- ବେତାର ବ୍ୟୁରୋ
ଭିଡିଓ : ବିଜୟ ଶଙ୍କର ଫିଟ୍ ; କେଦାରଙ୍କ ଉପରେ ସସପେନ୍ସ ଜାରି

(ବେତାର ବ୍ୟୁରୋ) ଆଇସିସି ବିଶ୍ୱକପ୍ ଆରମ୍ଭ ହେବାର ଅଳ୍ପ କିଛିଦିନ ପୂର୍ବରୁ ଆହତ ହେଇଥିବା ଭାରତୀୟ ଦଳ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ବିସିସିଆଇ ଫିଟ୍ ବୋଲି ଘୋଷଣା କରିବା ସହିତ ତାଙ୍କୁ ମଙ୍ଗଳବାର ଖେଳା ଯାଉଥିବା ବଙ୍ଗଳାଦେଶ ବିପକ୍ଷ ମ୍ୟାଚରେ ସାମିଲ ମଧ୍ୟ କରିଛି ।
ତେବେ ବିଜୟଙ୍କ ସହିତ ଆହତ ହେଇଥିବା କେଦାର ଯାଦବଙ୍କ ଉପରେ କୌଣସି ନିଷ୍ପତ୍ତି ହେଇ ନାହିଁ । ତେଣୁ ତାଙ୍କୁ ମଙ୍ଗଳବାର ବଙ୍ଗଳାଦେଶ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳି ନ ଥିଲା ।
ଗତ ଶୁକ୍ରବାର ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବାବେଳେ ଶଙ୍କର ଏକ ପୁଲ ଶଟ୍ ଲଗାଇବାକୁ ଉଦ୍ୟମ କରିଥିଲେ । ହେଲେ ବଲ ତାଙ୍କ ରିଷ୍ଟରେ ବାଜିଥିଲା। ଯନ୍ତ୍ରଣା ହେବାର ତୁରନ୍ତ ପରେ ସେ ଆଉ ଅଭ୍ୟାସରେ ଅଂଶଗ୍ରହଣ କରି ନ ଥିଲେ । ଦଳୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଶଙ୍କରଙ୍କ ରିଷ୍ଟର ସ୍କାନ କରାଯାଇଥିଲା । ଏହାର ମେଡିକାଲ ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ବିଜୟଙ୍କୁ ବଙ୍ଗଳାଦେଶ ବିପକ୍ଷରେ ମଙ୍ଗଳବାର ଖେଳିବାକୁ ଅନୁମତି ମିଳିଥିଲା ।
ଏହାର ଏକ ଭିଡିଓ ମଧ୍ୟ ଦଳ ପକ୍ଷରୁ ସୋସିଆଲ ମିଡିଆରେ ଛଡା ଯାଇଛି ।
କେଦାରଙ୍କ କାନ୍ଧ
ଅଭ୍ୟାସ ସମୟରେ ଶିଖର ଧାବନ ମଧ୍ୟ ଆହତ ହେଇଥିଲେ । ତେବେ ତାଙ୍କ ଆଘାତ ସେତେଟା ଗୁରୁତର ନୁହେଁ ।ତେବେ କେଦାରଙ୍କ କାନ୍ଧରେ ହେଇଥିବା ଯନ୍ତ୍ରଣା ଏ ପର୍ଯ୍ୟନ୍ତ କମି ନ ଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଭାରତୀୟ ବ୍ୟାଟିଂ ଲାଇନରେ ୪ନଂ ସ୍ଥାନକୁ ନେଇ ଅନେକ ଆଲୋଚନା ଚାଲିଛି। ଅମ୍ବତି ରାୟୁଡୁ ଓ ଋଷଭ ପନ୍ଥଙ୍କୁ ବିଶ୍ବକପ୍ ଦଳରେ ସ୍ଥାନ ନ ମିଳିବାରୁ ଏହି ଆଲୋଚନା ବହୁତ ବଢ଼ିଯାଇଛି। ଦଳରେ ସ୍ଥାନ ପାଇଥିବା ଦିନେଶ କାର୍ତ୍ତିକ ତାଙ୍କ ୧୪ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନରେ ସେପରି ଆଖିଦୃଶିଆ କିଛି କରିନାହାନ୍ତି। ଏହି ସ୍ଥାନ ପାଇଁ ୩ୟ ବିକଳ୍ପ ହେଲେ କେ.ଏଲ୍. ରାହୁଲ ଅଥବା ବିଜୟ ଶଙ୍କର ।
ତେବେ ଦଳ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ଘୋଷଣା କରାଯାଇ ନାହିଁ । ସେହିପରି ୬ନଂରେ କେଦାର ଯାଦବ ଖେଳିପାରନ୍ତି। ତେବେ ବିଫଳ ଆଇପିଏଲ୍ ତାଙ୍କୁ ଚାପରେ ରଖିପାରେ।
ଭାରତୀୟ ଟିମ୍ ଇଂଲଣ୍ଡରେ ପହଞ୍ଚିବା ପରେ ୨୫ ତାରିଖରେ ଓଭାଲ ଗ୍ରାଉଣ୍ଡରେ ଦଳ ନ୍ୟୁଜିଲାଣ୍ଡ ସହ ଅଭ୍ୟାସ ମ୍ୟାଚରେ ହାରିଥିଲା । ଏହା ପରେ ୨୮ ତାରିଖରେ ବାଂଲାଦେଶ ସହିତ ମ୍ୟାଚ ଅନୁଷ୍ଠିତ ହେଇଛି । ଜୁନ ୫ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ପ୍ରଥମ ମ୍ୟାଚ୍ ଖେଳିବ।