• ବେତାର ବ୍ୟୁରୋ

ବାତ୍ୟା ଆଗରୁ ଗୁରୁବାର ଯାଏଁ ନିଆଁ ବର୍ଷା, 42 ଡିଗ୍ରୀ ଛୁଇଁବ ପାରଦ


(ବେତାର ବ୍ୟୁରୋ) ଆସନ୍ତା ସପ୍ତାହରେ ବାତ୍ୟା ଫାନୀ ଭାରତର ପୂର୍ବ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ତା' ପୂର୍ବରୁ ଓଡିଶାରେ ପ୍ରଚଣ୍ଡ ଗରମ ଅନୁଭୂତ ହେବ ।

ଭାରତୀୟ ପାଣିପାଗ ବିଭାଗ (IMD) ତରଫରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ଉପକୂଳ ଅଞ୍ଚଳରେ ତାପମାତ୍ରା 42ଡିଗ୍ରୀକୁ ବୃଦ୍ଧି ପାଇବ। ତେବେ ଓଡିଶାର ପଶ୍ଚିମ ଓ କେନ୍ଦ୍ରାଞ୍ଚଳ ଜିଲ୍ଲା ଗୁଡିକରେ ତାପମାତ୍ରା 46ଡିଗ୍ରୀ ଛୁଇଁପାରେ ବୋଲି ଅନୁମାନ କରାଯାଇଛି। ଆସନ୍ତା ଗୁରୁବାର (ମେ’ 2ତାରିଖ) ଯାଏଁ ରାଜ୍ୟରେ ଏପରି ତାତି ଲାଗିରହିବ ଓ ପାରଦ ସ୍ତର 42ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବ।

ତେବେ ଖୁସିର କଥା ହେଉଛି ତାପମାତ୍ରା 46ଡିଗ୍ରୀ ଛୁଇଁଲା ବେଳକୁ ରାଜ୍ୟରେ ନିର୍ବାଚନ ସରିଯାଇଥିବ ଓ ଲୋକମାନେ ଖରାରେ ଲାଇନ ବାନ୍ଧି ଭୋଟ ଦେବାରୁ ନିସ୍ତାର ପାଇବେ ।

ବର୍ତ୍ତମାନ ପ୍ରଚଣ୍ଡ ଖରାତାତିରେ ରାଜ୍ୟବାସୀ ଅତିଷ୍ଠ ହୋଇଗଲେଣି। ଦିନକୁ ଦିନ ପାରଦ ସ୍ତର ବଢିବାରେ ଲାଗିଛି। ଏହାସହିତ ଅସହ୍ୟ ଗୁଳୁଗୁଳି ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଯାଇଛି ଯେ, ସକାଳ 10ଟା ପରେ ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି।

ରାଜ୍ୟରେ ବିଭିନ୍ନ ଜିଲ୍ଲା ଯଥା ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି ଓ ଢେଙ୍କାନାଳରେ ଏହି ସମୟରେ ତାପମାତ୍ରା ସର୍ବାଧିକ 46-47ଡିଗ୍ରୀ ଛୁଇଁପାରେ। ତେବେ ଉପକୂଳବର୍ତ୍ତୀ ଓଡିଶା ଓ ଦକ୍ଷିଣ ଓଡିଶାରେ ସର୍ବାଧିକ ତାପମାତ୍ରା 42-45ଡିଗ୍ରୀ ମଧ୍ୟରେ ରହିବ। ଏପ୍ରିଲ ମାସରେ ଯେତିକି ତାପମାତ୍ରା ରେକର୍ଡ କରାଯାଇଛି ଆସନ୍ତା ତିନିଦିନ ମଧ୍ୟରେ ତାଠାରୁ 3-7 ତାପମାତ୍ରା ବୃଦ୍ଧି ପାଇବ। ଗୁରୁବାର ପରେ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ପାଣି ସମସ୍ୟା

ତାପମାତ୍ରା ବୃଦ୍ଧି ପାଇବା କାରଣରୁ ଦେଶରେ ଜଳାଭାବର ସମସ୍ୟା ମଧ୍ୟ ଦେଖିବାକୁ ମିଳିପାରେ। ରାଜ୍ୟର କେନ୍ଦ୍ରାଞ୍ଚଳ ଓ ପଶ୍ଚିମ ରାଜ୍ୟ ଗୁଡିକରେ ଅନେକ ନଳକୂପ ଗୁଡିକର ପାଣି ଶୁଖିଯାଇପାରେ, କାରଣ ରାଜ୍ୟରେ ଏପ୍ରିଲ 23 ତାରିଖ ପର୍ଯ୍ୟନ୍ତ 42% କମ ବର୍ଷ ହୋଇଛି। ଦେଶର ଅନ୍ୟ ରାଜ୍ୟ ଗୁଡିକ ଯଥା ବିଦର୍ଭା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଆସାମ ଓ ମେଘାଲୟରେ ମଧ୍ୟ ଏପ୍ରିଲ ମାସରେ କମ ପରିମାଣର ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପଟେ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ‘ଫାନୀ’ ଡିପ୍ରେସନର ରୂପ ନେଇଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ ବର୍ଷା ଓ ବ୍ରଜପାତର ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଦିଆଯାଇଛି । ରାଜ୍ୟର ନବରଙ୍ଗପୁର, କୋରାପୁଟ, ଗଂଜାମ, ଗଜପତି, ରାୟଗଡା, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ, ବର୍ଷା ହୋଇପାରେ । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି।

#weather #hitwave #odishaweather

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon