• ବେତାର ଷ୍ଟାଫ ଲେଖକ

ଆଧୁନିକ ମେସିନରେ ଚାଲିଛି ବିଦ୍ୟୁତ ପୁନରୁଦ୍ଧାର; ତଥାପି କେବେ ଆସିବ ସନ୍ଦେହ


(ବେତାର ବ୍ୟୁରୋ) ମହାବାତ୍ୟା ‘ଫୋନୀ’ ପ୍ରଭାବରେ ପୁରୀ ଓ ଭୁବନେଶ୍ୱର ସମତେ ଅନେକ ଉପକୂଳ ଅଞ୍ଚଳରେ ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟି ଓ ହାଇ ପାୱାର କେବୁଲ ଲାଇନ ଛିଣ୍ଡି ଯାଇଥିବା ବେଳେ ରାଜ୍ୟ ବିଦ୍ୟୁତ ବିଭାଗ ଓ ଗ୍ରିଡକୋ ତରଫରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ନୂତନ ମେସିନ ସାହାଯ୍ୟରେ ଜୋର ସୋରରେ ଚାଲିଛି । ହେଲେ ବାସ୍ତବରେ ଲାଇନ ସମସ୍ୟା କେବେ ଦୂର ହେବ କେହି ଠିକ କରି କହିପାରୁନାହାନ୍ତି ।

ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ପ୍ରାୟ 3 ଲକ୍ଷରୁ ଅଧିକ ବିଦ୍ୟୁତ ଉପୋଭୋକ୍ତା ଥିବାବେଳେ ବୁଧବାର ରାତି ସୁଦ୍ଧା ମାଗତ୍ର 23 ହଜାର ପାଖାପାଖି ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ତେଣୁ ଖୋଦ ଭୁବନେଶ୍ୱରରେ ଅବସ୍ଥା ସମ୍ପର୍କରେ କେହି କିଛି ଠିକ ଭାବେ କହି ପାରୁ ନ ଥିବା ବେଳେ ଅନ୍ୟ କେଉଠି ଅଧିକ ସମୟ ଲାଗିବା ବୋଲି ଅନ୍ୟ ସ୍ଥାନର ଉପଭୋକ୍ତା ମାନେ ଆଶଙ୍କା କରୁଛନ୍ତି ।

ମାନବ ସମ୍ବଳ

ଏହାର ପ୍ରମୁଖ କାରଣ ହେଉଛି ମାନବସମ୍ବଳର ଅଭାବ ଓ କ୍ଷୟକ୍ଷତିର ଆକଳନ । ରାଜ୍ୟ ଶକ୍ତି ବିଭାଗ ପାଖରେ ଏ ପର୍ଯ୍ୟନ୍ତ କେତେ କ୍ଷତି ହେଇଛି ତାହାର ସଠିକ ହିସାବ ନାହିଁ । ସେହିପରି ଏ ବିଶାଳ କ୍ଷୟକ୍ଷତିକୁ ଭରଣା କରିବା ପାଇଁ ଯେଉଁ ସମ୍ବଳ ଦରକାର ତାହା ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ଓଡିଶାର ନିଜସ୍ଵ ବିପର୍ଯ୍ୟୟ ପରିଚାଳନା ଟିମ ଓଡ୍ରାଫ ଓ କେନ୍ଦ୍ରର NDRF ଟିମ ସହିତ ସ୍ଥାନୀୟ ଲୋକମାନେ ମିଶି ବିଦ୍ୟୁତ ଖୁଣ୍ଟ ଓ ତାର ସଜାଡୁଥିବା ବେଳେ କେବେ ସଂପୂର୍ଣ୍ଣ ସ୍ଥିତି ଫେରିଆସିବ ସେ ନେଇ ତଳରୁ ଉପର ଅଫିସର କେହି କିଛି କହି ପାରୁନାହାନ୍ତି ।

ଓଡ଼ିଶା ସରକାର ଫନି ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ପାଇଁ ୫ ହଜାର କର୍ମଚାରୀଙ୍କୁ ପଠାଇବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଆନ୍ଧ୍ରପ୍ରଦେଶ ୨ ହଜାର ବିଦ୍ୟତ ବିଭାଗର କର୍ମଚାରୀଙ୍କୁ ଓଡ଼ିଶାକୁ ପଠାଇଛି । ସେହିପରି ତେଲେଙ୍ଗାନା ୧୦୦ କର୍ମଚାରୀଙ୍କୁ ପଠାଇଛି । ଏମାନେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ବିଭିନ୍ନ ବିଦ୍ୟୁତ ଜୋନ୍‌ରେ କାମ କରୁଛନ୍ତି ।

ତିନି ଦିନରେ ସଂପୂର୍ଣ୍ଣ : ଗ୍ରୀଡକୋ

ଗ୍ରିଡକୋ ସହଯୋଗୀ ସଂସ୍ଥା OPTCL ପକ୍ଷରୁ କୁହାଯାଇଛି ଯେ କଟକ ଓ ଭୁବନେଶ୍ୱରର କେତକ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ବୁଧବାରରେ ଆହୁରି ଅନେକ ସ୍ଥାନକୁ ବିଦ୍ୟୁତ ସଂଯୋଗ ଦିଆଯିବ । ଭୁବନେଶ୍ୱରରେ ୪୮ରୁ ୭୨ ଘଣ୍ଟା ମଧ୍ୟରେ ବିଦ୍ୟୁତ ସରୋବରାହ ସ୍ୱାଭାବିକ ହେବ ବୋଲି ସଂସ୍ଥା କହିଛି ।

ଫନି ପ୍ରଭାବରେ ପାଓ୍ୱାର ଗ୍ରୀଡ କର୍ପୋରେସନ୍‌ର ଏକ ୪୦୦ କେଭି ଟାଓ୍ୱାର ଭାଙ୍ଗିଯାଇଛି । ଏହା ଓପିଟିସିଏଲ୍‌ର ୪୦୦ କେଭି ଟାଓ୍ୱାର ଉପରେ ପଡିଛି । ଓପିଟିସିଏଲ୍‌ର ଅନ୍ୟ ଏକ ୨୦୦ କେଭି ଟାଓ୍ୱାର ଫନି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ବୋଲି ଓପିଟିସିଏଲ୍‌ର ନିର୍ଦେଶକ ଉତ୍ତମ କୁମାର ସାମଲ କହିଛନ୍ତି ।

ନୂଆ ଟାଓ୍ୱାର ତିଆରି କରିବା ପାଇଁ ସମୟ ଲାଗିବ ଏଥିପାଇଁ ମରାମତି ଓ ବିଦ୍ୟୁତ ଯୋଗାଣ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ସହ ଚନ୍ଦକା ଗ୍ରୀଡରୁ ଭୁବନେଶ୍ୱରକୁ ବିଦ୍ୟୁତ ଯୋଗାଇ ଦେବା ପାଇଁ ଚେଷ୍ଟା ଚାଲିଛି ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ।

ପୁରୀ ଜିଲ୍ଲାରେ ବିଦ୍ୟୁତ ସରୋବରାହ ବ୍ୟବସ୍ଥା ସ୍ୱାଭାବିକ କରିବା ପାଇଁ ଏକ ମାସ ସମୟ ଲାଗିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଫନି ଯୋଗୁଁ ଓଡ଼ିଶାରେ ସରକାରୀ ଭାବେ ୪୧ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧.୪୮ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଫନି ପ୍ରଭାବରେ ୬ ଲକ୍ଷରୁ ଅଧିକ ଘର ଭାଙ୍ଗି ଯାଇଛି ।

#Cyclone #Foni #CycloneOdisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon