• ବେତାର ବ୍ୟୁରୋ

ମେ’ ପହିଲାରୁ ଆରମ୍ଭ ହେବ +3 କଲେଜ ଯାଞ୍ଚ


(ବେତାର ବ୍ୟୁରୋ) ସରକାରୀ କଲେଜ ସମେତ ପ୍ରାଇଭେଟ ଡିଗ୍ରୀ କଲେଜ ଗୁଡ଼ିକରେ ମେ’ ପହିଲାରୁ ଭିତ୍ତିଭୂମି ଠିକ୍‌ ଅଛି କି ନାହିଁ,  ସେ ବିଷୟ ତଦାରଖ କରାଯିବ। ୨୦୧୯-୨୦ ଶିକ୍ଷା ବର୍ଷରେ ନୂଆ କଲେଜ ଓ ପାଠ୍ୟକ୍ରମ ଖୋଲିବା ପୂର୍ବରୁ ବିଶ୍ଵବିଦ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ଅଧିକାରୀଙ୍କ ଦ୍ଵାରା ମିଳିତ ଯାଞ୍ଚ କରାଯିବ ଓ ଯଦି ଉପଯୁକ୍ତ ଭିତ୍ତିଭୂମି ନ ଥିବ, ତେବେ କଲେଜ ଚାଲିବାକୁ ଅନୁମତି ଦିଆଯିବ ନାହିଁ।

ମେ’ ପହିଲାରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ଫକୀର‌ ମୋହନ, ଉତ୍ତର ଓଡ଼ିଶା, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ କୁଳପତିମାନଙ୍କୁ କୁହାଯାଇଛି।

ଏହାବ୍ୟତୀତ ଆହୁରି ମଧ୍ୟ କୁହାଯାଇଛି ଯେ, ଯୁକ୍ତ୩ କଲେଜରେ ଶ୍ରେଣୀ-ସେକ୍ସନରେ ଛାତ୍ର ଓ ଅଧ୍ୟାପକଙ୍କ ଅନୁପାତ ଠିକ୍‌ ରହିବା ଆବଶ୍ୟକ। ଅନୁପାତ ଠିକ୍‌ ନ ଥିଲେ ସେଠାରେ ପ୍ରଥମ ବର୍ଷ ନାମଲେଖା ବନ୍ଦ କରାଯିବ। ନୂଆ କଲେଜ ଓ ବିଭାଗ ଖୋଲିବା, ସିଟ୍‌ ସଂଖ୍ୟା‌ ବୃଦ୍ଧି, ସ୍ଥାୟୀ ଅନୁମତି ପ୍ରଦାନ ନିୟମକୁ ମେ’ ପହିଲାରୁ କଡ଼ାକଡ଼ି ଲାଗୁ କରିବାକୁ ବି କୁହାଯାଇଛି।

ଯେଉଁ କଲେଜଗୁଡ଼ିକର ଭିତ୍ତିଭୂମି ଯାଞ୍ଚ ପ୍ରକ୍ରିୟା ବାକି ରହିଛି, ତାହାକୁ ଏପ୍ରିଲ ୩୦ ପରେ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ବିଶ୍ଵବିଦ୍ୟାଳୟ କୁଳପତି ସମେତ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଏ ଦିଗରେ ପଦକ୍ଷେପ ନେବେ ଓ କେବେ କେଉଁ ଦିନ ଚଢ଼ଉ କରିବେ, ତାହା ମଧ୍ୟ ସ୍ଥିର କରିବେ। କଲେଜସ୍ତରରେ ଅଧ୍ୟାପକଙ୍କ ସଂଖ୍ୟା ସମୀକ୍ଷା କରାଯିବ। ଯଦି ୨୦୧୮ ଶିକ୍ଷାବର୍ଷରେ କୌଣସି କଲେଜ ଅଧ୍ୟାପକ ପଦବୀ ପୂରଣ କରିନଥିବେ, ତେବେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ।

କଲେଜ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ଆଗରୁ କାହିଁକି କଲେଜ ବନ୍ଦ କରାଯିବ ନାହିଁ ବୋଲି ପ୍ରଶ୍ନ କରାଯିବ। ଯୁକ୍ତ ୩ କଲେଜ ଉପରେ ଚଢ଼ଉ ପୂର୍ବରୁ ଆଞ୍ଚଳିକ ଶିକ୍ଷା ଅଧିକାରୀମାନେ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଗୋଟିଏ ସପ୍ତାହ ପୂର୍ବରୁ ଜଣାଇବେ। ଫଳରେ ଉଭୟ ମିଳିତ ଭାବେ ଚଢ଼ଉ କରି ଯାଞ୍ଚ କରିପାରିବେ। ଏଥିସହ ନୂଆ କଲେଜ ଓ ବିଭାଗ ଖୋଲିବା ପାଇଁ ଶ୍ରେଣୀ‌ରେ ଅତି କମ୍‌ରେ ୩୨ଟି ସିଟ୍‌ ରହିବା ନିତାନ୍ତ ଆବଶ୍ୟକ ବୋଲି ଉଚ୍ଚଶିକ୍ଷା ବିଭାଗର ଉଚ୍ଚ କ୍ଷମତା ସଂପନ୍ନ କମିଟି(ଏଚ୍‌ପିସି) ବୈଠକରେ ସ୍ଥିର ହୋଇଛି।

ଏହାବ୍ୟତୀତ କଲେଜରେ ସିଟ୍‌ ବୃଦ୍ଧି ଲାଗି ଅନୁମତି, ନୂଆ ଅନର୍ସ ବିଷୟ ଖୋଲିବା, ନୂଆ ବିଷୟ ଖୋଲିବା, ସ୍ଥାୟୀ ଅନୁମତି, ନୂଆ ପ୍ରଫେସନାଲ କଲେଜ ଖୋଲିବା ଓ ଅନୁମତି ପ୍ରଦାନ, ରାଜ୍ୟରେ ଥିବା କଲେଜରେ ପ୍ରଫେସନାଲ ପାଠ୍ୟକ୍ରମ ଖୋଲିବା, ନୂଆ ଆଇନ ଓ ସଂସ୍କୃତ କଲେଜ ଖୋଲିବା‌ ପରି ବିଷୟଗୁଡ଼ିକ ଉପରେ ଆସନ୍ତା ଶିକ୍ଷାବର୍ଷରୁ ଗୁରୁତ୍ଵ ଦେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ଵତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

#college #university

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon