• ବେତାର ବ୍ୟୁରୋ

ନବୀନଙ୍କ ଶପଥ ଗ୍ରହଣ ଉତ୍ସବ : ଅତିଥିଙ୍କୁ ମିଳିବ ଲସି, ବିସ୍କୁଟ ଓ ପାଣି ବୋତଲ


(ବେତାର ବ୍ୟୁରୋ) ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସଜେଇ ହେଇସାରିଛି ପ୍ରଦର୍ଶନୀ ପଡିଆ । ତେବେ ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା । ମଇଦାନ ପ୍ରସ୍ତୁତି, ଷ୍ଟେଜ ତିଆରି, ଲାଇଟ , କ୍ୟାମେରା, ସାଉଣ୍ଡ-- କାହାରିକୁ ଫୁରସତ୍ ନ ଥିବା ପରି କାର୍ଯ୍ୟ ଚାଲିଥିଲା । 

ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଦର୍ଶନୀ ପଡିଆରେ ମୋଟ୍ ୩ଟି ବିରାଟକାୟ ତମ୍ବୁ ସ୍ଥାପନ କରାଯାଇଛି । ଗୋଟିକରେ  ମୁଖ୍ୟ ଷ୍ଟେଜ୍ କରାଯାଇଛି, ଯେଉଁଠି ଶପଥ ନେବେ ନବୀନ ଆଣ୍ଡ କୋ । ଅନ୍ୟ ଦୁଇଟି ବିରାଟକାୟ ତମ୍ବୁରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯେପରି ଆରାମରେ ବସି ଶପଥ ଗ୍ରହଣ ଉତ୍ସବ ସିଧାସଳଖ ଦେଖିପାରିବେ ସେଥିପାଇଁ ଲାଗିଛି ବିରାଟ ଏଲଇଡି ।  ଏହି ଉତ୍ସବରେ ଆନୁମାନିକ ସାତ ହଜାର ଲୋକଙ୍କ ଉପସ୍ଥିତିରେ ନବୀନ ଶପଥ ନେବେ ବୋଲି ସୂଚନା ମିଳିଛି ।

ନବୀନ ପଟ୍ଟନାୟକଙ୍କ ସମେତ କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଶାଇ 21 ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେବେ ।

ଯେଉଁ ଷ୍ଟେଜରେ ନବୀନ ପଟ୍ଟନାୟକ ଶପଥ ନେବେ ସେଠାରେ ଅତିଥି ମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଦିନ 10 ଟା ପରେ ପ୍ରବଳ ଖରା ହେଉଥିବାରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ଲସି, ଏହା ସହିତ ଗୋଟିଏ ବିସ୍କୁଟ ପ୍ୟାକେଟ ଓ ଏକ ପାଣି ବୋତଲ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସମଗ୍ର ତମ୍ବୁ ଅଞ୍ଚଳକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି ।

ପ୍ରଥମଥର ଶପଥଗ୍ରହଣ ଉତ୍ସବ ରାଜଭବନ ବାହାରେ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ରାଜ୍ୟ ତଥା ବାହାରୁ ୫ହଜାରରୁ ଊର୍ଦ୍ଧ୍ୱ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବହୁ ଶିଳ୍ପପତି, କଳାକାର ତଥା ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦେବେ। ଓଡିଶାର ସମସ୍ତ ରାଜନୈତିକ ଦଳ ମୁଖ୍ୟ ସମେତ, ବିଧାୟକ ଏବଂ ସାଂସଦଙ୍କୁ ଡକାଯାଇଛି । ଶିକ୍ଷକ, କୃଷକ, ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଡକାଯାଇଛି ।

ଶପଥ ଗ୍ରହଣ ଉତ୍ସବରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଉତ୍ସବକୁ କେବଳ ପାସ୍‌ଧାରୀ ବ୍ୟକ୍ତି ଯାଇପାରିବେ। ସେମାନେ ପାସ୍‌ ଦେଖାଇବା ପରେ ଯାଞ୍ଚ କରାଯାଇ ପଡିଆ ଭିତରକୁ ପ୍ରବେଶ ପାଇଁ ସୁଯୋଗ ଦିଆଯିବ।

#naveenpattanayak #OdishaGovt #Odisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon