- ବେତାର ଷ୍ଟାଫ ଲେଖକ
ଫୋନୀ ଚୋଟରେ ବିଦ୍ୟୁତ,ମୋବାଇଲ ସେବା ଅଚଳ;ସୁଧାରିବାକୁ ମାସେ

(ପୁରୀ) ମହାବାତ୍ୟା ଫୋନି (ଫଣାର ବଙ୍ଗଳାଦେଶୀ ନାମକରଣ) ର ପ୍ରଭାବ ରେ ସମଗ୍ର ଉପକୂଳ ଓଡ଼ିଶା କ୍ଷତିଗ୍ରସ୍ତ ହେଇଥିବା ବେଳେ ଏହାର ପ୍ରଭାବ ବିଦ୍ୟୁତ ଲାଇନ ଓ ମୋବାଇଲ ଟାୱାର ଉପରେ ଦେଖିବାକୁ ମିଳିଛି। ପ୍ରାୟ ସମସ୍ତ ସମୁଦ୍ର କୁଳିଆ ଜିଲ୍ଲା ସହିତ କଟକ ଓ ଭୁବନେଶ୍ୱର ସହରରେ ବିଦ୍ୟୁତ ଲାଇନ ଓ ମୋବାଇଲ ଟାୱାର ଗୁଡିକ ଅଚଳ ହେଇପଡିଛି। ରାଜ୍ୟ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି"ପୁରୀ, ଭୁବନେଶ୍ୱର, କଟକ ଓ ପାରାଦୀପରେ ପ୍ରାୟ ଅନେକାଂଶ ବିଦ୍ୟୁତ ଖୁଣ୍ଟ, ସବଷ୍ଟେସନ ଓ ଟ୍ରାନ୍ସଫର୍ମର ଗୁଡିକ ନଷ୍ଟ ହୋଇଯାଇଥିବାରୁ ବିଦ୍ୟୁତ ସପ୍ଲାଇ ବାଧା ପ୍ରାପ୍ତ ହେଉଛି। " କେବଳ ଭୁବନେଶ୍ୱର ସହରରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବାକୁ ମଙ୍ଗଳବାର (ମେ' 7 ତାରିଖ) ହେଇଯିବ ବୋଲି ସେ ଏକ ଆକଳନ କରି କହିଛନ୍ତି। ତେବେ ସମସ୍ତ ସହରାଞ୍ଚଳରେ 15 ଦିନ ଭିତରେ ଓ ଗ୍ରାମାଞ୍ଚଳ ଗୁଡିକରେ ପ୍ରାୟ 1 ମାସ ଭିତରେ ବିଦ୍ୟୁତ ଲାଇନ ଆସିବ ବୋଲି କର୍ମଚାରୀମାନେ କହୁଛନ୍ତି। ମୋବାଇଲ ଚାର୍ଜ ଅଛି, ନେଟୱାର୍କ ନାହିଁ
ସେହିପରି ମୋବାଇଲ ସେବା ମଧ୍ୟ ଏହି ଜିଲ୍ଲାମାନଙ୍କରେ ଅଚଳ ରହିଛି। ଅନେକ ଲୋକ ପାୱାର ବ୍ୟାଙ୍କ ଓ ଘରୋଇ ଇନଭର୍ଟର ଯୋଗେ ମୋବାଇଲ ଚାର୍ଜ କରୁଥିଲେ ମଧ୍ୟ ନେଟୱର୍କ ନ ଥିବାରୁ ଅସହାୟ ବୋଧ କରୁଛନ୍ତି। କାଁ ଭାଁ ଅଳ୍ପ କିଛି ସ୍ଥାନ ଛାଡିଦେଲେ ଅଧିକାଂଶ ସ୍ଥାନରେ ମୋବାଇଲ ଟାୱାର ଠିକଠାକ ଥିବାବେଳେ ଏହାର ପାୱାର ମେସିନ ଗୁଡିମ ନଷ୍ଟ ହେଇଯାଇଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଇଚି ବୋଲି ବିଭିନ୍ନ ମୋବାଇଲ ସଂସ୍ଥାର କର୍ମଚାରୀମାନେ ବେତାର ଡଟ ଇନ ସହିତ କଥାବର୍ତ୍ତହଲ ହେବାବେଳେ କହିଛନ୍ତି। ଗାଡି ଅଛି, ତେଲ ନାହିଁ
ବିଦ୍ୟୁତ ଓ ମୋବାଇଲ ପରେ ଲୋକଙ୍କ ମୁଖ୍ୟ ଆବଶ୍ୟକତା ହେଉଛି ପେଟ୍ରୋଲ। ତେବେ ଫୋନିର ଚୋଟ ଅନେକ ପେଟ୍ରୋଲ ପମ୍ପ ଗୁଡିକ ଉପରେ ମଧ୍ୟ ପଡିଛି। ମହାବାତ୍ୟା ପ୍ରଭାବ ରେ ଉପକୂଳ ଜିଲାର ପୁରୀରୁ ଆରମ୍ଭ କରି ଭୁବନେଶ୍ୱର ଯାଏଁ ଅନେକ ପେଟ୍ରୋଲ ପମ୍ପର ମେସିନ ଗୁଡିକ ଅଙ୍କାବଙ୍କା ହେଇଯାଇଥିଲା ଓ ପେଟ୍ରୋଲ ପମ୍ପର ଛାତ ଗୁଡିକ ଉଡି ଯାଇଥିଲା। ଯାହା ଫଳରେ ପେଟ୍ରୋଲ ମିଳିବାରେ ଅନେକ ଅସୁବିଧା ସୃଷ୍ଟି ହେଇଥିଲା।
ଏମିତି ରଚିଲା ତାଣ୍ଡବ ଶୁକ୍ରବାର ସକାଳେ ଏହା ପୁରୀ ଜିଲ୍ଲାର ସାତପଡ଼ା ଓ ଚିଲିଲା ହ୍ରଦ ପାଖାପାଖି ଅଂଚଳରେ ଅବତରଣ କରିବା ପରେ ପ୍ରାୟ ଦୁଇ ଘଣ୍ଟା ଅର୍ଥାତ 11ଟା ଯାଏଁ ଉନ୍ମାଦ କରିଥିଲା ପରେ ମାତ୍ର 30 ମିନିଟ ଆକାଶ ଅଳ୍ପ ସମୟ ପାଇଁ ପରିଷ୍କାର ରହିବା ପରେ ଏହା ପ୍ରବଳ ପ୍ରତାପୀ ରାକ୍ଷାସ ପରି ପୁଣି ପ୍ରହାର କରିବା ଆରମ୍ଭ କରିଥିଲା। ପ୍ରାୟ ଦିନ 3ଟା ପରେ ଏହା ଥମିବା ଆରମ୍ଭ କରିଥିଲା। ତେବେ ବାତ୍ୟା ଥମିବା ପରେ ମଧ୍ୟ ଆନୁମାନିକ ଦୁଇଘଣ୍ଟା ଯାଏଁ 60-70 କିମି ଘଣ୍ଟା ପ୍ରତି ବେଗରେ ପବନ ବହିଥିଲା। ଶୁକ୍ରବାର ରାତି ପ୍ରାୟ 9.30 ଯାଏଁ ଝିପିଝିପି ବର୍ଷା ଲାଗି ରହିଥିଲା। ଟିଣ ଛାତ, କାଠ ଦୋକାନ କ୍ଷତିଗ୍ରସ୍ତ ପୁରୀ ସହରର କିଛି ଦୁର୍ବଳ କୋଠା କ୍ଷତିଗ୍ରସ୍ତ ହେଇଥିବା ବେଳେ ଜିଲ୍ଲାର ଗ୍ରାମାଞ୍ଚଳରେ ଆଜବେଷ୍ଟସ ଓ ଟିଣ ଛାତ ପକେଇ ରହିଥିବା ଘର ଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଇଥିଲା। ଅନେକ ଟିଣ ଓ ଆଜବେଷ୍ଟସ ଛାତ ଗୁଡିକ ରାସ୍ତାରେ ଇତସ୍ତତଃ ପଡିଥିବାର ଦେଖାଯାଇଥିଲା। ପୁରୀ ଜିଲ୍ଲା ମେଡିକାଲ କ୍ଷତିଗ୍ରସ୍ତ ହେଇଥିବା ବେଳେ ଶ୍ରୀମନ୍ଦିରର କିଛି ଅଂଶ ମଧ୍ୟ କ୍ଷୟକ୍ଷତି ହେଇଥିବା ଜଣାପଡିଛି। ସେହିପରି ରାସ୍ତା ଉପରେ କାଠ କ୍ୟାବିନ ପକେଇ ବସିଥିବା ପ୍ରାୟ ସମସ୍ତ ଦୋକାନ ଗୁଡିକ ନିଜ ସ୍ଥାନରୁ ପ୍ରାୟ ଚାରି ରୁ ପାଞ୍ଚ ଫୁଟ ଦୂରରେ ଯାଇ ପଡିଥିଲା। ଅନ୍ୟ କିଛି ଦୋକାନ ନିଜ ସ୍ଥାନରୁ ପ୍ରାୟ 20 ଫୁଟ ଦୂର ଉଡି କଚାଡି ହେଇଥିବାର ଦେଖିବାକୁ ମିଳିଥିଲା।