- ବେତାର ବ୍ୟୁରୋ
ଗ୍ଳୋଭରୁ ସଙ୍କେତ ହଟାଇବେ ନାହିଁ କହିବା ପରେ ମାହିଙ୍କ ପଛରେ ସମର୍ଥନ ଠୁଳ

(ବେତାର ବ୍ୟୁରୋ) ଧୋନୀ ବ୍ୟବହାର କରୁଥବା କିପିଙ୍ଗ ଗ୍ଳୋଭରୁ ଆର୍ମୀ ସମ୍ପର୍କିତ ସଙ୍କେତ ହଟାଇବେ ନାହିଁ କହିବା ପରେ ତାଙ୍କ ପ୍ରତି ସମର୍ଥନର ଛୁଟିବାରେ ଲାଗିଛି । ବିସିସିଆଇ ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ତାଙ୍କର ନିଷ୍ପତ୍ତିର ସମର୍ଥନ କରିଛନ୍ତି ।
ଏହି ମାମଲାକୁ ନେଇ ବିସିସିଆଇର ପରିଚାଳନା ମଣ୍ଡଳୀ ମୁଖ୍ୟ ବିନୋଦ ରାଏ କହିଛନ୍ତି, “ଧୋନିଙ୍କୁ ତାଙ୍କର ‘ବଳିଦାନ ବ୍ୟାଜ୍’ ପିନ୍ଧିବାର ଅନୁମତି ପାଇଁ ଆମେ ଆଇସିସିକୁ ଚିଠି ଲେଖିଛୁ। ଧୋନିଙ୍କ କିପିଙ୍ଗ ଗ୍ଲୋଭସରେ ଯେଉଁ ପ୍ରତୀକ ଲାଗିଛି, ତାହା କୌଣସି ଧାର୍ମିକ ପ୍ରତୀକ ନୁହେଁ କିମ୍ବା କୌଣସି କମ୍ପାନୀର ବିଜ୍ଞାପନ ନୁହେଁ।
ତେଣୁ ଆଇସିସି ଏହା ଉପରେ ବିଚାର କରି ଧୋନିଙ୍କୁ ଏହି ପ୍ରତୀକ ବ୍ୟବହାର କରିବାକୁ ଅନୁମତି ଦେଉ ବୋଲି ଆମେ ଚିଠିରେ ଉଲ୍ଲେଖ କରିଛୁ।”
ସେହିପରି ଧୋନୀଙ୍କ ଅନେକ ପ୍ରଶଂସକ ଆଇସିସିକୁ ଟ୍ବିଟ କରି ଲେଖିଛନ୍ତି ଯେ କ୍ରିକେଟ ଫିଲ୍ଡରେ ଧୋନୀଙ୍କ କିପିଙ୍ଗ ଗ୍ଳୋଭ ନୁହେଁ, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ନଜର ରଖାଯାଉ ।ନିକଟରେ ୱେଷ୍ଟଇଣ୍ଡିଜ ଖେଳୁଥିବା ଏକ ମ୍ୟାଚରେ ଆମ୍ପୟାର ନୋ-ବଲ ନିଷ୍ପତ୍ତି ନେଇ ନ ଥିଲେ ଓ ସେହି ବଲରେ କ୍ରୀସ ଗେଲ ଆଉଟ ହେଇଥିଲେ ।
ପାରା ସ୍ପେଶାଲ ଫୋର୍ସ
ସୂଚନାଯୋଗ୍ୟ, ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଧୋନି ଯେଉଁ କିପିଙ୍ଗ୍ ଗ୍ଲୋଭସ ପିନ୍ଧିଥିଲେ, ସେଥିରେ ସେନାର ଏକ ଧଳା ରଙ୍ଗର ଛୋଟ ପ୍ରତୀକ ଲାଗିଥିଲା। ଧୋନିଙ୍କ ଏହି ସବୁଜ ଗ୍ଲୋଭସ ଉପରେ ପ୍ରଶଂସକଙ୍କ ନଜର ପଡ଼ିଥିଲା, ଯେଉଁଥିରେ ଇଣ୍ଡିଆନ ପାରା ସ୍ପେଶାଲ ଫୋର୍ସର ପ୍ରତୀକ ଲାଗିଥିଲା। ଏହା ବଳିଦାନ ତଥା ତ୍ୟାଗର ପ୍ରତୀକ ଭାବେ ବେଶ୍ ପରିଚିତ। ଦେଶ ପ୍ରତି ଧୋନିଙ୍କ ଭଲ ପାଇବା ଏବଂ ପାରା-କମାଣ୍ଡୋଙ୍କ ପ୍ରତି ରହିଥିବା ସମ୍ମାନକୁ ପ୍ରଶଂସକ ଜୋରଦାର ସମର୍ଥନ କରିଥିଲେ।
ଧୋନିଙ୍କ ଗ୍ଲୋଭସରେ ଥିବା ଏହି ପ୍ରତୀକକୁ ସମସ୍ତେ ବ୍ୟବହାର କରିପାରିବେ ନାହିଁ। ଏହାକୁ କେବଳ ପାରା-କମାଣ୍ଡୋ ଅଫିସର ହିଁ ବ୍ୟବହାର କରିପାରିବେ। ୨୦୧୧ରେ ଧୋନିଙ୍କୁ ପାରାଚୁଟ୍ ରେଜିମେଣ୍ଟ ପକ୍ଷରୁ ଲ୍ୟୁଟେନାଣ୍ଟ କର୍ନେଲ୍ ରାଙ୍କ୍ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୧୫ରେ ସେ ପାରା ବ୍ରିଗେଡ୍ ଅଧୀନରେ ଟ୍ରେନିଂ ନେଇଥିଲେ। ଧୋନି ପୂର୍ବରୁ ଏଭଳି ପ୍ରତୀକକୁ ଅନେକଥର ନିଜ ଟୋପି ଏବଂ ମୋବାଇଲ କଭରରେ ବ୍ୟବହାର କରିଥିଲେ ମଧ୍ୟ ବିଶ୍ୱକପ୍ ମ୍ୟାଚ ପାଇଁ କିପିଂ ଗ୍ଲୋଭସରେ ଏହାକୁ ଲଗାଇ ସେ ପ୍ରଶଂସକଙ୍କ ସମର୍ଥନ ସାଉଁଟିଛନ୍ତି।
ନରମୁଛି ଆଇସିସି
ସେହିପରି ଏହି ମାମଲାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଚେୟାରମ୍ୟାନ୍ ରାଜୀବ ଶୁକ୍ଳା ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ମୋ ମତରେ ଧୋନି କୌଣସି ଭୁଲ୍ କରିନାହାନ୍ତି। ଆଇସିସି କେବଳ କମର୍ସିଆଲ୍ ଏନଡର୍ସମେଣ୍ଟ ବିରୋଧରେ ଆପତ୍ତି କରିପାରିବ। କିନ୍ତୁ ଧୋନି ଏଠାରେ ସେଭଳି କୌଣସି କାମ କରିନାହାନ୍ତି। ସେ କେବଳ ଦେଶର ସମ୍ମାନ ପାଇଁ ଏହି ପ୍ରତୀକକୁ ବ୍ୟବହାର କରିଛନ୍ତି। ତେଣୁ ଆଇସିସି ପକ୍ଷରୁ ଏଥିରେ କୌଣସି ଆପତ୍ତି ନହେବା ଦରକାର।”
ଶେଷ ଖବର ସୁଦ୍ଧା ଆଇସିସି ଏହି ଘଟଣାକୁ ଆଉ ବିବାଦୀୟ ନ କରି ସମାପ୍ତ କରିବାକୁ ଚେଷ୍ଟା କରିଛି ।