- ବେତାର ବ୍ୟୁରୋ
ସରିଲା IAS 2019 ପ୍ରିଲିମ ପରୀକ୍ଷା; ବଢିପାରେ କଟ୍-ଅଫ ମାର୍କ

(ବେତାର ବ୍ୟୁରୋ) ସାରା ଦେଶରେ ଏକ ମର୍ଯ୍ୟାଦାଜନକ ପରୀକ୍ଷା ଭାବେ ପରିଚିତ IAS, IPS ପଦବୀ ନିମନ୍ତେ ଅନୁଷ୍ଠିତ UPSC ସିଭିଲ ସର୍ଭିସେସ ପରୀକ୍ଷାର ପ୍ରଥମ ସୋପାନ ଅର୍ଥାତ ପ୍ରିଲିମ ପରୀକ୍ଷା, ରବିବାର ଦେଶର 73ଟି ସ୍ଥାନରେ ଅନୁଷ୍ଠିତ ହେଇ ସାରିଛି । ପରୀକ୍ଷା ଦେଇ ଫେରିଥିବା ବିଭିନ୍ନ ପରୀକ୍ଷାର୍ଥୀଙ୍କ ମନ୍ତବ୍ୟକୁ ଆଧାର କରି ଅନେକ ଜାତୀୟ ଖବର ସଂସ୍ଥା ଲେଖିଛନ୍ତି ଯେ ଚଳିତ ବର୍ଷ କଟ୍ ଅଫ ମାର୍କ ବଢିପାରେ, ଏପରିକି ଏହା 100 ପର୍ଯ୍ୟନ୍ତ ଯାଇପାରେ ।
ଏହା ପଛରେ ଯୁକ୍ତି ଅଛି ଯେ, ପରୀକ୍ଷାର ପ୍ରଶ୍ନପତ୍ର ଅତି ସହଜିଆ ନ ହେଲେ ବି ଅତି କଷ୍ଟ ମଧ୍ୟ ନ ଥିଲା । ଅର୍ଥାତ ପଶ୍ନପତ୍ରର କଠିନତା ମଧ୍ୟମ ଧରଣର ଥିଲା, ଯାହାକି ବିଗତ ଦୁଇ-ତିନି ବର୍ଷ ଧରି ପ୍ରସ୍ତୁତ ହେଉଥିବା ତଥା ପ୍ରଥମ ଥର ପାଇଁ ନିଷ୍ଠାର ସହିତ ପରିଶ୍ରମ କରିଥିବା ପ୍ରାର୍ଥୀଙ୍କ ନିମନ୍ତେ ବିଶେଷ କଷ୍ଟ ନ ଥିଲା ।
ଏଣୁ ଯଦି ଅଧିକ ସଂଖ୍ୟକ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, ତେବେ କଟ୍ ଅଫ ମାର୍କ ବଢିବାର ସମ୍ଭାବନା ଅଧିକ ।
ଚଳିତ ବର୍ଷ ସିଭିଲ ସର୍ଭିସ ପିରଲିମ ପାଇଁ ସମଗ୍ର ଦେଶରୁ ପ୍ରାୟ 10 ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ । ଏହାର ପରିକ୍ଷାଫଳ ଜୁଲାଇ ମାସରେ ବାହାରିବ ବୋଲି ଆଶା କରାଯାଉଛି ।
ନୂଆ ପଦ୍ଧତି
ଚଳିତ ବର୍ଷ ପ୍ରିଲିମ ପରୀକ୍ଷା ରେ ଦ୍ଵିତୀୟ ପେପରରେ ସାମାନ୍ୟ ପରିବର୍ତ୍ତନ ହେଇଥିଲା , ଯାହାକି ପ୍ରଥମ ଥର ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ସହଜ ଲାଗିଲା ବେଳେ, ପୁରୁଖା ପରୀକ୍ଷାର୍ଥୀଙ୍କୁ ନୂଆ ଲାଗିଥିଲା ।
ପ୍ରିଲିମ ପରୀକ୍ଷାରେ ଦୁଇଟି ପେପରରେ ପରୀକ୍ଷା ହେଇଥାଏ ଓ ଉଭୟ ଅବଜେକ୍ଟିଭ ଟାଇପ୍ ର। ପ୍ରଥମ ପେପରରେ ସାଧାରଣ ଜ୍ଞାନ, GK, କରେଣ୍ଟ ଅଫେୟାର୍ସ ଇତ୍ୟାଦି ରହୁଥିବା ବେଳେ ଦ୍ଵିତୀୟ ପେପରକୁ CSAT କୁହାଯାଇଥାଏ, ଯାହାର ପ୍ରଶ୍ନପତ୍ର ବ୍ୟଙ୍କିଙ୍ଗ, MBA ପରୀକ୍ଷା ଭଳି ହେଇଥାଏ ।
ଉଭୟ ପରୀକ୍ଷାର ମୋଟ ମାର୍କ 200 ନମ୍ବର ବିଶିଷ୍ଟ (ସମୁଦାୟ 400 ନମ୍ବର) ହେଇଥିବା ବେଳେ ଦ୍ଵିତୀୟ ପେପର ବା CSAT ର ମାର୍କକୁ ମେନ ପରୀକ୍ଷାରେ ମିଶା ଯାଇ ନ ଥାଏ । ତେବେ ଏଥିରେ ଅତି କମରେ 33% ନ ରଖିଲେ ଜଣେ ପ୍ରାର୍ଥୀ ପ୍ରିଲିମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇ ପାରିବନି ।