- ବେତାର ବ୍ୟୁରୋ
ସବୁ ସଂସ୍ଥାର ପୂର୍ବାନୁମାନ : ଏହି ସମୟରେ ମାଡ ହେବ 'ଫୋନି' ମହାବାତ୍ୟା

(ବେତାର ବ୍ୟୁରୋ) ମହାବାତ୍ୟା “ଫୋନୀ”କୁ ନେଇ ସମସ୍ତ ଆଶଙ୍କା ସତ୍ୟରେ ପରିଣତ ହେବାରେ ଲାଗିଛି । ଏହା କ୍ରମଶଃ ଯେତେ ପାଖଉଛି ଏହାର ସ୍ଥିତି ସେତେ ସ୍ପଷ୍ଟ ହେବାରେ ଲାଗିଛି । ବିଶ୍ଵର ଅନେକ ପ୍ରମୁଖ ପାଣିପାଗ ସୂଚନା ପ୍ରଦାନକାରୀ ସଂସ୍ଥା ତଥା ଭାରତୀୟ ପାଣି ପାଗ ବିଭାଗ ଏବେ ପ୍ରାୟତଃ କେଉଁ ସ୍ଥାନ ଓ କେତେବେଳେ ଏହା ମାଡ ହେବ ସେ ନେଇ ଏକ ମତ ପ୍ରକାଶ କରିଛନ୍ତି ।
ସମସ୍ତେ ପ୍ରାୟ ଏକମତ ଯେ ଏହା ପୁରୀ ସହର ପାଖାପାଖି ଅଞ୍ଚଳରେ ମାଡ ହେବ ।
ଜାପାନୀ ପାଣିପାଗ ସାଟେଲାଇଟ ହିମାବରୀର ପ୍ରାପ୍ତ ତଥ୍ୟ ଅନୁସାରେ ଶୁକ୍ରବାର ଅପରାହ୍ନରେ ମହାବାତ୍ୟା ଓଡିଶାର ପୁରୀ ଉପକୂଳରେ ମାଡ ହେବ । ସେହିପରି ବିବିସିର ପାଣିପାଗ ବିଭାଗ ମଧ୍ୟ ଶୁକ୍ରବାର ଅପରାହ୍ନରେ ଫୋନି ପୁରୀ ଉପକୂଳରେ ମାଡ ହେବ ବୋଲି ମତ ପ୍ରକାଶ କରିଛି ।
ୟୁରୋପୀୟ ପାଣିପାଗ ସୂଚନା ପ୍ରଦାନକାରୀ ୱେବସାଇଟ ୱିଣ୍ଡି (Windy) ଅନୁସାରେ ଫୋନି ଶୁକ୍ରବାର ମଧ୍ୟାହ୍ନ ବେଳକୁ ପୁରୀ ଠାରେ ମାଡ ହେଇପାରେ ।ସେହିପରି ଆମେରିକୀୟ ନୌସେନାର ପାଣିପାଗ ସଂସ୍ଥା Joint Typhoon Warning Center ଅନୁସାରେ ଶୁକ୍ରବାର ଅପରାହ୍ନ ଦୁଇଟା ବେଳକୁ ଏହା ପୁରୀ ଠାରେ ମାଡ ହେବ ।
ବାତ୍ୟା ଫୋନି ଗୁରୁବାର ସକଳ 9 ସୁଦ୍ଧା ପୁରୀ ଉପକୂଳ ଠାରୁ 400କିମି ଦୂରରେ ରହିଛି ଓ ଘଣ୍ଟାକୁ ପ୍ରାୟ 12 ରୁ 15 କିମି ବେଗରେ ଗତି କରୁଛି । ତେବେ ଏହାର ପ୍ରଭାବ ପୁରୀ ସମେତ ଭୁବନେଶ୍ୱରରେ ମଧ୍ୟ ପଡିବ ବୋଲି ଏହି ସଂସ୍ଥାମାନେ ପୂର୍ବନୁମାନ କରିଛନ୍ତି ।
ପୁରୀ ମନ୍ଦିରରୁ ଉଡିଗଲା ବାନା
ପୁରୀ ଶ୍ରୀମନ୍ଦିର ଉପରୁ ୫ ହାତ ଲମ୍ବର ନୀଳଚକ୍ର ବାନା ବୁଧବାର ସନ୍ଧ୍ୟାରେ ଉଡ଼ି ଯାଇଛି। ବାନା ଉଡ଼ିଯିବା ଫଳରେ କୌଣସି ନୀତିକ୍ରାନ୍ତିରେ ପ୍ରଭାବ ପଡ଼ିବନି ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ସାମୁଦ୍ରକି ଝଡ ‘ଫନୀ’ରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ବୁଧବାର ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବନ୍ଧା ଯାଇଥିଲା। ତେବେ ବାନା ଉଡ଼ିଯିବା ପରେ ଏବେ ପୁଣି ନୀଳଚକ୍ର ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ରେଡ, ୟେଲୋ ସତର୍କ ସୂଚନା
ସାମୁଦ୍ରକି ଝଡ ‘ଫନି’କୁ ନେଇ ବିଭିନ୍ନ ଜିଲା ପାଇଁ ଅରେଞ୍ଜ, ୟଲୋ ଓ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ୨ରୁ ୩ ତାରିଖ ମଧ୍ୟରେ ୭ଟି ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲା ଗୁଡିକ ହେଉଛି – ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡା ଓ କନ୍ଧମାଳ।
ସେହିପରି ୩ରୁ ୪ତାରିଖ ପର୍ଯ୍ୟନ୍ତ ୧୭ଟି ଜିଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲା ଗୁଡିକ ହେଉଛି – ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର, କନ୍ଧମାଳ, ରାୟଗଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ।
ଏହାସହ ବୌଦ୍ଧ, କନ୍ଧମାଳ, ସମ୍ବଲପୁର, ଦେବଗଡ ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରେଡ୍ ୱାର୍ଣ୍ଣିଂ କରାଯାଇଥିବା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୟଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।