- ବେତାର ବ୍ୟୁରୋ
ଜାଲ ଦସ୍ତଖତରେ ଛାଡପତ୍ର ନେଇ ବଏଫ୍ରେଣ୍ଡଙ୍କୁ ବିବାହ କଲେ ମୁମ୍ବାଇ ମହିଳା; ଏବେ ଫେରାର

(ବେତାର ବ୍ୟୁରୋ) ପ୍ରେମ କଣ ବା ନ କରିପାରେ । ବେଳେବେଳେ ପ୍ରେମରେ ଅନ୍ଧ ବ୍ୟକ୍ତି ବିବେକଶୂନ୍ୟ ମଧ୍ୟ ହେଇଯାଏ । ଆଉ ଯଦି ପ୍ରେମ ପୁରୁଣା ହୁଏ, ତେବେ ଏହା ଅଧିକ ବିପଜ୍ଜନକ ହୁଏ । ଅନେକ କ୍ଷେତ୍ରରେ ବିବାହ ପରେ ମଧ୍ୟ ପୁରୁଣା ପ୍ରେମ ଫାଶରୁ ଉଭୟ ପୁରୁଷ ଓ ମହିଳା ବାହାରିପାରୁ ନ ଥିବାରୁ ଏହା ପରକୀୟାପ୍ରୀତି ଜନିତ ଅପରାଧର କାରଣ ହେଇଥାଏ । ସେହିପରି ଏକ ଘଟଣା ଦେଖିବାକୁ ମୁମ୍ବାଇର ଥାଣେ ଅଞ୍ଚଳରେ ।
ମୁମ୍ବାଇରେ ନୀଲୋଫର ନାମକ ଜଣେ ମହିଳା ଦୁବାଇରେ ରହୁଥିବା ତାଙ୍କ ସ୍ଵାମୀଙ୍କ ଠାରୁ ଏକ ଦସ୍ତଖତ ନେଇ ପରେ ସେହି ଦସ୍ତଖତକୁ ଡିଭୋର୍ସ ବା ଛାଡପତ୍ର କାଗଜପତ୍ରରେ ବ୍ୟବହାରକରି ପୂର୍ବ ପ୍ରେମିକଙ୍କୁ ବିବାହ କରିଛନ୍ତି ।
ପୋଲିସ ଅନୁସନ୍ଧାନରୁ ଏହି ତଥ୍ୟ ଜଣା ପଡିବା ପରେ ବର୍ତ୍ତମାନ ନିଜ 9 ବର୍ଷୀୟ ପୁଅ ସହିତ ଫେରାର ଅଛନ୍ତି ଉକ୍ତ ମହିଳା ।
କ'ଣ ଥିଲା ପୁରା ଘଟଣା
ନୀଲୋଫରଙ୍କ ସ୍ଵାମୀ ୟୁସୁଫ ଶରିଫ ମାସ୍ତାନ ଦୁବାଇରେ 2007 ମସିହାରୁ ମେକାନିକ ହିସାବରେ ଚାକିରି କରିଆସୁଛନ୍ତି । ପଇସା ବଞ୍ଚେଇବା ଲାଗି ସେ ଘରକୁ ନ ଆସି ନିୟମିତ ପଇସା ପଠାଉଥିଲେ । ସ୍ଵାମୀଙ୍କ ଦୀର୍ଘ ଅନୁପସ୍ଥିତି ଭିତରେ ନୀଲୋଫର ତାଙ୍କ ପୂର୍ବ ବଏ ଫ୍ରେଣ୍ଡଙ୍କ ସମ୍ପର୍କରେ ରୁହନ୍ତି ଓ ସମ୍ପର୍କ ଆଗକୁ ବଢେ ।
ଇତିମଧ୍ୟରେ ମସ୍ତାନ ନିଜ ପତ୍ନୀ ଓ 9 ବର୍ଷର ପୁଅ ପାଇଁ କିଣିଥିବା ଘରକୁ ବିକ୍ରି କରି ଅନ୍ୟ ଏକ ଘର କିଣିବା ପାଇଁ ମାସ୍ତାନଙ୍କୁ କୁହନ୍ତି ନୀଲୋଫର । ପତ୍ନୀଙ୍କ କଥା ମାନି ମସ୍ତାନ ନିଜ ଘର ବିକ୍ରି କରି ସେହି ଅଞ୍ଚଳରେ ନିଜ ପତ୍ନୀଙ୍କ ନାମରେ ଅନ୍ୟ ଏକ ଫ୍ଲାଟକୁ 23 ଲକ୍ଷ ଟଙ୍କା ବିନିମୟରେ କିଣନ୍ତି ।
ଘଟଣା ସମ୍ପର୍କରେ ପରଦା ଉଠିଲା 2017ରେ ଯେତେବେଳେ ମସ୍ତାନ ଭାରତ ଆସିଥିଲେ । ସେ ସମୟରେ ନୀଲୋଫର ତାଙ୍କୁ ଉକ୍ତ ଘରକୁ ଯିବାକୁ ଦେଲେ ନାହିଁ । ତେଣୁ ବାଧ୍ୟ ହେଇ ଏକ ଲଜରେ ଭଡା ନେଇ ମାସ୍ତାନ ଘଟଣା ବିଷୟରେ ପଚାରି ବୁଝିଲେ ଯେ ଦ୍ଵିତୀୟ ଥର କିଣା ଯାଇଥିବା ଘରକୁ 32 ଲକ୍ଷ ଟଙ୍କାରେ ବିକ୍ରି କରି ପଇସା ନିଜ ଆକାଉଣ୍ଟକୁ ନେଇଯାଇଛନ୍ତି ନୀଲୋଫର ।
ନୀଲୋଫରଙ୍କ ସହିତ ଏ ବିଷୟରେ ଯୋଗାଯୋଗା କରିବା ପରେ ସେ ଏକ ଓକିଲ ଜରିଆରେ ସାଧା କାଗଜରେ ଲେଖି ପଠାଇଲେ ଯେ ‘ବର୍ତ୍ତମାନ ଆମ ବିବାହ ଏକ କଠିନ ପରିସ୍ଥିତିରେ ଅଛି । ଏହାର ସମାଧାନ ପାଇଁ କିଛି ଦିନ ଆମକୁ ପରସ୍ପର ଠାରୁ ଅଲଗା ରହିବାକୁ ପଡିବ । “ ଏହି କାଗଜରେ ଉଭୟ ସ୍ଵାମୀ-ସ୍ତ୍ରୀ ଦସ୍ତଖତ କରିଥିଲେ ଓ ଏହା ପରେ ମସ୍ତାନ ଦୁବାଇ ଫେରିଯାଇଥିଲେ ।
ଯେତେବେଳେ ଚଳିତ ବର୍ଷ ମସ୍ତାନ ମୁମ୍ବାଇ ଫେରିଲେ, ସେତେବେଳେ ନୀଲୋଫରଙ୍କ ପକ୍ଷରୁ ତାଙ୍କୁ ଏକ ଛାଡପତ୍ର କାଗଜ ଦିଆଗଲା, ଯେଉଥିଲେ ତାଙ୍କ ଦସ୍ତଖତ ଏପ୍ରିଲ 2017ରେ ନିଆଯାଇଛି ବୋଲି ଉଲ୍ଲେଖ ଥିଲା ।
ଫେରାର ମହିଳା
ଥାଣେ ପୋଲିସ ଅନୁସନ୍ଧାନ କରି କହିଛି “ଏକଥା ସ୍ପଷ୍ଟ ଯେ ମସ୍ତାନ ବିଦେଶରେ ଥିବା ବେଳେ ହିଁ ଛାଡପତ୍ର କାଗଜ ପ୍ରସ୍ତୁତ କରାଯାଇଥିଲା । ମାସ୍ତାନଙ୍କ ପାସପୋର୍ଟ ଓ ବିମାନ ଟିକେଟ ଦେଖିବା ପରେ ଆମେ ନିଶ୍ଚିତ ହେଲୁ ।ଏଣୁ ଦସ୍ତଖତ ଜାଲ ଅଟେ ।
ନୀଲୋଫରଙ୍କ ଏହି ଜାଲ ଦସ୍ତଖତ ଭାରତୀୟ ପିଙ୍ଗଳ କୋଡ ଅନୁଯାୟୀ ଅପରାଧ ଓ ସେ ଏଥିପାଇଁ ସାତ ବର୍ଷ ଜେଲ ଯାଇ ପାରନ୍ତି ।