• ବେତାର ବ୍ୟୁରୋ

'ଫୋନି' ପ୍ରଭାବ : ପରିବା ପରେ ଚିକେନ-ମଟନ 20% ମହଙ୍ଗା


(ବେତାର ବ୍ୟୁରୋ) ମହାବାତ୍ୟା ଫନିର ଚୋଟ ଓଡିଶାର ଉପକୂଳ ଜିଲ୍ଲାର ଚାଷଜମି, କୁଡିଆ ଓ ବିଦ୍ୟୁତ ଖୁଣ୍ଟ ଉପରେ ପଡିଥିବା ବେଳେ ଏବେ ଏହାର ପ୍ରଭାବ ଚିକେନ, ମଟନ ଦର ଉପରେ ପଡିଥିବାର ଦେଖିବାକୁ ମିଳିଛି । ରାଜଧାନୀର ଆମିଷ ବଜାର ମାନଙ୍କରେ ବିଗତ କିଛି ଦିନରେ ମାଂସ ଦର ବୃଦ୍ଧି ପାଇ 10-20% ଅଧିକ ଦରରେ ବିକ୍ରି ହେବାରେ ଲାଗିଛି ।

ଭୁବନେଶ୍ୱରର ମୁଖ୍ୟ ଆମିଷ ବଜାର କୁହାଯାଉଥିବା ୟୁନିଟ 4 ସ୍ଥିତ ବଜାରରେ ଚିକେନ ଦର କିଲୋ ପିଛା 240-250 ଟଙ୍କା ଦରରେ ବିକ୍ରି ହେଉଛି , ଯାହା ପୂର୍ବରୁ 200 ଟଙ୍କା ଦର ଥିଲା ।

ସେହିପରି ଅଣ୍ଡା ଦର ମଧ୍ୟ ବଢିବାରେ ଲାଗିଛି । ଖୁଚୁରା ଦୋକାନୀମାନେ କଞ୍ଚାଅଣ୍ଡା ଗୋଟାକୁ 5 ଟଙ୍କାରୁ ବଢାଇ 7 ଟଙ୍କାରେ ଓ ସିଝା ଅଣ୍ଡା 7 ଟଙ୍କାରୁ ବଢାଇ ଦଶଟଙ୍କା ଗୋଟା ପ୍ରତି ଦରରେ ବିକ୍ରି କରୁଛନ୍ତି ।

ମଟନ ଦର ମଧ୍ୟ ଚିକେନ ଦରକୁ ଚାହିଁ ଓ ସପ୍ଲାଇ କମ ହେବାରୁ ବଢିବାରେ ଲାଗିଛି । ବାତ୍ୟା ପୂର୍ବରୁ ଭୁବନେଶବର ବଜାରରେ ମଟନ କେଜି ପିଛା 550 ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ବଢି 600 ଟଙ୍କା କେଜି ପିଛା ମୂଲ୍ୟରେ ବିକ୍ରି ହେଉଛି ।

ଲକ୍ଷ ଲକ୍ଷ କୁକୁଡା

ରାଜଧାନୀ ଭୁବନେଶ୍ୱରରୁ କୁକୁଡା ଯୋଗାଣ ପ୍ରାୟତଃ ପୁରୀ ଜିଲ୍ଲାର ବିଶେଷ କରି ପିପିଲି ଅଞ୍ଚଳରୁ ହେଇଥାଏ। ପିପିଲିରୁ ଜଟଣୀ ଯିବା ବାଟରେ ଅନେକ ସଂଖ୍ୟାରେ କୁକୁଡା ଫାର୍ମ ଦେଖିବାକୁ ମିଳିଥାଏ । ମହାବାତ୍ୟା ଫନି ପ୍ରଭାବରେ ଏହି ସବୁ ମାଟିରେ ମିଶି ଯାଇଛିଓ ଅନେକ କୁକୁଡା ମାରି ଯାଇଛନ୍ତି ।

ରାଜ୍ୟ ସରାକରଙ୍କ ଏକ ଆକଳନ କ୍ରମରେ ଓଡିଶାରେ ‘ଫନି’ ପ୍ରଭାବରେ ଏ ଜବତ 34 ଲକ୍ଷ 56 ହଜାର ଗୃହପାଳିତ ଓ ଅଣଗୃହପାଳିତ ପ୍ରାଣୀ ମୃତ ହେଇଥିବା ବେଳେ ସେଥିମଧ୍ୟରୁ କୁକୁଡା ସଂଖ୍ୟା ହେଉଛି 34 ଲକ୍ଷ 52 ହଜାର । ଏତେ ସଂଖ୍ୟାରେ କୁକୁଡା ହଠାତ ମରି ଯାଇଥିବାରୁ ଯୋଗାଣ ସୁବିଧା ହେଇପାରୁନି ।

ସେହିପରି ଭୁବନେଶ୍ଵର ଉପକଣ୍ଠ ଗ୍ରାମାଞ୍ଚଳରୁ ସହରକୁ ଛେଳି ଆସୁଥିଲା। ହେଲେ ଅନେକ ଗାଁରେ ଗଛ, ବିଦ୍ୟୁତ ଖୁଣ୍ଟି ପଡି ରାସ୍ତା ଅବରୋଧ ହେଇଥିବାରୁ ଏବେ ବି ସେଗୁଡିକ ଆସିବାରେ ଅସୁବିଧା ରହିଛି ।

ଯୋଗାଣ ସମସ୍ୟା ଦୂରେଇବା ପାଇଁ ଓଡିଶାର ଅନ୍ୟ ଅଞ୍ଚଳରୁ କୁକୁଡା ଓ ଛେଳି ମଗାଯାଇବାର ବନ୍ଦୋବସ୍ତ କରାଯାଉଛି ଓ ସେଥିପାଇଁ ଆଉ ପ୍ରାୟ ଏକ ସପ୍ତାହ ମଧ୍ୟରେ ଦର କମିଯିବା ବୋଲି ବ୍ୟବସାୟୀ ମାନେ ଆଶା ପ୍ରକାଶ କରିଛନ୍ତି ,

#Chicken #foodhabits

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon