- ବେତାର ବ୍ୟୁରୋ
ଭିଡିଓ : ରଜରେ ପପୁ ପମପମଙ୍କ ନିର୍ଦ୍ଦେଶିତ “ଚିରକୁଟ’ ; ପ୍ରଥମ ଶୋ’ ମାଗଣା

(ବେତାର ବ୍ୟୁରୋ) ବିଭିନ୍ନ ବିବାଦରେ ଛନ୍ଦି ହେଇପଡିଥିବା ତଥା ଅସୁସ୍ଥ ଥିବା ହାସ୍ୟ ଅଭିନେତା ପପୁ ପମପମ କିଛି ଦିନ ଧରି ନଜର ଆସୁ ନ ଥିଲେ । ତେବେ ଏଇ ରଜରେ ତାଙ୍କର ଏକ ବଡ ପ୍ରୋଜେକ୍ଟ ଫିଲ୍ମ “ଚିରକୁଟ”କୁ ନେଇ ପୁଣି ସେ ସମସ୍ତଙ୍କ ନେଇ ସାମନାକୁ ଆସୁଛନ୍ତି ।
କମେଡିଆନ ଭାବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପପୁ ଏହି ଫିଲ୍ମରୁ ବଡ଼ ପରଦା ପାଇଁ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରୁଛନ୍ତି। ତା’ ସହ ଉକ୍ତ ସିନେମାରେ ସଂଯୋଜିତ ତଥା ସୁରେଶ ପଣ୍ଡା, ଦୀପକ ଜେନା ଏବଂ ସୁମିତଙ୍କ ରଚିତ ଗୀତଗୁଡ଼ିକୁ ମଧ୍ୟ ସ୍ବର ଦେଇଛନ୍ତି ପପୁ।
ଏଇ ଫିଲ୍ମର କାହାଣୀ ଏକ ବସ୍ତି ବାସିନ୍ଦାଙ୍କ ପ୍ରେମ କାହାଣୀକୁ ନେଇ ପର୍ଯ୍ୟବେସିତ। ପ୍ରେମ ଏପରି ଏକ ନିଶା ଯାହା ଥରେ ଘାରିଲେ ସହଜରେ ଛାଡ଼ି ନ ଥାଏ। ଆଉ ସେଥିରୁ ଜଣେ ବସ୍ତି ପିଲା ବାଦ୍ ପଡ଼ିବ କିପରି ? ସେହି ଭଲ ପାଇବା ଭିତରେ ତାହାର ଅଭାବ, ଅସୁବିଧା, ସଂଘର୍ଷ ପ୍ରତିଫଳିତ ହୋଇଛି।
କେବଳ ସେତିକି ନୁହେଁ, ଏଥିରେ ଇମୋଶନ, କମେଡି ଏବଂ ଆକ୍ସନର ଝଲକ୍ ମଧ୍ୟ ଦେଖିବାକୁ ମିଳିବ। ଏକ ଭିନ୍ନଧରଣର ପ୍ରେମ କାହାଣୀକୁ ନେଇ ନିିର୍ମିତ ହୋଇଛି ନୂଆ ଓଡ଼ିିଆ ସିନେମା ‘ଚିରକୁଟ୍’।
ପ୍ରଥମ ଶୋ’ ମାଗଣା
ଅକ୍ଷୟ ପରିଜା ପ୍ରଡକ୍ସନ ବ୍ୟାନରରେ ଚିତ୍ରଟିର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ଅନ୍ୟତମ ଆଗଧାଡିର ପ୍ରଯୋଜକ ଅକ୍ଷୟ କୁମାର ପରିଜା । ଏହି ଫିଲ୍ମର ପ୍ରଥମ ଶୋ’କୁ ସାରା ଓଡ଼ିଶାରେ ମାଗଣାରେ ଦେଖିହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଫିଲ୍ମରେ ଅଭିନୟ କରୁଥିବା ଅଧିକାଂଶ କଳାକାର ନୂଆ। ବିଶେଷଭାବରେ ନବାଗତ ଅରୋଜିତ ଏବଂ ଅନନ୍ୟାଙ୍କୁ ଏଥିରେ ଲିଡ୍ ରୋଲ୍ରେ ବ୍ରେକ୍ ମିଳିଛି। ଅନ୍ୟପକ୍ଷରେ ଆଗଧାଡିର ଅପେରା ନିର୍ଦ୍ଦେଶକ ବିନୋଦ ରାଉତ, ମଞ୍ଚ ଅଭିନେତା କୃପାସିନ୍ଧୁ ନାୟକ, ସଂସ୍କୃତି, ଦୀପକ ତ୍ରିପାଠୀ, ହର୍ଷିତା, ଅରବିନ୍ଦ ଜେନା, ସିଦ୍ଧାର୍ଥ, ସୋନୁ, ଆୟୁଷୀ ଏବଂ ମୁକେଶ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।
ଜଣେ ସାଧାରଣ ଯୁବକର ପ୍ରେମ କାହାଣୀ ହୋଇଥିଲେ ବି ଏଥିରେ ମନୋରଂଜନର ଭରପୂର ମସଲା ରହିଛି।