• ବେତାର ବ୍ୟୁରୋ

ଶିଶୁ ଏତିକି ସମୟ ଟିଭି,ମୋବାଇଲ ଦେଖିବା ନିରାପଦ : ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ


(ବେତାର ବ୍ୟୁରୋ) ସମୟ ମିଳିଲେ ଟିଭି ଦେଖିବା ବା ମୋବାଇଲ ଖୋଲି ବସିବାକୁ କାହାକୁ ବା ଭଲ ଲାଗି ନ ଥାଏ । ତେବେ ଏହି ଅଭ୍ୟାସ ନିଶାରେ ପରିଣତ ନ ହେଲେ ଭଲ । ଅନେକ ସମୟରେ ଘରେ ଥିବା ଛୋଟ ଶିଶୁ, ପିତା ବା ମା’ଙ୍କ ମୋବାଇଲ ଧରିବା ବା ଟିଭି ଦେଖି ଶାନ୍ତ ରହୁଥିବାର ଦେଖାଯାଏ । ଯଦିଓ ଏହି ଅଭ୍ୟାସ ଫଳରେ ଶିଶୁଟି କିଛି ସମୟ ପାଇଁ ଶାନ୍ତ ରହିଥାଏ , ତେବେ ଏହାର ଅଧିକ ଉପଯୋଗ ଶିଶୁସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିଥାଏ ବୋଲି କହିଛି ମିଳିତ ଜାତିସଂଘର ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO)।

ନିକଟରେ କେଉଁ ବୟସର ଶିଶୁ କେତେ ଟିଭି ଦେଖିବେ ସେ ନେଇ ସମୟ ସାରଣୀ ଧାର୍ଯ୍ୟ କରିଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ । ସମୟ ସାରଣୀ ଅନୁସାରେ ବର୍ଷକରୁ କମ୍‌ ବୟସର ଶିଶୁଙ୍କୁ ଆଦୌ ଟିଭି ​ଦେଖାଇବା ଅନୁଚିତ। ସେମାନଙ୍କୁ ଟିଭି ପରଦାଠରୁ ଯେତେ ଦୂରେଇ ରଖିବେ ସେତେ ଭଲ।

ସେହିଭଳି ପାଞ୍ଚ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଦୈନିକ ସର୍ବାଧିକ ୬୦ ମିନିଟ ବା ଏକ ଘଣ୍ଟା ଧାର୍ଯ୍ୟ କରାଯାଇଛି। ତେବେ ଏକାଥରକେ ୬୦ମିନିଟ ଧରି ଶିଶୁକୁ ଟିଭି ବା ମୋବାଇଲ ଦେଖାଇବାକୁ ବାରଣ କରାଯାଇଛି।

ଶିଶୁ ଓ ମେଦବହୁଳତା

ଆଜିକାଲିର ଶିଶୁଙ୍କ ଠାରେ ମେଦବହୁଳତା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିଚାଲିଥିବାରୁ ଏହାର ନିୟନ୍ତ୍ରଣ ପାଇଁ ପ୍ରଥମ ଥର ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହିଭଳି ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି। ବିଶେଷ ଭାବେ ଆଫ୍ରିକା ଓ ଏସିଆ ମହାଦେଶର ପିଲାଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ବୋଲି ଏଥିରେ କୁହାଯାଇଛି।

ଟିଭି ପାଞ୍ଚ ବର୍ଷରୁ କମ୍‌ ପିଲାଙ୍କଠାରେ ନିଦ୍ରାହୀନତା ବୃଦ୍ଧି କରାଏ ଓ ସେମାନଙ୍କୁ ଅଳସୁଆ କରାଏ। ସେମାନଙ୍କ ବସିବା ଢ଼ଙ୍ଗ, ଖାଦ୍ୟପେୟ ତଥା ଜୀବନ ଶୈଳୀକୁ ଏହା ପ୍ରଭାବିତ କରେ; ତେଣୁ ସେମାନଙ୍କୁ ଯେତେ ଶାରୀରିକ ବ୍ୟାୟାମ ପ୍ରତି ଆକୃଷ୍ଟ କରାଯିବ, ଉତ୍ତମ ଶୋଇବା ଉପରେ ଗୁରୁତ୍ବ ଦିଆଯିବ ଓ ନିଶ୍ଚଳ ହୋଇ ବସିବା ଅଭ୍ୟାସ ଦୂର କରାଯିବ ସେତେ ଭଲ ବୋଲି ବିଶେଷଜ୍ଞମାନଙ୍କ ମତାମତକୁ ଉଦ୍ଧାର କରି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ତିନି ବା ଚାରି ବର୍ଷର ଶିଶୁଙ୍କୁ ଦିନକୁ ୬୦ମିନିଟ୍‌ର କଠିନ ବ୍ୟାୟାମ ସହିତ ଅନ୍ୟୂନ ୧୮୦ ମିନିଟ ଶାରୀରିକ ବ୍ୟାୟାମ କରାଇବା ଉଚିତ ।

ଅନ୍‌ଲାଇନ୍‌ ଖେଳ ବା ମୋବାଇଲ ଖେଳ ମଧ୍ୟ ବିପଜ୍ଜନକ ପ୍ରଭାବ ପକାଏ ବୋଲି ଏଥିରେ କୁହାଯାଇଛି। ଏହି ବୟସରେ ପିଲାଙ୍କ ମାନସିକ ଓ ଶାରୀରିକ ବିକାଶ ଘଟୁଥିବାରୁ ଟିଭି ପରଦା ଏହାକୁ ବିଭିନ୍ନ ଭାବେ ପ୍ରଭାବିତ କରିବାର ଆଶଙ୍କା ରହିଥିବା ‘ହୁ’ କହିଛି।

ଶିଶୁକୁ ଅଧିକ ଶୁଆନ୍ତୁ

ପିଲାମାନେ ଟିଭି ଦେଖିବା ଅପେକ୍ଷା ଯେତେ ଖେଳାବୁଲା କରିବେ ବା ସକ୍ରିୟ ରହିବେ ଏହା ସେମାନଙ୍କ ଶାରୀରିକ ଓ ମାନସିକ ବୃଦ୍ଧିରେ ସହାୟକ ହେବ। ତା’ଛଡ଼ା ସେମାନେ ଅଧିକ ସମୟ ଶୋଇଲେ ସ୍ୱାସ୍ଥ୍ୟପ୍ରଦ ବୋଲି ‘ହୁ’ କହିଛି ।

ଏହି ପରିପ୍ରେକ୍ଷୀରେ ପିଲାଙ୍କୁ ବୁଢ଼ାବାପା-ମାଆଙ୍କ ଦ୍ଵାରା ଗପ ଶୁଣାଇବା, ପଜଲ୍‌ ବା ସେହିପରି କିଛି ଖେଳ ଅଭ୍ୟାସ କରାଇବା ଓ ଯେତେବେଳେ ଟିଭି ଦେଖିବେ ସେଥିରେ କାର୍ଟୁନ ଦେଖାଇବା, ଘରେ ବା ବାହାରେ ଖେଳାଇବା ଏବଂ ଗଠନମୂଳକ ତଥା ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ କରିବା ଭଲ ବୋଲି ଏହି ଗାଇଡଲାଇନରେ କୁହାଯାଇଛି ।

#Life #parenting #Babycare #Smartphone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon