- padmabati kund
ଅଶ୍ଵିନଙ୍କ କ୍ୟାଚ ଧରି ଏମିତି ରାଗ ଶୁଝେଇଲେ ବିରାଟ

(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ 2019ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋର ଦଳ 17ରନରେ ମ୍ୟାଚ ଜିତିଯାଇଥିଲା। ବିଜୟ ହାସଲ କରିବା ପାଇଁ ଉଭୟ ଦଳ ମଧ୍ୟରେ ଚାଲିଥିବା ମ୍ୟାଚ ମଧ୍ୟରେ ଦୁଇ ଦଳର ଅଧିନାୟକ ବିରାଟ କୋହଲି ଓ ରବି ଚନ୍ଦ୍ରନ ଅଶ୍ଵିନୀଙ୍କ ମଧ୍ୟରେ ଭିନ୍ନ ଏକ ଲଢେଇ ଦେଖିବାକୁ ମିଳିଥିଲା।
ଦୁଇ ଖେଳାଳୀଙ୍କ ମଧ୍ୟରେ ହୋଇଥିବା ଏହି ଲଢେଇ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ଏହି ସମୟର ଏକ ଭିଡିଓ ମଧ୍ୟ ଖୁବ ଭାଇରାଲ ହେଉଛି। ଏହାର ଆରମ୍ଭ ବିରାଟ କୋହଲିଙ୍କ ଆଉଟ ହେବା ସମୟରେ ରବିଚନ୍ଦ୍ରନ ଅଶ୍ଵିନୀ କରିଥିଲେ। ପଞ୍ଜାବ ଇନିଙ୍ଗ୍ସର ଶେଷ ଓଭରରେ ବିରାଟ କୋହଲିଙ୍କୁ ଏହାର ପ୍ରତ୍ୟୁତ୍ତର ଦେବା ପାଇଁ ସୁଯୋଗ ମିଳିଯାଇଥିଲା।
ଉମେଶ ଯାଦବଙ୍କ ଓଭରରେ ପ୍ରଥମ ବଲରେ ଅଶ୍ଵିନୀ ଛକା ମାରିଥିଲେ ଓ ପରବର୍ତ୍ତୀ ବଲରେ ପୁଣି ବଡ ସଟ୍ ମାରିବାକୁ ଯାଇ ଲଙ୍ଗ୍ ଅନ୍ ରେ ବିରାଟ କୋହଲିଙ୍କ ହାତରେ ଆଉଟ ହୋଇଯାଇଥିଲେ। ଅଶ୍ଵିନୀଙ୍କୁ ଆଉଟ କରିବା ପରେ ବିରାଟ ନିଜ ଶୈଳୀରେ ଉପଭୋଗ କରିଥିଲେ ଓ ଚଳିତ ସିଜିନରେ ଅଶ୍ଵିନୀ କରିଥିବା ମାଙ୍କଡିଙ୍ଗ ଆଉଟକୁ ନେଇ ମଧ୍ୟ ମଜା ଉଡାଇଥିଲେ।
ଅନ୍ୟପଟେ ଆଉଟ ହୋଇ ପାଭିଲିୟନ/ଡଗଆଉଟ ଆଡକୁ ଯାଉଥିବା ସମୟରେ ଅଶ୍ଵିନୀ ମଧ୍ୟ ନିଜ ରାଗକୁ ନିୟନ୍ତ୍ରଣ କରିପାରିନଥିଲେ ଓ ରାଗରେ ହାତରୁ ଗ୍ଳବ୍ସ ଖୋଲି ଖୁବ ଜୋରରେ ଫୋପାଡି ଦେଇଥିଲେ।
ବିରାଟ ହେଲେ ଟ୍ରଲ
ତେବେ ଅଶ୍ଵିନୀଙ୍କ ଆଉଟକୁ ନେଇ ବିରାଟ ଦେଇଥିବା ପ୍ରତିକ୍ରିୟାକୁ ସୋସିଆଲ ମିଡିଆରେ ଅନେକ ଦର୍ଶକ ଖୁବ ଆଲୋଚନା କରିଛନ୍ତି ଓ ବିରାଟଙ୍କ ବ୍ୟବହାରକୁ ନେଇ ଟ୍ରୋଲ ମଧ୍ୟ କରିଛନ୍ତି। ଟ୍ଵିଟରରେ ଜଣେ ବ୍ୟବହାରକାରୀ ଏନେଇ କମେଣ୍ଟ ଦେଇ ଲେଖିଛନ୍ତି, "ବିରାଟ,ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନୀ ନିଜର ଶାନ୍ତ ସ୍ଵଭାବ ପାଇଁ ମହାନ ଖେଳାଳୀ ହୋଇପାରିଛନ୍ତି। ଅଶ୍ଵିନୀଙ୍କୁ ଯେଉଁପରି ଭାବରେ ଆପଣ ଟ୍ରୋଲ କରିଛନ୍ତି ତାହା ଲଜ୍ଜ୍ୟାଜନକ ଅଟେ। ଅଧିନାୟକ ହେବା ପାଇଁ ଆପଣ ଉପଯୁକ୍ତ ନୁହନ୍ତି।"
କିଛିଦିନ ପୂର୍ବରୁ ବିରାଟ ନିଜ ଦଳର ଖେଳାଳୀଙ୍କୁ କହିଥିଲେ ଯେ, ନିଜ ଦଳ ପାଇଁ ପ୍ରତିବଦ୍ଧତା ସହିତ ଖେଳ କିନ୍ତୁ ଆଇପିଏଲରେ ନିଜ ଜାତୀୟ ଦଳର ପ୍ରତିଦ୍ଵନ୍ଦୀଙ୍କ ସହିତ ବ୍ୟକ୍ତିଗତ ଭାବରେ କମେଣ୍ଟ ଦିଅନାହିଁ। ବିରାଟଙ୍କର ଏହି ବୟାନକୁ ମନେ ପକାଇ ଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି। ଅଶ୍ଵିନୀଙ୍କ ପ୍ରତି ବିରାଟ ଦେଖେଇଥିବା ବ୍ୟବହାରକୁ ସେ ବ୍ୟକ୍ତିଗତ କି ନୁହେଁ ବୋଲି ପ୍ରଶ୍ନ ଉଠାଇଛନ୍ତି।
ବିରାଟଙ୍କ ବ୍ୟବହାରରେ ଜଣେ ଦର୍ଶକ ନିରାଶ ହୋଇ ଟ୍ଵିଟରରେ ଲେଖିଛନ୍ତି, "ନିଜ ଦେଶର ଖେଳାଳୀଙ୍କ ୱିକେଟ ନେଇ ଏପରି ଭାବରେ ଉପଭୋଗ କରିବା ବହୁତ ନିରାଶଜନକ ଅଟେ। ନମ୍ରତାରର ସହିତ ଉପଭୋଗ କରିବା ଶିଖନ୍ତୁ। ବିରାଟଙ୍କ ଠାରୁ ଏପରି ବ୍ୟବହାର ଆଶା କରାଯାଉନାହିଁ।"
ତେବେ ମ୍ୟାଚ ସାରିବା ପରେ ଅଶ୍ଵିନୀ ଏନେଇ କହିଥିଲେ ଯେ, ସେ ଓ ବିରାଟ କୋହଲି ଦଳ ପାଇଁ ଆଗ୍ରହର ସହ ଖେଳିଥାନ୍ତି, ଏହାଠାରୁ ଅଧିକ କିଛି ବି ନାହିଁ।