- ବେତାର ବ୍ୟୁରୋ
ବିଜୟ ଶଙ୍କର ଆହତ, ଅଭ୍ୟାସ ମ୍ୟାଚରୁ ବାଦ ପଡିବେ !

(ବେତାର ବ୍ୟୁରୋ) ଆଇସିସି ବିଶ୍ୱକପ୍ ଆରମ୍ଭ ହେବାର ଅଳ୍ପ କିଛିଦିନ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ସଙ୍କଟ ଦେଖାଦେଇଛି । ଇଂଲଣ୍ଡରେ ପହଞ୍ଚି ଭାରତୀୟ ଟିମ୍ ଅଭ୍ୟାସ କରୁଥିବା ବେଳେ ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇଛନ୍ତି ।
ଶୁକ୍ରବାର ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବାବେଳେ ସେ ଏକ ପୁଲ ଶଟ୍ ଲଗାଇବାକୁ ଉଦ୍ୟମ କରିଥିଲେ । ହେଲେ ବଲ ତାଙ୍କ ରିଷ୍ଟରେ ବାଜିଥିଲା। ଯନ୍ତ୍ରଣା ହେବାର ତୁରନ୍ତ ପରେ ସେ ଆଉ ଅଭ୍ୟାସରେ ଅଂଶଗ୍ରହଣ କରି ନ ଥିଲେ ।
ଅଭ୍ୟାସ ସମୟରେ ଶିଖର ଧାବନ ମଧ୍ୟ ଆହତ ହେଇଥିଲେ । ତେବେ ତାଙ୍କ ଆଘାତ ସେତେଟା ଗୁରୁତର ନୁହେଁ ।
ବଡି ସ୍କାନ

ସଦ୍ୟତମ ରିପୋର୍ଟ ଅନୁସାରେ ଶଙ୍କରଙ୍କ ରିଷ୍ଟର ସ୍କାନ କରାଯାଇଛି। ମେଡିକାଲ ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ଓଭାଲଠାରେ ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଓ୍ବାର୍ମଅପ୍ ମ୍ୟାଚ୍ରେ ଖେଳିବେ କି ନାହିଁ କୁହାଯାଇପାରିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।
ନିକଟରେ କେଦାର ଯାଦବଙ୍କ କାନ୍ଧ ସମସ୍ୟାକୁ ଟିମ୍ ମ୍ୟାନେଜମେଣ୍ଟ ନଜରରେ ରଖିଥିବାବେଳେ ଯଦି ଶଙ୍କରଙ୍କ ଆହତ ସମସ୍ୟା ଗୁରୁତର ହୋଇଥାଏ, ତେବେ କୋହଲିଙ୍କ ଚିନ୍ତା ନିଶ୍ଚିତ ବୃଦ୍ଧି ପାଇବ। ଯାଦବ ପ୍ରଥମ ଓ୍ବାର୍ମଅପ୍ ମ୍ୟାଚ୍ ଖେଳିବେ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସେ ନେଟ୍ସରେ ବ୍ୟାଟିଂ କରିଥିଲେ।
ବିଜୟ ଶଙ୍କର ସମ୍ଭବତଃ ଭାରତୀୟ ଦଳର ୪ର୍ଥ କ୍ରମର ବ୍ୟାଟ୍ସମ୍ୟାନ। ଏଣୁ ତାଙ୍କ ଆହତ ସମସ୍ୟା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇ ଦେଇଛି।
ଭାରତୀୟ ବ୍ୟାଟିଂ ଲାଇନରେ ୪ନଂ ସ୍ଥାନକୁ ନେଇ ଅନେକ ଆଲୋଚନା ଚାଲିଛି। ଅମ୍ବତି ରାୟୁଡୁ ଓ ଋଷଭ ପନ୍ଥଙ୍କୁ ବିଶ୍ବକପ୍ ଦଳରେ ସ୍ଥାନ ନ ମିଳିବାରୁ ଏହି ଆଲୋଚନା ବହୁତ ବଢ଼ିଯାଇଛି। ଦଳରେ ସ୍ଥାନ ପାଇଥିବା ଦିନେଶ କାର୍ତ୍ତିକ ତାଙ୍କ ୧୪ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନରେ ସେପରି ଆଖିଦୃଶିଆ କିଛି କରିନାହାନ୍ତି। ଏହି ସ୍ଥାନ ପାଇଁ ୩ୟ ବିକଳ୍ପ ହେଲେ କେ.ଏଲ୍. ରାହୁଲ ଅଥବା ବିଜୟ ଶଙ୍କର । ତେବେ ଶଙ୍କରଙ୍କ କୌଣସି ଆନ୍ତର୍ଜାତୀୟ ଅଭିଜ୍ଞତା ନାହିଁ ।
ତେବେ ଦଳ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ଘୋଷଣା କରାଯାଇ ନାହିଁ । ସେହିପରି ୬ନଂରେ କେଦାର ଯାଦବ ଖେଳିପାରନ୍ତି। ତେବେ ବିଫଳ ଆଇପିଏଲ୍ ତାଙ୍କୁ ଚାପରେ ରଖିପାରେ।
ଭାରତୀୟ ଟିମ୍ ଇଂଲଣ୍ଡରେ ପହଞ୍ଚିବା ପରେ ଆସନ୍ତା ୨୫ ତାରିଖରେ ଓଭାଲ ଗ୍ରାଉଣ୍ଡରେ ଦଳ ନ୍ୟୁଜିଲାଣ୍ଡ ସହ ଅଭ୍ୟାସ ମ୍ୟାଚ ଖେଳିବ। ଏହା ପରେ ୨୮ ତାରିଖରେ ବାଂଲାଦେଶକୁ ଅନ୍ୟ ଏକ ଅଭ୍ୟାସ ମ୍ୟାଚରେ ଭେଟିବ। ଶେଷରେ ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ପ୍ରଥମ ମ୍ୟାଚ୍ ଖେଳିବ।