- padmabati kund
ପ୍ରଥମ ଥର ପାଇଁ ଅନଲାଇନରେ ହେବ ଓଜେଇଇ ପରୀକ୍ଷା

(ବେତାର ବ୍ୟୁରୋ) ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନଲାଇନରେ ହେବାକୁ ଯାଉଛି। ତେବେ ପୂର୍ବ ବର୍ଷପରି ଏବର୍ଷ ଅଣ୍ଡରଗ୍ରାଜୁଏଟ ପାଠ୍ୟକ୍ରମ ପାଇଁ
ଅଫଲାଇନରେ ପରୀକ୍ଷା ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଓଜେଇଇ ପ୍ରବେଶିକା ପରୀକ୍ଷା ମେ’ 22ତାରିଖରୁ ଆରମ୍ଭ ହେବ। ପରୀକ୍ଷା ପାଇଁ ଓଜେଇଇ ରାଜ୍ୟରେ ମୋଟ 85ଟି ପରୀକ୍ଷା କେନ୍ଦ୍ର କରିଛି। ସେଥିରୁ 53ଟି ଅଫଲାଇନ ପରୀକ୍ଷା କେନ୍ଦ୍ର ଥିବା ବେଳେ 32ଟି ଅନଲାଇନ ପରୀକ୍ଷା କେନ୍ଦ୍ର ରହିଛି। ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ମେ’ 13ରେ ଅନଲାଇନ ପରୀକ୍ଷା ଅନୁଷ୍ଠିତ ହେବ।
ଏହି ପରୀକ୍ଷା କେନ୍ଦ୍ର ଗୁଡିକ ଭୁବନେଶ୍ଵର, କଟକ, ବ୍ରହ୍ମପୁର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ଵର, ଭଦ୍ରକ ଓ ରାୟଗଡାରେ ରଖାଯାଇଛି। ଏହି ପରୀକ୍ଷା ଦୁଇଟି ସିଟିଙ୍ଗରେ କରାଯିବ। ପ୍ରଥମ ସିଟିଙ୍ଗ ସକାଳ 9ଟାରୁ 11ଟା ପର୍ଯ୍ୟନ୍ତ ରହିଥିବା ବେଳେ ଦ୍ଵିତୀୟ ସିଟିଙ୍ଗ ଅପରାହ୍ନ 2ଟାରୁ 4ଟା ଓ 2ଟାରୁ 3ଟା ପର୍ଯ୍ୟନ୍ତ ହେବ। ଏହି ସିଟିଙ୍ଗ ଗୁଡିକରେ ଏମବିଏ, ଏମସିଏ, ଏମଟେକ, ଏମ.ଫାର୍ମା, ଏମ.ଆର୍କ ଏବଂ ଏମ.ପ୍ଳାନ ପାଠ୍ୟକ୍ରମ ପାଇଁ ପରୀକ୍ଷା ହେବ।
ଚଳିତ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମ ଗୁଡିକରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ଅନଲାଇନରେ କରିବାକୁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓଜେଇଇକୁ ନିର୍ଦ୍ଦେଶ ଦେଇଥିଲା। ବିଭାଗର ନିର୍ଦ୍ଦେଶକ୍ରମେ ଓଜେଇଇ କତ୍ତୃପକ୍ଷ ଏବର୍ଷ ପ୍ରଥମ କରି ଅନଲାଇନରେ ପ୍ରବେଶିକା ପରୀକ୍ଷା କରିବାକୁ
ଯାଉଥିବା ସୂଚନା ମିଳିଛି।
ଅଣ୍ଡର ଗ୍ରାଜୁଏଟ (ୟୁଜି) ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପୂର୍ବପରି ଅଫଲାଇନରେ ଅନୁଷ୍ଠିତ ହେବ। ଏହି ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମ ପାଇଁ ମଧ୍ୟ ଦୁଇଟି ସିଟିଙ୍ଗରେ ଅଫଲାଇନ ପରୀକ୍ଷା ହେବ। ପ୍ରଥମ ସିଟିଙ୍ଗ ସକାଳ 9ଟାରୁ ଆରମ୍ଭ ହୋଇ 12ଟାରେ ସରିବ। ଏହି ସିଟିଙ୍ଗରେ ବି.ଫାର୍ମା ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ଅନ୍ୟ ସିଟିଙ୍ଗ 9ଟାରୁ 10ଟା ଯାଏଁ ଇଣ୍ଟିଗ୍ରେଟେଡ ଏମବିଏ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଦ୍ଵିତୀୟ ସିଟିଙ୍ଗ ଅପରାହ୍ନ 2ଟାରୁ 4ଟା ଯାଏଁ ଚାଲିବ। ଏହି ସିଟିଙ୍ଗରେ ଲାଟେରାଲ ବିଏମସି ଓ ଲାଟେରାଲ ଫାର୍ମାସି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହି ଅଫଲାଇନ ପରୀକ୍ଷା କେନ୍ଦ୍ର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ଭୁବନେଶ୍ଵର, ରାଉରକେଲା ଓ ବ୍ରହ୍ମପୁରରେ ରଖାଯାଇଛି।
ଚଳିତବର୍ଷ ଅଣ୍ଡର ଗ୍ରାଜୁଏଟ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମୋଟ 46,335 ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ 1933କମ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ପାଠ୍ୟକ୍ରମ ଗୁଡିକ ପାଇଁ କ୍ରମଶଃ ଛାତ୍ରଛାତ୍ରୀଙ୍କ ଆଗ୍ରହ କମିବାରେ ଲାଗିଛି। ଗତବର୍ଷ 48,268 ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଆବେଦନ କରିଥିଲେ।