• padmabati kund

ଆଇପିଏଲ ୨୦୧୯ : ରାଜସ୍ଥାନକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୧୯ର ୪୦ ନମ୍ବର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଦଳ ରାଜସ୍ଥାନ ରୟାଲ୍ସକୁ ଛଅ ୱିକେଟରେ ହରାଇଛି। ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ଏହା ସପ୍ତମ ବିଜୟ ଅଟେ। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି।

ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରତ ୨୦ ଓଭରରେ ୬ୱିକେଟ ହରାଇ ୧୯୧ରନ କରିଥିଲା। ରାଜସ୍ଥାନ ତରଫରୁ ଅଜିଙ୍କ୍ୟା ରାହାଣେ ଶତକ ମାରିଥିବା ବେଳେ ଷ୍ଟିଭ ସ୍ମିଥ ଅର୍ଦ୍ଧଶତକ ମାରିଥିଲେ।

ଏହାର ପ୍ରତ୍ୟୁତ୍ତରରେ ଦିଲ୍ଲୀର ରିଷଭ ପନ୍ଥ ୩୬ବଲରେ ୭୮ରନର ଇନିଙ୍ଗ୍ସ ଖେଳିଥିଲେ ଓ ଶିଖର ଧାୱନ (୫୪ରନ), ପୃଥ୍ଵୀ ସ’ (୪୨ରନ) ଗୁରୁତ୍ୱପୂର୍ଣ୍ଣ ଇନିଙ୍ଗ୍ସ ଖେଳିଥିଲେ। ଯାହାଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ହାସଲ କରି ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି। ଦିଲ୍ଲୀ ପାଖରେ ବର୍ତ୍ତମାନ ୧୪ ପଏଣ୍ଟ ରହିଛି।

ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୪ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗ୍ସ (୧୪ପଏଣ୍ଟ) ରହିଛି। ଏହାପରେ ତୃତୀୟରେ ମୁମ୍ବାଇ ଇଣ୍ଡିଆନ୍ସ (୧୨ପଏଣ୍ଟ), ଚତୁର୍ଥରେ ସନ ରାଇଜର୍ସ ହାଇଦ୍ରାବାଦ (୧୦ପଏଣ୍ଟ),ପଞ୍ଚମରେ କିଙ୍ଗ୍ସ ଇଲେଭେନ ପଞ୍ଜାବ (୧୦ପଏଣ୍ଟ), ଷଷ୍ଠରେ କୋଲକାତା ନାଇଟ୍ ରାଇଡ଼ର (୮ପଏଣ୍ଟ), ସପ୍ତମରେ ରାଜସ୍ଥାନ ରୟାଲ୍ସ(୬ପଏଣ୍ଟ) ଓ ଅଷ୍ଟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୬ପଏଣ୍ଟ) ରହିଛି।

ଡେଭିଡ ୱାର୍ଣ୍ଣରଙ୍କ ପାଖରେ ଅରେଞ୍ଜ କ୍ୟାପ

ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କ ଉପରୁ ବ୍ୟାନ ହଟିବା ପରେ ସେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ଚଳିତ ସିଜିନରେ ସେ ମୋଟ ୯ଟି ମ୍ୟାଚରେ ୧୪୮.୫୬ ଷ୍ଟ୍ରାଇକ ରେଟରେ ବ୍ୟାଟିଙ୍ଗ କରି ୫୧୭ରନ କରିଛନ୍ତି ଓ ଅରେଞ୍ଜ କ୍ୟାପ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ଆଖପାଖରେ ମଧ୍ୟ କୌଣସି ଖେଳାଳୀ ପହଞ୍ଚି ପାରିନାହାନ୍ତି।

ଅରେଞ୍ଜ କ୍ୟାପ ତାଲିକାରେ ଦ୍ଵିତୀୟ ସ୍ଥାନରେ ୪୪୫ରନ ସହିତ ଜନି ବେୟାରଷ୍ଟୋ ରହିଛନ୍ତି। ଏହାପରେ ତାଲିକାରେ ତୃତୀୟ ସ୍ଥାନରେ କ୍ରିସ ଗେଲ (୪୨୧ରନ), ଚତୁର୍ଥରେ ଶିଖର ଧାୱନ (୪୦୧ରନ) ଓ ପଞ୍ଚମରେ କେ.ଏଲ ରାହୁଲ (୩୯୯ରନ)ରହିଛନ୍ତି।

ରବାଡା ପର୍ପଲ କ୍ୟାପ ତାଲିକାରେ ଶୀର୍ଷରେ

ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳୀ କଗିସୋ ରବାଡା ପର୍ପଲ କ୍ୟାପ ତାଲିକାରେ ସବୁଠାରୁ ଶୀର୍ଷରେ ରହିଛନ୍ତି। ରବାଡା ମୋଟ ୧୧ଟି ମ୍ୟାଚରେ ୭.୮୩ ଇକୋନୋମି ରେଟରେ ୨୩ଟି ୱିକେଟ ନେଇଛନ୍ତି। ଦ୍ଵିତୀୟ ସ୍ଥାନରେ ଚେନ୍ନାଇ ସୁପରକିଙ୍ଗ୍ସର ଇମ୍ରାନ ତାହିର ରହିଛନ୍ତି। ସେ ମୋଟ ୧୦ଟି ମ୍ୟାଚରେ ୧୬ଟି ୱିକେଟ ନେଇଛନ୍ତି।

ଏହି ତାଲିକାରେ ତୃତୀୟ ସ୍ଥାନରେ ବାଙ୍ଗାଲୋରର ୟୁଜବେନ୍ଦ୍ର ଚହଲ (୧୪ୱିକେଟ), ଚତୁର୍ଥ ସ୍ଥାନରେ ଦୀପକ ଚହର (୧୩ୱିକେଟ) ଓ ପଞ୍ଚମ ସ୍ଥାନରେ ମହମ୍ମଦ ଶାମି (୧୩ୱିକେଟ) ରହିଛନ୍ତି।

#cricket #ipl2019 #pointtable

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon