କ ପାଇଁ ଟ୍ରାଭେଲ ପଲିସି ଜାରି କରିଛି। ଏହି ପଲିସିରେ ସ୍ପଷ୍ଟ ହୋଇଯାଇଛି ଯେ, ଖେଳାଳୀଙ୍କ ପରିବାରର ଯେକୌଣସି ସଦସ୍ୟ ଦେଢମାସ ପାଇଁ ହେବାକୁ ଥିବା ଏହି ବିଶ୍ଵକପ ସମୟରେ ଖେଳାଳୀଙ୍କ ସହିତ କେବଳ ପନ୍ଦର ଦିନ ପର୍ଯ୍ୟନ୍ତ ହିଁ ରହିପାରିବେ।
ଇଣ୍ଡିଆ ଟୁ’ଡେରେ ପ୍ରକାଶିତ ରିପୋର୍ଟ ମୁତାବକ, ଭାରତୀୟ ଦଳ ବିଶ୍ଵକପ ପାଇଁ ବ୍ରିଟେନ ଯିବାପରେ 20ଦିନ ପର୍ଯ୍ୟନ୍ତ ଖେଳାଳୀମାନଙ୍କୁ ନିଜ WAGs (ଗାର୍ଲଫ୍ରେଣ୍ଡ ବା ପତ୍ନୀ)ଙ୍କୁ ସାଙ୍ଗରେ ରହିବା ପାଇଁ ଅନୁମତି ଦିଆଯିବ ନାହିଁ। ଏହାପରେ ଟୁର୍ଣ୍ଣାମେଣ୍ଟ ସମୟରେ ଯେତେବେଳେ ସମ୍ଭବ 15ଦିନ ପାଇଁ ପରିବାର ସଦସ୍ୟ ସେମାନଙ୍କ ସହିତ ରହିପାରିବେ। ଦଳ ମେ’ 22 ତାରିଖରେ ବ୍ରିଟେନ ଯାତ୍ରା କରିବ।
ଏହାସହିତ ବିସିସିଆଇ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଖେଳାଳୀଙ୍କ ପତ୍ନୀ ବା ଗାର୍ଲଫ୍ରେଣ୍ଡ ସେମାନଙ୍କ ସହିତ ଟିମ୍ ବସରେ ଯାତ୍ରା କରିପାରିବେ ନାହିଁ। ସେମାନେ ଅଲଗା ବସରେ ବା ନିଜସ୍ୱ କାରରେ ନିଜ ଇଚ୍ଛା ଅନୁସାରେ ଯାତ୍ରା କରିବେ। ଦଳର ସମସ୍ତ ଖେଳାଳୀ ଟିମ୍ ବସରେ ଏକାଠି ଯାତ୍ରା କରିବେ। ଏହାପୂର୍ବରୁ ଭାରତ ଯେତେବେକେ ଇଂଲଣ୍ଡ ଖେଳିବାକୁ ଯାଇଥିଲା ସେହି ସମୟରେ ଖେଳାଳୀଙ୍କ ପତ୍ନୀ ଓ ଗାର୍ଲଫ୍ରେଣ୍ଡ ସେମାନଙ୍କ ସହିତ ଟିମ୍ ବସରେ ଯାତ୍ରା କରିଥିଲେ।

କୋହଲିଙ୍କ ଆବେଦନ
ୱାର୍ଲ୍ଡକପ ସମୟରେ ଯେକୌଣସି ସମୟରେ ନିଜ ପତ୍ନୀଙ୍କ ସହିତ ରହିବାକୁ ଅନୁମତି ଦେବା ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୂର୍ବରୁ ବିସିସିଆଇ ଠାରୁ ଅନୁମତି ମାଗିଥିଲେ। କିନ୍ତୁ ଏବେ ୱାର୍ଲ୍ଡକପ ପାଇଁ ନିର୍ଦ୍ଧାରିତ ହୋଇଥିବା ନୀତିକୁ ମାନିବାକୁ ପଡିବ।
ଗତ ଫେବୃୟାରୀ ମାସରେ ଖେଳାଳୀଙ୍କ ସହିତ ପରିବାରର ସଦସ୍ୟ ବିଦେଶ ଯିବା କଥା ବିସିସିଆଇ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ବୋଲି ଖବର ପ୍ରକାଶିତ ହୋଇଥିଲା। ଏନେଇ ବିସିସିଆଇର ଜଣେ ଅଧିକାରୀ କହିଥିଲେ ଯେ, ଯଦି ଦଳ କମ ସଦସ୍ୟଙ୍କ ସହିତ ବିଦେଶ ଯାଏ, ତେବେ ସେମାନଙ୍କର ପରିଚାଳନା କରିବା ସହଜ ହୋଇଥାଏ ଓ ବିସିସିଆଇର ସଦସ୍ୟମାନେ ଗ୍ରାଉଣ୍ଡ ବାହାରର ଅନ୍ୟାନ୍ୟ ସୁବିଧା ସହଜରେ ଯୋଗାଇ ପାରିଥାନ୍ତି। କାରଣ ଟିକେଟ ବୁକ୍ କରିବା ଠାରୁ ଆରମ୍ଭ କରି ରହିବା ପାଇଁ ହୋଟେଲର ବ୍ୟବସ୍ଥା କରିବାର ସମସ୍ତ ଦାୟିତ୍ଵ ବିସିସିଆଇ ଉପରେ ନ୍ୟସ୍ତ ଥାଏ।
ଏହାସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ସମସ୍ତଙ୍କର ପରିଚାଳନା କରିବା ବହୁତ କଷ୍ଟକର ବ୍ୟାପାର ଅଟେ। ଅନ୍ୟ ଏକ ସମସ୍ୟା ହେଉଛି ସମସ୍ତଙ୍କ ପାଇଁ ମ୍ୟାଚର ଟିକେଟ ବୁକ କରିବା। କିନ୍ତୁ ଅର୍ଥ ଖର୍ଚ୍ଚ ଏହାର ମୁଖ୍ୟ କାରଣ ନୁହେଁ। ବିସିସିଆଇ ପାଇଁ ଖେଳାଳୀଙ୍କ ପରିବାରର ଖର୍ଚ୍ଚ ଉଠାଇବା ଅଧିକ ମହଙ୍ଗା ହୋଇ ନ ଥାଏ କାରଣ ଖେଳାଳୀମାନେ ନିଜ ପରିବାରର ଖର୍ଚ୍ଚ ନିଜେ କରିଥାନ୍ତି କିନ୍ତୁ ସେମାନଙ୍କର ଯିବାଆସିବାର ବ୍ୟବସ୍ଥା କରିବା ଓ ଜିନିଷପତ୍ର ନେବାଆଣିବା ବୋର୍ଡ ପାଇଁ ବହୁତ କଷ୍ଟକର ହୋଇଥାଏ।