• ବେତାର ବ୍ୟୁରୋ

ବେକାରି ରିପୋର୍ଟ : ଦେଶରେ ପ୍ରତି ଶହେ ଯୁବକଙ୍କ ମଧ୍ୟରୁ 6 ଜଣ ବେରୋଜଗାର


(ବେତାର ବ୍ୟୁରୋ) ଭାରତରେ ବେକାରି ସମସ୍ୟା ନବନିର୍ବାଚିତ ମୋଦୀ ସରକାର ପାଇଁ ଚିନ୍ତାର କାରଣ ହେଇପାରେ । ନିକଟରେ ନାସନାଲ ଷ୍ଟାଟିଷ୍ଟିକାଲ ଅର୍ଗାନାଇଜେସନ (NSO) ପକ୍ଷରୁ ପ୍ରକାଶିତ ହେଇଥିବା ତଥ୍ୟ ମୁତାବକ 2017-18 ଆର୍ଥିକ ବର୍ଷରେ ଦେଶର ସମୁଦାୟ କର୍ମଜୀବିଙ୍କ ମଧ୍ୟରୁ ବେକାରି ପରିଶତ 6.1% ଥିଲା ।

ଅର୍ଥାତ ଦେଶରେ ଚାକିରି ପାଇଁ ଯୋଗ୍ୟ ପ୍ରତି 100 ଯୁବକଙ୍କ ମଧ୍ୟରୁ 6.1 ଜଣ ବେକାର । ତେବେ ସହରାଞ୍ଚଳରେ ଏହାର ମାତ୍ରା ଅଧିକ ଥିବାବେଳେ ଗ୍ରାମାଞ୍ଚଳରେ ବେକାରି ସମସ୍ୟା ଅପେକ୍ଷାକୃତ କମ ।

ସହରରେ ଚାକିରି ପାଇଁ ଯୋଗ୍ୟ ଯୁବକଙ୍କ ମଧ୍ୟରୁ 7.8 ଜଣ ବେକାର ଥିବାବେଳେ ଗ୍ରାମାଞ୍ଚଳରେ ଏହାର ପରିମାଣ 5.3 ।

ସେହିପରି ପ୍ରତି 100 ପୁରୁଷଙ୍କ ମଧ୍ୟରୁ 6.2ଜଣ ବେକାର ଥିବା ବେଳେ ମହିଳାଙ୍କ ମଧ୍ୟରେ ବେକାରି ପରିମାଣ 5.7 ପ୍ରତିଶତ ।

2017-18 ବାର୍ଷିକ ରିପୋର୍ଟ ବ୍ୟତୀତ ତ୍ରୈମାସିକ ବେକାରି ରିପୋର୍ଟରେ ମଧ୍ୟ ବେକାରି ସମସ୍ୟା ବଢିବାର ଦେଖାଦେଇଛି । ଅକ୍ଟୋବର-ଡିସେମ୍ବର 2018 ତ୍ରୈମାସିକରେ ବେକାରି ପରିମାଣ 9.7 ପ୍ରତିଶତ ଥିଲା , ଯାହା ଜୁନ-ଅଗଷ୍ଟ ତ୍ରୈମାସିକ ତୁଳନାରେ ସାମାନ୍ୟ ଅଧିକ ।

ଏହି ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଥିଲା ଯେ 2017-18 ଆର୍ଥିକ ବର୍ଷରେ ଭାରତର ଗ୍ରାମାଞ୍ଚଳରେ ସହରାଞ୍ଚଳ ଅପେକ୍ଷା ଅଧିକ ଆତ୍ମନିର୍ଭରଶୀଳ ବ୍ୟକ୍ତି ଥିଲେ । NSO ଅନୁଷ୍ଠାନର ତଥ୍ୟ ଅନୁସାରେ 2017-18 ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ 57% ବ୍ୟକ୍ତି ନିଜେ ରୋଜଗାର କରୁଥିଲେ ଓ ସେହି ସମୟରେ ସହରାଞ୍ଚଳରେ ପ୍ରାୟ 34% ବ୍ୟକ୍ତି ଆତ୍ମନିର୍ଭରଶୀଳ ଥିଲେ ।

ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଏହି ତାରତମ୍ୟ ଦର୍ଶାଉଛି ଯେ ସହରାଞ୍ଚଳରେ ଚାକିରି ପାଇଁ ଅଧିକ ସୁଯୋଗ ରହୁଛି, ଯେତେବେଳେ କି ଗ୍ରାମାଞ୍ଚଳରେ ସ୍ଵରୋଜଗାରର ସାଧନ ଅଧିକ ରହିଛି ।

ଦୋକାନୀଙ୍କ ପାଇଁ ପେନସନ

ଗ୍ରାମାଞ୍ଚଳରେ ଆତ୍ମନିର୍ଭରଶୀଳ ଯୁବକଙ୍କ ମଧ୍ୟରୁ ଅଧିକାଂଶ ଚାଷ କାର୍ଯ୍ୟ କରୁଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ଛୋଟ ମୋଟ ଦୋକାନ ଦେଇ ଗୁଜୁରାଣ ମେଣ୍ଟାଇ ଥାନ୍ତି । ସେହିପରି ସହରରେ ମଧ୍ୟ ବିଜର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପରିମାଣ ଅଧିକ ।

ଚାଷୀଙ୍କ ପାଇଁ ପେନସନ ସ୍କିମ ଲାଗୁ କରିବା ପରେ ମୋଦୀ ସରକାର ଏହି ବର୍ଗଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରୀୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଛୋଟ ଦୋକାନୀ ଓ ବ୍ୟବସାୟୀ (ଯେଉଁ ମାନଙ୍କ ବାର୍ଷିକ ଜିଏସଟି ତଥ୍ୟ ଅନୁସାରେ ବ୍ୟବସାୟର ପରିମାଣ ଦେଢ କୋଟି ଟଙ୍କାରୁ କମ) ସେମାନେ ସମସ୍ତେ ଏହି ପେନସନ ସ୍କିମ ପାଇଁ ଯୋଗ୍ୟ ।

ସରକାର ଘୋଷଣା କରିଛନ୍ତି ଏହି ସ୍କିମରେ ବ୍ୟକ୍ତି ଯେତେ ଟଙ୍କା ମାସିକ ଜମା ରଖିବେ , ସେତିକି ଟଙ୍କା ସରକାର ମଧ୍ୟ ତାଙ୍କ ତରଫରୁ ଜମା ରଖିବେ। ଅର୍ଥାତ କୌଣସି ବ୍ୟବସାୟୀ ବା ସ୍ଵରୋଜଗାର କରୁଥିବା 18 ରୁ 40 ବର୍ଷୀୟ ବ୍ୟକ୍ତି ଏହି ସ୍କିମ ଅଧୀନରେ ମାସିକ 500 ଟଙ୍କା ଜମା କରନ୍ତି , ତେବେ ତାଙ୍କ ଆକାଉଣ୍ଟରେ ସରକାରଙ୍କ ତରଫରୁ ଆଉ 500 ଟଙ୍କା ମିଶାଇ ମାସିକ 1000 ଟଙ୍କା ଜମା ହେବ । ଏହି ଟଙ୍କା ଓ ଏହାର ସୁଧ ବ୍ୟକ୍ତିଙ୍କୁ 60 ବର୍ଷ ହେବା ପରେ ପେନସନ ଅକାରରେ ପ୍ରଦାନ କରାଯିବ ।

ତେବେ ସର୍ବନିମ୍ନ ପେନସନ ପରିମାଣ ମାସିକ ଟ. 3000 ହେବ ବୋଲି ଘୋଷଣା କରାଯାଇଛି ।

#governmentjobs #JOB #ModiCabinet #Modi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon