- ବେତାର ବ୍ୟୁରୋ
ବେତାର ଉତ୍ତର : ଖରାଦିନେ କାହିଁକି ପିଆଯାଏ ଆଖୁରସ

(ବେତାର ବ୍ୟୁରୋ) ଖରା ଦିନରେ ଅନେକ ବ୍ୟକ୍ତିଙ୍କୁ ଆଖୁରସ ପିଉଥିବାର ଦେଖିବାକୁ ମିଳିଥାଏ । କେବଳ ଓଡିଶା କାହିଁକି ସମଗ୍ର ଭାରତ ବର୍ଷର ଅନେକ ଗ୍ରୀଷ୍ମପ୍ରଧାନ ରାଜ୍ୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ । ସାଧାରଣତଃ ରାସ୍ତାଘାଟରେ ଅନେକ ଆଖୁ ରସ ଦୋକାନ କିମ୍ବା ଠେଲା ଦେଖିବାକୁ ମିଳିଥାଏ । ଆଖୁ ରସ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।
ତେବେ ଖାଲି ଯେ ଗ୍ରୀଷ୍ମ ଋତୁରେ ଆଖୁ ରସ ପିଇବା ଦରକାର, ତାହା ନୁହେଁ । ଆଖୁ ରସ ସମସ୍ତ ଋତୁରେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆଖୁ ରସ ଦୈନିକ ପିିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ପ୍ରକାରର ରୋଗ ମଧ୍ୟ ଦୂର ହୋଇଥାଏ । ଆସନ୍ତୁ ଜାଣିବା ଆଖୁ ରସ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ ।
ଜଳୀୟ ଅଂଶ ସ୍ଥିର ହୁଏ : ଆଖୁରସରେ ଭିଟାମିନ୍,କ୍ୟାଲସିୟମ୍, ଫସଫରସ୍, ଗ୍ଲୁକୋଜ୍ ଆଦି ପୋଷକତତ୍ତ୍ୱ ରହିଛି। ଖରାଦିନେ ଆଖୁସରରେ ଅଦାରସ, ଲେମ୍ବୁରସ ଏବଂ ବିଟ୍ ଲୁଣ ମିଶାଇ ପିଇଲେ ଏହା ପାଚନ ପ୍ରକ୍ରିୟାକୁ ସ୍ବାଭାବିକ କରେ। ଆଖୁରସରେ ଆଇରନ ଅଂଶ ଥିବାରୁ ଏହାକୁ ଖରାଦିନେ ପିଇଲେ ରକ୍ତହୀନତା ସମସ୍ୟା ଦୂର ହେବା ସହିତ ଶରୀରର ଜଳୀୟ ଅଂଶ ନିୟନ୍ତ୍ରିତ ହୋଇଥାଏ।
ଥକ୍କା ପଣ ଦୂର : ଆଖୁ ରସରେ ପ୍ରଚୁର ପରିମାଣର ପ୍ରୋଟିନ, ଆଇରନ, ପୋଟାସିୟମ ଆଦି ପୋଷକ ତତ୍ତ୍ୱ ରହିଥାଏ । ଶରୀରରେ ଶକ୍ତି ସୃଷ୍ଟିକାରୀ ସମସ୍ତ ଆବଶ୍ୟକ ତତ୍ତ୍ୱ ଏଥିରେ ଉପଯୁକ୍ତ ମାତ୍ରାରେ ରହିଥାଏ । ଏଣୁ ଗ୍ରୀଷ୍ମ ଋତୁରେ ହେଉଥିବା ଥକ୍କାପଣକୁ ଅଳ୍ପ ସମୟରେ ଠିକ୍ କରିଥାଏ ଆଖୁରସ ।
ହୃଦୟ ରୋଗ ଦୂର : ଆଖୁରସରେ ଥିବା ଜରୁରୀ ତତ୍ତ୍ଵ ଆମ ଶରୀରରେ କୋଲେଷ୍ଟେରୋଲ ହ୍ରାସ କରେଇବାରେ ସାହାଯ୍ୟ କରିଥାଏ । ଏହା ଫଳରେ ହୃଦୟ ରୋଗରୁ ରକ୍ଷା ମିଳିଥାଏ ଓ ଏହା ସହିତ ଓଜନ ମଧ୍ୟ କମିଥାଏ ।
ରୋଗପ୍ରତିଷେଧକ ଶକ୍ତି : ଆଖୁ ରସ ଶରୀରରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଟିକେ ପରିଶ୍ରମ କରିବା ଦ୍ୱାରା ନିଶ୍ୱାସ ନେବା କିମ୍ବା ଶରୀରରେ ଯନ୍ତ୍ରଣା ଆଦି ଅନୁଭବ ହେଉଥିଲେ ଆଖୁ ରସ ନିହାତି ପିଇବା ଦରକାର । ଏହା ଦ୍ୱାରା ଥକ୍କା ଶରୀରରେ ଶକ୍ତି ଫେରିଥାଏ ।
ତ୍ଵଚାରେ ଚମକ : ଆଖୁରସରେ ଥିବା ଆଲ୍ଫା ହାଇଡ୍ରୋକ୍ସି ଏସିଡ ତ୍ଵଚା ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ । ଏହି ଏସିଡ ତ୍ଵଚାରୁ ମୁଖବ୍ରଣ, ଦାଗ ଇତ୍ୟାଦି ଦୂରେଇ ତୋଫାପଣ ଆଣିବାରେ ସାହାଯ୍ୟ କରିଥାଏ ।
ଜଣ୍ଡିସ ଦୂର: ଆଖୁ ରସ ଜଣ୍ଡିସ ରୋଗୀଙ୍କ ପାଇଁ ବହୁ ଉପକାରୀ ହୋଇଥାଏ । ଏହାର ପାନ ଦ୍ୱାରା ଶରୀରର ଜଣ୍ଡିସ ଜୀବାଣୁର ପ୍ରଭାବ କମ ହେବାର ଦେଖା ଯାଇଥାଏ। ଏହା ଛଡ଼ା ଆଖୁ ରସ ଦ୍ୱାରା ଏସିଡ଼ିଟି କମ ହୋଇଥାଏ ।
ହଜମ ବୃଦ୍ଧି : ଆଖୁ ରସ ପେଟ ଜଳାଇବା ଏବଂ କାଟିବା କମ ହେବା ସହ ଶରୀରରେ ଚିନି ଏବଂ ଜଳୀୟ ଅଂଶର ପରିମାଣକୁ ନିୟନ୍ତ୍ରିତ ରଖିଥାଏ ଆଖୁ ରସ। ନିୟମିତ ଆଖୁରସ ପିଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଏହା ଶରୀରର ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ।