• ବେତାର ବ୍ୟୁରୋ

ଫୋନି ପ୍ରଭାବ : ଓଡିଶାରେ 14 ଜିଲ୍ଲାରେ ଜିଏସଟି ରିଟର୍ଣ୍ଣ ଦାଖଲ ସମୟସୀମା ବଢିଲା


(ବେତାର ବ୍ୟୁରୋ) ଓଡ଼ିଶାର ଘୂର୍ଣ୍ଣିବାତ୍ୟା କ୍ଷତିଗ୍ରସ୍ତ ୧୪ଟି ଜିଲ୍ଲାର ଟିକସଦାତାମାନଙ୍କ ପାଇଁ ଜିଏସ୍‍ଟି ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି, ୨୦୧୯ ଏପ୍ରିଲ୍‍ ମାସପାଇଁ ଜିଏସ୍‍ଟି ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ ମେ ୨୦ ତାରିଖ ପରିବର୍ତ୍ତେ ଜୁନ୍‍ ୨୦ ତାରିଖକୁ ବୃଦ୍ଧି କରାଯାଇଛି।

ସେହିପରି ଯେଉମାନେ ମସିକିଆ ଜିଏସଟିଆର 1 ଫର୍ମ ଅନୁସାରେ ତଥ୍ୟ ଦାଖଲ କରୁଥିବେ, ସେମାନେ ଏହି କମ ଜୁନ 10 ଭିତରେ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଯେଉଁ ଜିଲ୍ଲା ଗୁଡିକରେ ଜିଏସଟି ରିଟର୍ଣ୍ଣ ଦାଖଲ ସମୟ ସୀମା ବଢାଯାଇଛି ସେଗୁଡିକ ହେଲା ଅନୁଗୁଳ, ବାଲେଶ୍ଵର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂପୁର, ଯାଜପୁର, କେନ୍ଦ୍ରପଡା, କେଉଁଝର , ଖୋର୍ଦ୍ଧା , ମୟୂରଭଞ୍ଜ, ନୟାଗଡ ଓ ପୁରୀ ।

ଇତିମଧ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଗୁରୁବାର ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ବ୍ୟାଙ୍କିଙ୍ଗ୍‍ ସେବା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ବ୍ୟାଙ୍କିଙ୍ଗ୍‍ ସେବା ଓ ବୀମା ସେବା ପୁନଃକ୍ଷମ ହେବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଶ୍ରୀ ପଣ୍ଡା କହିଛନ୍ତି, କେବଳ ପୁରୀ ଜିଲ୍ଲାକୁ ଛାଡ଼ିଦେଲେ ଓଡ଼ିଶାରେ ଶତକଡ଼ା ୯୯ ଭାଗ ବ୍ୟାଙ୍କ୍‍ କାର୍ଯ୍ୟକ୍ଷମ ହୋଇଛି।

ଓଡିଶାରେ ଫୋନି ବାତ୍ୟା ପରେପରେ ଧୀରେ ଧୀରେ ଅବସ୍ଥା ସୁଧୁରିବାରେ ଲାଗିଛି । ବିଦ୍ୟୁତ ଓ ଯୋଗାଯୋଗ ସେବାରେ ବାଧା ଯୋଗୁ ଯେଉଁ ସବୁ ସ୍ଥାନ ମାନଙ୍କରେ ବ୍ୟାଙ୍କିଙ୍ଗ ସେବା ମିଳୁ ନ ଥିଲା ତାହା ଏବେ ସ୍ବାଭାବିକ ହୋଇଛି। ଇଣ୍ଟରନେଟ୍‌ ବ୍ୟବସ୍ଥା ନ ଥିବା ସ୍ଥାନରେ ପାସ୍‌ ବୁକ୍‌ ଜରିଆରେ ଲୋକେ ୨ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରୁଛନ୍ତି।

ସେହିପରି ବାତ୍ୟା ପ୍ରଭାବିତ ୬ଜିଲାରେ ୧୯୯୨ଟି ବ୍ୟାଙ୍କ ଶାଖା ମଧ୍ୟରୁ ୧୯୩୪ଟି କାର୍ଯ୍ୟକ୍ଷମ ହୋଇଛି। ୨,୯୨୧ଟି ଏଟିଏମ୍‌ ମଧ୍ୟରୁ ୨ହଜାରରୁ ଅଧିକ ବର୍ତ୍ତମାନ କାର୍ଯ୍ୟକ୍ଷମ ହେଲାଣି। ପୁରୀ, କଟକ ଓ ଖୋର୍ଦ୍ଧା ଅଞ୍ଚଳର କିଛି ଏଟିଏମ୍‌ କାର୍ଯ୍ୟ କରିନାହିଁ। ସପ୍ତାହେ ମଧ୍ୟରେ ସେସବୁ କାର୍ଯ୍ୟକ୍ଷମ ହୋଇଯିବ। ପୁରୀରେ ବର୍ତ୍ତମାନ ୨୭ରୁ ୨୮ପ୍ରତିଶତ ଏଟିଏମ୍‌ କାର୍ଯ୍ୟ କରୁଛି।

#GST #tax #centralgovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon