- ବେତାର ବ୍ୟୁରୋ
ରହସ୍ୟ ଘେରରେ ଏୟାରଫୋର୍ସର AN-32 ବିମାନ; ଚୀନ-ସୀମାରେ ନିଖୋଜ ଆଶଙ୍କା

(ବେତାର ବ୍ୟୁରୋ) ଭାରତୀୟ ଏୟାର ଫୋର୍ସର AN32 ବିମାନ ସୋମବାର ଅପରାହ୍ନ ଠାରୁ ନିଖୋଜ ହେଇଥିବାର ଖବର ମିଳିଥିଲେ ମଧ୍ୟ ମଙ୍ଗଳବାର ସୁଦ୍ଧା ସରକାରୀ ଭାବେ କୌଣସି ବକ୍ତବ୍ୟ ଆସିନାହିଁ । ବିମାନରେ 8 ଜଣ କର୍ମଚାରୀଙ୍କ ବ୍ଯତୀତ 5 ଜଣ ସାଧାରଣ ଯାତ୍ରୀ ଥିଲେ ଓ ଏହା ଚୀନ ସୀମାରେ ନିଖୋଜ ହେଇଥିବା କଥା କୁହାଯାଉଛି ।
ତେବେ ସରକାରଙ୍କ ତରଫରୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ନ ଆସିବା ଘଟଣାକୁ ରହସ୍ୟମୟ କରି ଦେଉଛି ।
ରୁଷ ନିର୍ମିତ ଏନ୍-୩୨ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍ ଅଭିମୁଖେ ଉଡ଼ାଣ ଭରିଥିଲା। ଶେଷଥର ପାଇଁ ଅପରାହ୍ନ ୧ଟାରେ ବିମାନ ସହ ଯୋଗାଯୋଗ ରକ୍ଷା କରାଯାଇଥିବାର ସୂଚନା ରହିଛି।
ଆସାମର ଜୋରହାଟରୁ ମେଚୁକା ଯିବାକୁ ସାଧାରଣତଃ ୫୦ ମିନିଟ୍ ଲାଗିଥାଏ। ଯେହେତୁ ଏହା ୪୫ ମିନିଟ୍ ପର୍ଯ୍ୟନ୍ତ ଯୋଗାଯୋଗରେ ଥିଲା, ତେଣୁ ବିମାନଟି ଅରୁଣାଚଳ ପ୍ରଦେଶ ନିକଟବର୍ତ୍ତୀ ଅଞ୍ଚଳ ଅର୍ଥାତ ଚାଇନା ସୀମାରୁ ହିଁ ନିଖୋଜ ହୋଇଯାଇଛି। ସେହିପରି ବିମାନଟି ଯେଉଁ ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଯାଉଥିଲା, ତା’ହା ଭାରତ -ଚାଇନା ସୀମା ନିକଟରେ ରହିଛି।
ତେବେ ଏହା ଅରୁଣାଚଳ ପ୍ରଦେଶର ସିୟାଙ୍ଗ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ସ୍ଥାନୀୟ ଲୋକମାନେ ଆକାଶରେ ପ୍ରଥମେ ବିମାନର ଶବ୍ଦ ଶୁଣିଥିଲେ। ଏହାପରେ ସେମାନେ ଆକାଶରେ ଧୂଆଁ ଦେଖିଥିବା ଦାବି କରିଛନ୍ତି। ହେଲେ ଏଯାଏ ସରକାରୀ ଭାବେ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ସେହିପରି ଏଯାଏ ବିମାନର କୌଣସି ଧ୍ୱାଂସାବଶେଷ ଠାବ କରାଯାଇ ନାହିଁ।
ତିନି ବର୍ଷରେ ଦୁଇଥର
ଏହା ପୂର୍ବରୁ ଜୁଲାଇ ୨୦୧୬ର ବାୟୁସେନା ପରିବହନ ବିଭାଗର ଗୋଟିଏ ଏଏନ-୩୨ ବିମାନ ନିଖୋଜ ହୋଇଥିଲା। ୨୯ ଜଣ ଯାତ୍ରୀଙ୍କୁ ନେଇ ଚେନ୍ନାଇରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଯାଉଥିବା ବେଳେ ବଙ୍ଗୋପସାଗର ଉପରେ ଏହା ନିଖୋଜ ହୋଇଯାଇଥିଲା।
ବାୟୁ ସେନା ପକ୍ଷରୁ ଗଠିତ ଏକ ଇନକ୍ୱାରୀ କମିଟି ଏହାର ତଦନ୍ତରେ ପ୍ରକ୍ରିୟା ଶେଷ କରି ଲେଖିଥିଲେ ବିମାନଟିର ସ୍ଥିତି ଅଜଣା ଓ ଲାଗୁଛି ଏଥିରେ ଥିବା ସମସ୍ତ ପ୍ରାର୍ଥୀ ମୃତ ।
ଏହି ବିମାନଟି ଯୁଦ୍ଧ ବିମାନ ନୁହେଁ । ଏହାକୁ ବାୟୁସେନାର ପରିବହନ କାର୍ଯ୍ୟରେ ନିୟୋଜିତ କରାହେଇଥାଏ । ରୁଷ ମ୍ନିତମିତ ଏହି ବିମାନର ଦାମ ପ୍ରାୟ ଏକ କୋଟି ଡଲାର ।
ସର୍ଚ୍ଚ ଅପରେସନ
ସୋମବାର ବିମାନଟି ନିଖୋଜ ହେବା ପରେ ବାୟୁସେନା ପକ୍ଷରୁ ଏକ ବଡ଼ ଧରଣରର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ଇଣ୍ଡୋ-ତିବ୍ବତ ସୀମାନ୍ତରେ ଥିବା ଯବାନମାନଙ୍କ ସହାୟତା ମଧ୍ୟ ନିଆଯାଇଛି। ଏହାବାଦ୍ ନିଖୋଜ ବିମାନକୁ ଠାବ କରିବା ପାଇଁ ସୁଖୋଇ-୩୦, ସି-୧୩୦, ଅନ୍ୟ ଏକ ଏଏନ୍-୩୨ ଓ ଏମଆଇ-୧୭ ବିମାନ ନିୟୋଜିତ ହୋଇଛନ୍ତି। ଏହି ବିମାନ ଗୁଡ଼ିକ ସହ ସ୍ଥଳ ସେନାର ଏକ ହେଲିକପ୍ଟର ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ହୋଇଛି।
ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ କିଛି ସ୍ଥାନରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ଆସୁଛି। ହେଲେ ସର୍ଚ୍ଚ ଅପରେସନ ଟିମ୍ ଏଯାଏ ବିମାନର ଧ୍ୱଂସାବଶେଷ ପାଇନାହାନ୍ତି। ରାତିରେ ଉଭୟ ସ୍ଥଳ ଏବଂ ଆକାଶ ମାର୍ଗରେ ସର୍ଚ୍ଚ ଅପରେସନ ଜାରି ରହିବ।
ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶଲ ରାକେଶ ସିଂହ ବାହାଦୂରଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ଶ୍ରୀ ସିଂହ ବିମାନରେ ଥିବା ସମସ୍ତ ଜୀବନ ସୁରକ୍ଷିତ ଥାଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।