• ବେତାର ବ୍ୟୁରୋ

କେଜିଏଫ 2ରେ ରବିନା ଟଣ୍ଡନ ହେବେ ଇନ୍ଦିରା ଗାନ୍ଧୀ!


(ବେତାର ବ୍ୟୁରୋ) ସାଉଥ ସୁପରଷ୍ଟାର ୟଶଙ୍କ ଆଗାମୀ କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ୍‍ ଚ୍ୟାପ୍ଟର-୨’ରେ ବଲିଉଡ଼ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଦେଖିବାକୁ ମିଳିବ। ମିଳିଥିବା ସୂଚନା ଅନୁସାରେ, ଚଳଚ୍ଚିତ୍ରରେ ରବୀନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରରେ ରବୀନାଙ୍କ ଭୂମିକା ଖୁବ୍‍ ଗୁରୁତ୍ୱ ବହନ କରିଛି।

ସୂଚନା ଯୋଗ୍ୟ ଯେ କେଜିଏଫ୍‍ ଚ୍ୟାପ୍ଟର-୨’ର ଶୁଟିଂ ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇସାରିଛି। ଚଳଚ୍ଚିତ୍ରର ପ୍ରଥମ ଭାଗ ଅପେକ୍ଷା ଦ୍ୱିତୀୟ ଭାଗରେ ସବୁକିଛି ଅଧିକ ଉନ୍ନତ ଓ ବଡ଼ ଧରଣର ହେବ। ଏହି ବଡ଼ ବଜେଟ ଚଳଚ୍ଚିତ୍ରକୁ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଉଛନ୍ତି।

ସଞ୍ଜୟ ଦତ୍ତ

କେଜିଏଫର ଦ୍ଵିତୀୟ ଭାଗରେ ରବିନା ଟଣ୍ଡନଙ୍କ ବ୍ୟତୀତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନ ଏହି ଫିଲ୍ମରେ ଅଭିନୟ କରିବା ଦ୍ଵାରା ବଲିଉଡ ଦର୍ଶକ ଏହି ଫିଲ୍ମ ପ୍ରତି ବେଶ ଆକର୍ଷିତ ହେବେ। ଖୁବ ଶୀଘ୍ର ସଞ୍ଜୟ ଦତ୍ତ ଫିଲ୍ମର ସୁଟିଙ୍ଗରେ ଯୋଗ ଦେବେ। ତେବେ ଫିଲ୍ମର ସୁଟିଙ୍ଗ ସଠିକ ସମୟ ଅନୁସାରେ ସରିଲେ ଏହାର ଦ୍ଵିତୀୟ ଭାଗକୁ ଚଳିତ ବର୍ଷ ଡିସେମ୍ବର ମାସରେ ରିଲିଜ କରାଯିବାର ଯୋଜନା ରହିଛି ।

ସାଉଥ ସୁପରଷ୍ଟାର ୟଶଙ୍କ ଅଭିନୀତ ଫିଲ୍ମ “କେଜିଏଫ” ଗତବର୍ଷ ଡିସେମ୍ବର ମାସରେ ରିଲିଜ ହୋଇଥିଲା। ଦର୍ଶକମାନେ ଏହାକୁ ଖୁବ ପସନ୍ଦ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଖୁବ ସଫଳତା ପାଇବା ସହିତ ଅନେକ ନୂଆ ନୂଆ ରେକର୍ଡ ମଧ୍ୟ କରିଥିଲା। ଏହି ଫିଲ୍ମର ଦ୍ଵିତୀୟ ଭାଗକୁ ଆଗ୍ରହର ସହିତ ଅପେକ୍ଷା କରିଥିବା ଦର୍ଶକଙ୍କ ଖୁସି ଖବର ରହିଛି। ଫିଲ୍ମର ଦ୍ଵିତୀୟ ଭାଗର ସୁଟିଙ୍ଗ ଆରମ୍ଭ ହୋଇସାରିଛି।

ଫିଲ୍ମର ସୁଟିଙ୍ଗ ଆରମ୍ଭ ବିଷୟରେ ଅଭିନେତା ୟଶ ଟ୍ଵିଟ କରି ଏକ ପୋଷ୍ଟରେ ଲେଖିଥିଲେ , “ଏହା ଆରମ୍ଭ ହୋଇଗଲା। କେଜିଏଫର ପ୍ରଥମ ଭାଗକୁ ଆପଣଙ୍କ ଠାରୁ ଏତେ ଭଲ ପାଇବା ମିଳିବା ପରେ, କେଜିଏଫର ଦ୍ଵିତୀୟ ଭାଗ ଡବଲ ଧମାକା କରିବା ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ ସବୁଥର ପରି ଆପଣଙ୍କ ଭଲ ପାଇବା ଓ ଆଶୀର୍ବାଦ ଆବଶ୍ୟକ।“

ଲମ୍ବା କାହାଣୀ

କେଜିଏଫ’ର ପ୍ରଥମ ଭାଗକୁ ଅନେକ ସଫଳତା ମିଳିବା ପରେ ଏହାର ଦ୍ଵିତୀୟ ଭାଗକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍କଣ୍ଠା ରହିଛି। ନିକଟରେ ୟଶ ଦେଇଥିବା ଏକ ସାକ୍ଷାତକାରରେ ଫିଲ୍ମର କାହାଣୀକୁ ନେଇ କହିଥିଲେ ଯେ, “ପ୍ରଥମ ଭାଗ ଅପେକ୍ଷା ଦ୍ଵିତୀୟ ଭାଗର କାହାଣୀ ବହୁତ ଭଲ ଓ ଅଧିକ ଲମ୍ବା ରହିବ।“

ଏହି ଫିଲ୍ମର କାହାଣୀ 70ଦଶକର କାର୍ଯ୍ୟକଳା ଉପରେ ଆଧାରିତ। ଏହି କନ୍ନଡ଼ ଫିଲ୍ମର ପ୍ରଥମ ଭାଗକୁ ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟଲମ ଭାଷାରେ ମଧ୍ୟ ରିଲିଜ କରା ଯାଇଥିଲା। ସମଗ୍ର ଭାରତରେ 2460ଟି ସ୍କ୍ରିନରେ ରିଲିଜ ହୋଇଥିବା ଏହି ଫିଲ୍ମଟି ବକ୍ସଅଫିସରେ 240କୋଟି ଟଙ୍କାରୁ ଅଧିକ ରୋଜଗାର କରିସାରିଛି। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଥମ ଭାଗରେ ୟଶଙ୍କ ବ୍ୟତୀତ ଶ୍ରୀନିଧି ଶେଟ୍ଟୀ, ରମ୍ୟା କୃଷ୍ଣନ ଓ ବାହୁବଳୀରେ ଅଭିନୟ କରିଥିବା ନସାର ଅଭିନୟ କରିଥିଲେ।

#entertainment #bollywood #kgf2

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon