• ବେତାର ବ୍ୟୁରୋ

ବାତ୍ୟା ପ୍ରସ୍ତୁତି : ମେ 5 ଯାଏଁ ପୁରୀରେ ଲାଗିଲା ଏହି ସବୁ କଟକଣା


(ବେତାର ବ୍ୟୁରୋ) ମହାବାତ୍ୟା ‘ଫୋନୀ' ବାରମ୍ବାର ଗତିପଥ ବଦଲାଉଥିବାରୁ ଏ ଯାଏଁ ଏହା କେଉଁଠି ମାଡ ହେବ କିଛି ଠିକ ନ ଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କିଛି କଟକଣା ଲାଗୁ କରାଯାଇଛି ଯାହା ଉଭୟ ସହରବାସୀ ଓ ଏହି ସହରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କିଛିଟା ଅସୁବିଧା ସୃଷ୍ଟି କରିପାରେ । ଏହି ସବୁ କଟକଣା ଜନସାଧାରଣଙ୍କ ସୁବିଧାକୁ ଆଖି ଆଗରେ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସମୁଦ୍ରରେ ଗାଧେଇବା ମନା

ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଛି କଟକଣା । ବାତ୍ୟା ବିପଦ ସଂପୂର୍ଣ୍ଣ ନ ଟଳିବା ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ସମୁଦ୍ରରେ ନ ଗାଧୋଇବା ପାଇଁ ବା ସଂଧ୍ୟାରେ ସମୁଦ୍ରକୂଳରେ ନ ବୁଲିବା ପାଇଁ ସତର୍କ କରାଇ ଦେଇଛି ଜିଲ୍ଲା ପ୍ରଶାସନ। ଏ ସଂପର୍କରେ ପୁରୀ ହୋଟେଲ୍‌ ଆସୋସିଏସନର ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ। ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ସମସ୍ତ ଆବଶ୍ୟକତା ପାଇଁ ପ୍ରସ୍ତୁତ ରହିବାକୁ ସେଥିରେ ଦର୍ଶାଯାଇଛି।

ଏପରିକି ଆବଶ୍ୟକ ପଡିଲେ ପୁରୀ ହୋଟେଲରେ ରହୁଥିବା ପର୍ଯ୍ୟଟକ ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ହୋଟେଲ ମାନଙ୍କୁ ନିର୍ଦ୍ଦେଶ ଦେଇଛି ।

ଛୋଟ ହେବ ଶ୍ରୀ ମନ୍ଦିର ବାନା

ମହାବାତ୍ୟା ଫୋନୀ ପାଇଁ ପୁରୀ ଶ୍ରୀ ମନ୍ଦିରରେ ବାନା ବାନ୍ଧିବା ଉପରେ କଟକଣା ଲାଗାଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରବଳ ପବନମାଡରେ ନୀଳଚକ୍ରରେ ଲାଗିଥିବା ବାନା ଉଡି ଛିଣ୍ଡି ଯିବାର ସମ୍ଭାବନା ଥିବାରୁ

ମାନସିକ ଉଦ୍ଦେଶ୍ୟରେ ବନ୍ଧାଯାଉଥିବା ବାନା ବିକ୍ରି ଓ ବନ୍ଧା ଯିବା ଉପରେ ବାତ୍ୟା ଟଳିବା ଯାଏଁ ନିଷେଧାଦେଶ ଲାଗିଛି । ଫଳରେ ଯେଉଁ ଭକ୍ତମାନେ ବାନା କିଣି ବାନ୍ଧିବାକୁ ମାନସିକ କରିଥିବେ ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ ।

ଶ୍ରୀ’ମନ୍ଦିର ପ୍ରଶାସନ ତରଫରୁ ନିଯାଇଥିବା ନିଷ୍ପତ୍ତି ଅନୁସାରେ ନୀଳଚକ୍ରରେ ବାତ୍ୟା ହଟିବା ଯାଏଁ ଏକ ଛୋଟ ନେତା ବା ବାନା (ପ୍ରାୟ 5 ଫୁଟ ଲମ୍ବ) ବନ୍ଧାଯିବା । ସାଧାରଣ ସମୟରେ ଏହାର ଲମ୍ବ 10 ରୁ 12 ଫୁଟ ଏପରିକି ସ୍ଥଳ ବିଶେଷରେ 15 ଫୁଟ ମଧ୍ୟ ହେଇଥାଏ ।

ଲୁଚକାଳି ଖେଳୁଛି ଫୋନୀ

ମହାବାତ୍ୟା ଫୋନୀର ଗତିପଥ ନେଇ ଭିନ୍ନ ସଂସ୍ଥା ଭିନ୍ନ ମତ ପୋଷଣ କରୁଛନ୍ତି। କେହି କେହି ଏହ ଗଞ୍ଜାମର ଗୋପାଳପୁରରେ ଠାରେ ଛୁଇଁବ ବୋଲି କହୁଥିବା ବେଳେ ଆଉ କେହି ପୁରୀରୁ ଭଦ୍ରକ ମଧ୍ୟରେ ତ ଆଉ କେହି ଏହା ବାରିପଦା ଦେଇ ପଶ୍ଚିମବଙ୍ଗ ଯିବ ବୋଲି କହୁଛନ୍ତି । ତେବେ ବର୍ତ୍ତମାନ ଏହାର ଗତିପଥ କେଉଁ ଆଡେ ଯିବ ସେ ବିଷୟରେ ଠିକ ଭାବେ କେହି କହୁନାହାନ୍ତି । ଏ ବିଷୟରେ ସଠିକ ତଥ୍ୟ ମେ 3 ତାରିଖ ସକାଳେ ଜଣା ପଡିବ ବୋଲି ଉଭୟ ରାଜ୍ୟ ରିଲିଫ କମିଶନର ଓ ଆମେରିକୀୟ ସେନାର ପାଣିପାଗ ବିଭାଗ କହିଛି ।

#Puri #purijagannathtemple #Cyclone #governmentrule

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon