• ବେତାର ବ୍ୟୁରୋ

ନିର୍ବାଚନ ପରେ ଆରମ୍ଭ ହେବ ରାଜ୍ୟରେ 400ରୁ ଉର୍ଦ୍ଧ୍ଵ ଅଧ୍ୟାପକ ନିଯୁକ୍ତି


(ବେତାର ବ୍ୟୁରୋ) ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲି ରହିଥିବା ପାୟ 400ରୁ ଉର୍ଦ୍ଧ୍ଵ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀମାନଙ୍କରେ ନିଯୁକ୍ତି ପ୍ରକ୍ରିୟା ଚଳିତ ନିର୍ବାଚନ ପାଇଁ ଲାଗୁ ହେଇଥିବା ଆଚରଣ ବିଧି ପରେ ଆରମ୍ଭ ହେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ ଅଧ୍ୟାପକ ପଦବୀରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଉପୁଜିଥିବା ବିବାଦରେ ଅଦାଲତଙ୍କ ରହିତାଦେଶ ଯୋଗୁଁ ଓଡିଶାରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ପାଇଁ ବିଭିନ୍ନ ଅଧ୍ୟାପକ ପଦବୀ ପୂରଣ ହେଇ ପାରୁ ନ ଥିଲା । ତେବେ ନିକଟରେ ମାମଲାର ରାୟ ପ୍ରକାଶ ପାଇବା ପରେ ଓ ୟୁଜିସି ତରଫରୁ ଏ ନେଇ ନିର୍ଦ୍ଦେଶ ମିଳିବା ପରେ ସମସ୍ତ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ଵବିଦ୍ୟାଳୟମାନଙ୍କୁ ଏ ନେଇ ପତ୍ର ଲେଖାଯାଇଛି ।

ଅଦାଲତଙ୍କ କଟକଣା ପାଇଁ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହେଇଥିବା ବେଳେ ଗତ ଡିସେମ୍ବର ମାସରେ ପ୍ରାଇଭେଟ ଗ୍ରାଣ୍ଟ କଲେଜରେ 833ଟି ଅଧ୍ୟାପକ ପଦ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଇଥିଲା ।

ସଂରକ୍ଷଣ ନିୟମ

ଅଦାଲତଙ୍କ ରାୟ ପ୍ରକାଶ ପାଇବା ପରେ ସଂରକ୍ଷଣ ନେଇ ନୂଆ ନିୟମ ପ୍ରକାଶ ପାଇଛି । ନୂତନ ବ୍ୟବସ୍ଥାରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ହେଲେ ଏଥିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁହେବ । ତେବେ ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀମାନଙ୍କରେ ନିଯୁକ୍ତି ହେଲେ ଏଥିରେ କୌଣସି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ ।

ତେବେ ଏହି ବ୍ୟବସ୍ଥାରେ ସମସ୍ତ ପଦରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ରହିବ ।

ସରକାରୀ ନିର୍ଦ୍ଦେଶ ମୁତାବକ ଏହି ନିଯୁକ୍ତି ପ୍ରକ୍ରିୟାରେ ପୂର୍ବରୁ ବିଶ୍ୱବିଦ୍ୟାଳୟମାନଙ୍କରେ କାମକରୁଥିବା କଂଣ୍ଟ୍ରାକ୍ଟ ଶିକ୍ଷକ, ଗେଷ୍ଟ ଲେକ୍ଚର, ଆଡ ହକ ଲେକ୍ଚର ଇତ୍ଯାଦିଙ୍କୁ କୌଣସି ଅଗ୍ରାଧିକାର ମିଳିବ ନାହିଁ । ନିଯୁକ୍ତିର ସମସ୍ତ ନିୟମ ବିଶ୍ୱବିଦ୍ୟାଳୟରେ ଥିବା ନିୟମ ଅନୁସାରେ ପାଳିତ ହେବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅଧ୍ୟାପକ ପଦବୀ

ଓଡିଶାରେ ବିଗତ କିଛି ବର୍ଷରେ ଅନେକ ନୂତନ ବିଶ୍ୱବିଦ୍ୟାଳୟ ସୃଷ୍ଟି ହେଇଛି । ସେଥିମଧ୍ୟରୁ ଗଙ୍ଗାଧର ମେହେର, ରମାଦେବୀଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ୧୩୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି।

ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ 172ଟି ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରାୟ 100 ପଦ ଖାଲି ରହିଛି । ଏବେ ଅଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ଟି ବିଶ୍ବବିଦ୍ୟାଳୟ ପ୍ରାୟ 700ରୁ ଅଧିକ ପଦବୀ ଖାଲି ରହିଥିଲେ ମଧ୍ୟ ଏସବୁ ନିଯୁକ୍ତି ପର୍ଯ୍ୟାୟକ୍ରମେ ହେବ ବୋଲି ଜଣାପଡିଛି ।

ଗତ ଡିସେମ୍ବର ମାସରେ ଉଚ୍ଚଶିକ୍ଷା ମନ୍ତ୍ରୀ ଗତ ବିଧାନସଭା ଅଧିବେଶନ ସମୟରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ବିଶ୍ବବିଦ୍ୟାଳୟଗୁଡ଼ିକରେ ୭୦୦ରୁ ଅଧିକ ଓ କଲେଜଗୁଡ଼ିକରେ ୩ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି ରହିଛି। ଏହାବାଦ ପ୍ରତି ମାସରେ ୧୦ରୁ ୧୫ ଜଣ ଅଧ୍ୟାପକ ଅବସର ନେଉଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

#jobs #leacture

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon