• ବେତାର ବ୍ୟୁରୋ

ଭାରତ ପାଇଁ ଧୋନୀ ଏହି କ୍ରମରେ ବ୍ୟାଟିଂ କରିବା ଉଚିତ : ସଚିନ ତେନ୍ଦୁଲକର


(ବେତାର ବ୍ୟୁରୋ) ଆଗାମୀ ବିଶ୍ଵକପ କ୍ରିକେଟ ପାଇଁ ଭାରତୀୟ ବ୍ୟାଟିଂକୁ ନେଇ ସବୁ ବିଶେଷଜ୍ଞମାନେ ନିଜ ମତ ରଖୁଥିବା ବେଳେ , କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମଧ୍ୟ ଏ ସଂକ୍ରାନ୍ତରେ ନିଜ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଭାରତର ବ୍ୟାଟିଂ କ୍ରମ ପାଇଁ ମହେନ୍ଦ୍ର ସିଂହ ଧୋନୀ 5ମ ସ୍ଥାନରେ ଖେଳିବା ଉପଯୁକ୍ତ ।

ଏକ କ୍ରିକେଟ ୱେବସାଇଟ ଇଣ୍ଟରଭିୟୁରେ ସେ କହିଛନ୍ତି ,”ମୁଁ ଏ ଯାଏଁ ଜାଣିନି କିଏ କେଉଁ ସ୍ଥାନରେ ଖେଳିବ। ତେବେ ଯଦି ଆମେ ରୋହିତ ଶର୍ମା ଓ ଶିଖର ଧାବନଙ୍କୁ ନେଇ ଓପନିଂ କରିବା , ବିରାଟ କୋହଲି 3 ନମ୍ବର ସ୍ଥାନରେ ଖେଳିବେ । ସେହିପରି 4ର୍ଥ ନମ୍ବର ସ୍ଥାନରେ ଯିଏ ଖେଳୁ ନା କାହିଁକି, 5ମ ସ୍ଥାନରେ ଧୋନୀ ଖେଳି ପାରିବେ ।“

ଏ ବିଷୟରେ ତର୍କ ଦେବାକୁ ଯାଇ ସେ କହିଛନ୍ତି ,”ଆମେ ଯେତେବେଳେ 5ମରୁ 8ମ ସ୍ଥାନ ବ୍ୟାଟିଂ କଥା ବିଚାର କରୁ, ସେତେବେଳେ ଏପରି ଖେଳାଳି ରହିବା କଥା ଯିଏ ଶେଷ ପର୍ଯ୍ୟନ୍ତ ରହି ମ୍ୟାଚକୁ ଜିତାଇପାରିବେ । ତେଣୁ ଏହିସବୁ ସ୍ଥାନରେ ଅଭିଜ୍ଞ ଖେଳାଳୀ ରହିଲେ ଭଲ।“

କୋହଲିଙ୍କ ରଣନୀତି

ପ୍ରଥମ ଭାରତୀୟ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତିଥିବା ବିରାଟ କୋହଲି ବିଶ୍ବକପ୍‌ରେ ଏପରି ଏକ ଦଳର ନେତୃତ୍ବ ନେବାକୁ ଯାଉଛନ୍ତି; ତେବେ ତାଙ୍କର ରଣନୀତି କିପରି ରହିବା ଏହା ନେଇ ଅନେକ ସନ୍ଦେହ ରହିଛି, ଯାହା ଏ ଯାଏଁ ମଧ୍ୟ ଦୂର ହୋଇନାହିଁ। ସେଗୁଡିକ ହେଲା : ୪ନଂ ସ୍ଥାନରେ କିଏ ବ୍ୟାଟିଂ କରିବେ? ବିଶ୍ବକପ୍ ଖେଳିବାକୁ କେଦାର ଯାଦବ କେତେ ଯୋଗ୍ୟ? ଚୂଡ଼ାନ୍ତ ଏକାଦଶରେ ୩ୟ ପେସ୍ ବୋଲର ନା ଅତିରିକ୍ତି ଅଲ୍‌ରାଉଣ୍ଡର ଖେଳିବେ। କୁଲଦୀପ ନା ଚହଲ ନା ଉଭୟ?

ଭାରତୀୟ ବ୍ୟାଟିଂ ଲାଇନରେ ୪ନଂ ସ୍ଥାନକୁ ନେଇ ଅନେକ ଆଲୋଚନା ଚାଲିଛି। ଅମ୍ବତି ରାୟୁଡୁ ଓ ଋଷଭ ପନ୍ଥଙ୍କୁ ବିଶ୍ବକପ୍ ଦଳରେ ସ୍ଥାନ ନ ମିଳିବାରୁ ଏହି ଆଲୋଚନା ବହୁତ ବଢ଼ିଯାଇଛି।

ଦଳରେ ସ୍ଥାନ ପାଇଥିବା ଦିନେଶ କାର୍ତ୍ତିକ ତାଙ୍କ ୧୪ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନରେ ସେପରି ଆଖିଦୃଶିଆ କିଛି କରିନାହାନ୍ତି। ବିଜୟ ଶଙ୍କରଙ୍କ ସେପରି ଆନ୍ତର୍ଜାତିକ ଅଭିଜ୍ଞତା ନାହିଁ। ଏହି ସ୍ଥାନ ପାଇଁ ୩ୟ ବିକଳ୍ପ ହେଲେ କେ.ଏଲ୍‌. ରାହୁଲ। ତେବେ ଦଳ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ଘୋଷଣା କରାଯାଇ ନାହିଁ ।

ସେହିପରି ୬ନଂରେ କେଦାର ଯାଦବ ଖେଳିପାରନ୍ତି। ତେବେ ବିଫଳ ଆଇପିଏଲ୍‌ ତାଙ୍କୁ ଚାପରେ ରଖିପାରେ।

ଅଲ୍‌ରାଉଣ୍ଡର ଭାବେ ଭାରତର ଟ୍ରମ୍ପ୍ କାର୍ଡ ହେଉଛନ୍ତି ହାର୍ଦିକ ପାଣ୍ଡ୍ୟା। ଶେଷ ଓଭରରେ ଛକା ମାରିବା ଦକ୍ଷତା ଯୋଗୁଁ ବିଶ୍ବକପ୍‌ରେ ପାଣ୍ଡ୍ୟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ।

ବୋଲିଂରେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଭାରତ ପାଇଁ ନିୟମିତ ଭଲ ପ୍ରଦର୍ଶନ କରିଥିଲେ ହେଁ ଗତ କିଛି ସିରିଜ୍‌ରେ ଉଭୟଙ୍କ ବିଫଳତା ଦଳକୁ ଚିନ୍ତାରେ ରଖିବ।

ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ଵକପ ୨୦୧୯ ପାଇଁ ଭାରତୀୟ ଟିମ୍‌ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛି । ଭାରତୀୟ ଟିମ୍‌ ଇଂଲଣ୍ଡରେ ପହଞ୍ଚିବା ପରେ ଆସନ୍ତା ୨୫ ତାରିଖରେ ଓଭାଲ ଗ୍ରାଉଣ୍ଡରେ ଦଳ ନ୍ୟୁଜିଲାଣ୍ଡ ସହ ଅଭ୍ୟାସ ମ୍ୟାଚ ଖେଳିବ। ଏହା ପରେ ୨୮ ତାରିଖରେ ବାଂଲାଦେଶକୁ ଅନ୍ୟ ଏକ ଅଭ୍ୟାସ ମ୍ୟାଚରେ ଭେଟିବ। ଶେଷରେ ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ପ୍ରଥମ ମ୍ୟାଚ୍‌ ଖେଳିବ।

#worldcup2019 #Cricket #Teamindia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon