• ବେତାର ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ହେଲେ ଓଡିଶାର 'ମୋଦୀ', ଧର୍ମେନ୍ଦ୍ର


(ବେତାର ବ୍ୟୁରୋ) କେନ୍ଦ୍ରରେ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ତାଙ୍କ ସହିତ 58 ଜଣ ମନ୍ତ୍ରୀ ମଧ୍ୟ ନିଯୁକ୍ତ ହେଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ  25 ଜଣ କ୍ୟାବିନେଟ ପାହ୍ୟା ପାଇଥିବା ବେଳେ 33 ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି ।

ତେବେ ଓଡିଶାରୁ ଏଥର 2014 ତୁଳନାରେ ଅଧିକ ସଂଖ୍ୟକ ସାଂସଦ ନିର୍ବାଚିତ ହେଇଥିବାରୁ ଏଥର ରାଜ୍ୟରୁ କିଏ କିଏ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ତାହା ଉପରେ ସମସ୍ତ ନଜର ଥିଲା । ଗୁରୁବାର ସନ୍ଧ୍ୟାରେ ଏହି ଉତ୍ସୁକତାର ପରିସମାପ୍ତି ଘଟିଛି ।

ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମନ୍ତ୍ରୀ ହିସାବରେ ଶପଥ ଗ୍ରହଣ କରିଛନ୍ତି ।ଏଥର ବିଜେପିର ଜାତୀୟ ଅଧ୍ୟକ୍ଷ ଅମିତ ଶାହ ମନ୍ତ୍ରୀ ହିସାବରେ ଶପଥ ଗ୍ରହଣ କରୁଥିବାରୁ ଧର୍ମେନ୍ଦ୍ର ବିଜେପିର ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଚାଲିଥିଲା ।ଏହା ସହିତ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । 

ତେବେ ଗୁରୁବାର ଅପରାହ୍ନରେ ଧମ୍ରେନ୍ଦ୍ର ପ୍ରଧାନଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାପରେ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ହିସାବରେ ଶପଥ ଗ୍ରହଣ କରିଥିଲେ ।

ମୋଦୀଙ୍କ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ ସମୟରେ ଧର୍ମେନ୍ଦ୍ର ଗୁରୁତ୍ତ୍ୱପୂର୍ଣ୍ଣ ପଦବୀରେ ଥିଲେ । ସେ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ହିସାବରେ ନିଯୁକ୍ତ ହେଇଥିଲେ ମଧ୍ୟ ପରେ ତାଙ୍କୁ ମନ୍ତ୍ରୀମଣ୍ଡଳ ଅଦଳବଦଳରେ କ୍ୟାବିନେଟ ପାହ୍ୟା ପଦବୀ ମିଳିଥିଲା ।

ସେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବେ ମାଗଣା ଗ୍ୟାସ କନେକ୍ସନ ଯୋଜନା “ଉଜ୍ଜଳା’କୁ ସଫଳତାର ସହିତ ସମଗ୍ର ଦେଶରେ ପରିଚାଳନା କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରି କହିଥିଲେ । ପରେ ତାଙ୍କୁ ଦକ୍ଷତା ବିକାଶ ମନ୍ତ୍ରୀ ହିସାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା ।

ଓଡିଶାର 'ମୋଦୀ' ମନ୍ତ୍ରୀ ହେଲେ

ଚଳିତ ଥର ଓଡିଶା ବିଜେପିର 'ମୋଦୀ' ବୋଲି କୁହାଯାଉଥିବା ବାଲେଶ୍ଵର ସାଂସଦ ପ୍ରତାପ ଷଢଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ ଆସିଛି ବୋଲି କିଛି ଗଣମାଧ୍ୟମ କହିଥିଲେ । ଗୁରୁବାର ସନ୍ଧ୍ୟାରେ ତାଙ୍କୁ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳି ଥିଲା ।

ସରଳ ଜୀବନ ବ୍ୟତୀତ କରୁଥିବା ପ୍ରତାପ ଷଡ଼ଙ୍ଗୀ ଅବିବାହିତ । ଗତ ବର୍ଷ ତାଙ୍କ ମା’ ଇହଧାମ ତ୍ୟାଗ କରିଛନ୍ତି । ଜଣେ ପୁରୁଖା ନେତା ହେବା ସହ ରାଜ୍ୟ ରାଜନୀତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲେ ମଧ୍ୟ ଏକ ଛୋଟ ଘରେ ଅତି ନିରାଡ଼ମ୍ବର ଜୀବନ ଯାଜନ କରନ୍ତି ପ୍ରତାପ । ଲୋକଙ୍କ ସେବା କରିବା ତାଙ୍କ ନିଶା ।

ପୂର୍ବରୁ ବିଧାନସଭାକୁ ୨ ଥର ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ, ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଏବେ ଜାତୀୟ ଗଣମାଧ୍ୟମରେ ପ୍ରତାପ ଷଡଙ୍ଗୀଙ୍କ କାହାଣୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ପ୍ରତିପକ୍ଷ କୋଟିପତି ପ୍ରାର୍ଥୀଙ୍କୁ ହରାଇଥିବା ଏହି ନେତାଙ୍କୁ ଜାତୀୟ ଗଣମାଧ୍ୟମରେ ଖୁବ୍ ପ୍ରଶଂସା କରିଛନ୍ତି । ମାଟି ଘରେ ରହୁଥିବା, ସାଇକେଲ ଚଢୁଥିବା ଏବଂ ଗାମୁଛା ପିନ୍ଧି ନଳକୁଅରେ ଗାଧୋଉଥିବା ଚିତ୍ର ଏବେ ସୋସିଆଲ ମିଡ଼ିଆରେ ବି ଘୁରି ବୁଲୁଛି ।

ଏମାନଙ୍କୁ ମିଳିଲାନି

ଅନେକ ଭାବୁଥିଲେ ବୈଜୟନ୍ତ ପଣ୍ଡା କେନ୍ଦ୍ରପଡାରୁ ଲୋକସଭାରେ ହାରିବା ପରେ ରାଜ୍ୟସଭାରୁ ସାଂସଦ ହେଇ କେନ୍ଦ୍ରରେ ମନ୍ତ୍ରୀ ହେଇ ପାରନ୍ତି । ସେ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କ ନାମ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ନାହିଁ । 

ସେହିପରି ଅପରାଜିତା ଷଢଙ୍ଗୀଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀ କରାହେବ ବୋଲି ଅନେକ ଅଟକଳ ଲାଗୁଥିଲେ ମଧ୍ୟ ଏହା ହେଇ ନ ଥିଲା । 

ସମ୍ବିଧାନର ନିୟମ ଅନୁଯାୟୀ କେନ୍ଦ୍ରରେ ସର୍ବାଧିକ 81 ଜଣ ମନ୍ତ୍ରୀ  ରହିପାରିବେ ।  

#Modi #ModiCabinet #centralgovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon