• ବେତାର ବ୍ୟୁରୋ

ଦୂତୀ ଚାନ୍ଦ : ସମଲିଙ୍ଗୀ ସମ୍ପର୍କରେ ମା’ ରାଜି; ଭଉଣୀ, ‘ଓଟିଭି’ ବଦନାମ କରୁଛନ୍ତି


(ବେତାର ବ୍ୟୁରୋ) ଭାରତର ପ୍ରଥମ ଆଥଲେଟ ଭାବେ ସମଲିଙ୍ଗୀ ସମ୍ପର୍କ ବିଷୟରେ ସ୍ଵୀକାର କରିଥିବା ଦୌଡରାଣୀ ଦୂତୀ ଚାନ୍ଦ ମଙ୍ଗଳବାର ଏ ବିଷୟରେ ପ୍ରଥମଥର ମୁହଁ ଖୋଲିଛନ୍ତି । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ତାଙ୍କ ସମଲିଙ୍ଗୀ ସମ୍ପର୍କ ନେଇ ମା’ ଙ୍କ କୌଣସି ଆପତ୍ତି ନ ଥିବା ବେଳେ ତାଙ୍କ ଭଉଣୀ ଓ ଓଡିଆ ନ୍ୟୁଜ ଚାନେଲ ‘ଓଟିଭି’ ବଦନାମ କରୁଛି ।

ସାମ୍ବାଦିକଙ୍କ ପ୍ରଶ୍ନୋତ୍ତର ଦେଇ କୁମାରୀ ଚାନ୍ଦ କହିଥିଲେ “ମୁଁ ଜାଣିନି କ’ଣ ପାଇଁ ‘ଓଟିଭି’ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛି । ପୂର୍ବରୁ ହେଇଥିବା ଚର୍ଚ୍ଚା ଦୂତୀ ପୁଅ ନା ଝିଅ ହେଉ ବା ନିକଟରେ ନିର୍ବାଚନ ସଂକ୍ରାନ୍ତରେ ମୋ ଟ୍ଵିଟ –ଏ ସବୁ ପ୍ରସଙ୍ଗରେ ଗୋଟିଏ ଟିଭି ଚାନେଲ ମୋ ପଛରେ ପଡିଛି । କେଉଁ କାରଣ ପାଇଁ ସେ ଏପରି କରୁଛି ମୁଁ ଜାଣିପାରୁନି। “

ଏ ବିଷୟ ପ୍ରଚାରିତ ହେବା ପରେ ଦୂତୀଙ୍କ ମା’ ଏ ନେଇ ଅସହମତ ଥିବା ବିଭିନ୍ନ ଗଣମାଧ୍ୟମକୁ ଜଣାଇଥିଲେ । ଦୂତୀ ଏ ସମ୍ପର୍କରେ କହିଛନ୍ତି, “ ମୋ ମା’ ମୋର ଏ ନିଷ୍ପତ୍ତି ସମ୍ପର୍କରେ ପୂର୍ବରୁ ଜାଣିଛନ୍ତି ଓ ସେଥିରେ ସେ ରାଜି । ସେ ଗଣମାଧ୍ୟମକୁ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ବୋଧହୁଏ କୌଣସି ଚାପରେ ଦେଇଛନ୍ତି । ମୋ ଦିଦି ମୋତେ ଏଥିପାଇଁ ବାରମ୍ବାର ଟଙ୍କା ମାଗୁଥିଲେ । ସେଥିପାଇଁ ମୁଁ ଏହି ବିଷୟକୁ ସାର୍ବଜନୀନ କଲି। “

ବ୍ୟକ୍ତିଗତ ବ୍ୟାପାର

ଦୂତୀଙ୍କ ନିଜ ଗାଁ ଗୋପାଳପୁରର (ଯାଜପୁର) ଜନୈକା ଝିଅ ସହ ତାଙ୍କର ସଂପର୍କ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଦୂତୀ ଚାନ୍ଦ କହିଛନ୍ତି, ସମସ୍ତଙ୍କୁ ନିଜ ନିଜର ଜୀବନ ସାଥୀ ବାଛିବାର ସ୍ୱାଧିନତା ପାଇବା ଦରକାର । ଏହା ସହ ସମଲିଙ୍ଗୀ ଅଧିକାରକୁ ନେଇ ଯେଉଁମାନେ ସଂଘର୍ଷ କରୁଛନ୍ତି ସେମାନଙ୍କୁ ସେ ସମର୍ଥନ ଜଣାଇଛନ୍ତି ।

ଏହା ନିଜର ବ୍ୟକ୍ତିଗତ ବ୍ୟାପାର ବୋଲି କହିଛନ୍ତି ଦୂତୀ । ତେବେ ସେ ଆଗକୁ ତାଙ୍କ ସହିତ ରହିବେ ଏବଂ ଓଡିଆ ରୀତିନୀତି ଅନୁସାରେ ବିବାହ କରିବେ କହିଛନ୍ତି । ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ନିର୍ବନ୍ଧ ହେବାର କାର୍ଯ୍ୟକ୍ରମ ରହିଛି ।

ଅଲିମ୍ପିଆନ୍ ଆଥଲେଟ୍ ଦୂତୀ ଚାନ୍ଦ ୨୦୧୮ ମସିହାରେ ଏସିଆନ୍ ଗେମ୍ସରେ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ସିଲଭର ମେଡାଲ ଜିତିଥିଲେ । ଏସିଆନ୍ ଗେମ୍ସରେ ୧୦୦ ମିଟରରେ ୨୦ ବର୍ଷ ପରେ ସେ ଦେଶକୁ ଦେଇଥିଲେ ସିଲଭର ମେଡାଲ । ସେହିପରି ୨୦୦ ମିଟରରେ ଦେଶକୁ ୧୬ ବର୍ଷ ପରେ ସେ ଦେଇଥିଲେ ମେଡାଲ୍ ।

#Samesex #duteechand

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon