• ବେତାର ବ୍ୟୁରୋ

ଆମେରିକୀୟ ସଂସ୍ଥାର ଭବିଷ୍ୟବାଣୀ : ଓଡିଶା ନ ଛୁଇଁ ପାରେ ମହାବାତ୍ୟା ‘ଫୋନି’


(ବେତାର ବ୍ୟୁରୋ) ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ଝଡ କ୍ରମଶଃ ମହାବାତ୍ୟାର ରୂପ ନେଉଥିବା ବେଳେ ଏହା ଓଡିଶା ବିଶେଷ କରି ପୁରୀ ଉପକୂଳ ଛୁଇଁବ ବୋଲି ଅନେକ ସଂସ୍ଥା ଆକଳନ କରିଥିବା ବେଳେ ଆମେରିକୀୟ ନୌସେନାର ଏକ ପାଣିପାଗ ସତର୍କ ବିଭାଗ ମୁତାବକ ଏହି ବାତ୍ୟା ଓଡିଶା ଉପକୂଳ ଦେଇ ଆତିକ୍ରମ କରିବ କିନ୍ତୁ ପଶ୍ଚିମବଙ୍ଗରେ ଭୂ-ପୃଷ୍ଠକୁ ଛୁଇଁବ ।

ଯଦିଓ ଏହି ସଂସ୍ଥା ସୋମବାର ରାତି ସୁଦ୍ଧା ଅନୁମାନ କରିଥଲା ଯେ ବାତ୍ୟା ‘ଫୋନି’ ଓଡିଶା ଉପକୂଳ ଦେଇ ଭୂ-ପୃଷ୍ଠ ଛୁଇଁବ , ତେବେ ମଙ୍ଗଳବାର ସକାଳେ ଏହା ନିଜର ସୂଚନା ବଦଳାଇଛି । ଏକ ସତର୍କ ସନ୍ଦେଶରେ ଏହା କହିଛି ଯେ “ପୂର୍ବର ମଡେଲ ସମ୍ପର୍କରେ ଆମେ ସେତେଟା ନିଶ୍ଚିତ ନ ଥିଲୁ। ହେଲେ ବର୍ତ୍ତମାନ ପ୍ରାପ୍ତ ତଥ୍ୟ ଅନୁସାରେ ଆମେ ପ୍ରାୟ ନିଶ୍ଚିତ ଯେ ବାତ୍ୟା କେଉଁ ଆଡକୁ ମୁହାଁଉଛି ।“

ସୂଚନାଯୋଗ୍ୟରେ ଏହି ବାତ୍ୟା ପୂର୍ବରୁ ତାମିଲନାଡୁ ଉପକୂଳ ଛୁଇଁବ ବୋଲି ଆଶା ପ୍ରକାଶ କରାଯାଉଥିଲା । ପରେ ଏହା ଗତି ପଥ ବଦଳେଇଲା । ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଇ ଝଡ, ପରେ ବାତ୍ୟା ଓ ମହାବାତ୍ୟାର ରୂପ ନେଉଥିବାରୁ ଏହାର ଗତିପଥର ଅନୁମାନ ଲଗେଇବା ପାଣିପାଗ ବୈଜ୍ଞାନିକଙ୍କ ପାଇଁ କଷ୍ଟକର ହେଉଛି ।

ପୂର୍ବ ମଡେଲ ଅନୁସାରେ ପୁରୀର ସାତପଡା ଠାରୁ ଚନ୍ଦ୍ରଭାଗା ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ୍‌ ‌ଦେଖାଉଥିଲେ । ଏହାର ପ୍ରଭାବରେ ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା ଓ ୪ ତାରିଖ ପୂର୍ବାହ୍ନକୁ ଏହାର ପ୍ରକୋପ ଟିକିଏ କମିବ ବୋଲି ଆଶଙ୍କା ଥିଲା ।

ଓଡିଶା ରହିଛି ସତର୍କ

ଫୋନିର ପ୍ରଭାବରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଏବଂ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି । ଏହି ସବୁ ଜିଲ୍ଲାମାନଙ୍କୁ ସତର୍କ କରାଇ ଦିଆଯାଇଛି । ବିଶେଷକରି ଔଷଧ ଠାରୁ ଆରମ୍ଭ କରି ସମସ୍ତ ଦରକାରୀ ଆସବାବ ସାମଗ୍ରୀ ସହିତ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ।

ଏହା ବ୍ୟତୀତ ଗଞ୍ଜାମ, କେନ୍ଦ୍ରାପଡା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସବୁ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲା କରିଦିଆଯାଇଛି । ଫୋନି ପାଇଁ ପ୍ରଭାବିତ ହେବାକୁ ଥିବା ଅଂଚଳରେ ଖାଦ୍ୟ ଏବଂ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଛି । ତନ୍ତ୍ର ରିିଲିଫ କମିଶନର, ପୋଲିସ ଡିଜିଙ୍କ ସହ ଏନଡିଆରଏଫ, ସ୍ଥଳ ସେନା, ନୌସେନା,ଓଡ୍ରାଫ ଓ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସ୍ଥିତି ସମ୍ପର୍କରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

#cyclone #odishaweather #weather

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon