• ବେତାର ବ୍ୟୁରୋ

ଇଣ୍ଟରନେଟରେ ଅଧିକ ସମୟ ବିତାଇବା ମସ୍ତିଷ୍କକୁ ପ୍ରଭାବିତ କରେ : ଗବେଷଣା


(ବେତାର ବ୍ୟୁରୋ) ଇଣ୍ଟରନେଟ, ବିଶେଷ କରି ମୋବାଇଲରେ ଅଧିକ ସମୟ ଧରି ଇଣ୍ଟରନେଟ ବ୍ୟବହାର କରୁଥିଲେ ଏହା ମସ୍ତିଷ୍କର କାର୍ଯ୍ୟକାରିତା ଉପରେ ଗଭୀର ପ୍ରଭାବ ପକାଇଥାଏ । ଏପରି ଏକ ଗବେଷଣା ନିକଟରେ ବିଶ୍ଵର ପ୍ରମୁଖ ମନସ୍ତତ୍ଵବିଜ୍ଞାନ ମାଗାଜିନ ୱାର୍ଲ୍ଡ ସାଇକିଆଟ୍ରି ରେ ପ୍ରକାଶ ପାଇଛି । ଏ ଗବେଷଣା ଅନୁସାରେ ଇଣ୍ଟରନେଟରେ ବହୁଳ ବ୍ୟବହାର ମସ୍ତିଷ୍କର ମନେ ରଖିବା କ୍ଷମତା , ଧ୍ୟାନ ଦେବା କ୍ଷମତା ଓ ସାମାଜିକ ବ୍ୟବହାରକୁ ପ୍ରଭାବିତ କରିଥାଏ ।

ଏହି ଗବେଷଣା ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ଇଂଲଣ୍ଡର ପ୍ରମୁଖ ବିଶ୍ଵବିଦ୍ୟାଳୟ ଯଥା, ପଶ୍ଚିମ ସିଡନୀ, ହଭାର୍ଡ ଓ ଅକ୍ସଫୋର୍ଡ ପରି ନାମୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ହେଇଥିଲା ।

ଏ ତଥ୍ୟ ଉପରେ ମତବ୍ୟକ୍ତ କରି ସିଡନୀ ବିଶ୍ୱବିଦ୍ୟାଳୟର ବରିଷ୍ଠ ଗବେଷଣାକାରୀ ସଦସ୍ୟ ଡଃ ଜୋସେଫ ପର୍ଥ କହିଛନ୍ତି ,” ଏହି ଗବେଷଣାରେ ଯେଉଁ ମୁଖ୍ୟ କଥା ପ୍ରକାଶ ପାଇଛି ତାହା ହେଉଛି ଇଣ୍ଟରନେଟର ବହୁଳ ବ୍ୟବହାର ମସ୍ତିଷ୍କର କାର୍ଯ୍ୟକାରିତା ଉପରେ ବିବିଧ ପ୍ରଭାବ ପକାଇଥାଏ । ଉଦାହରଣ ସ୍ୱରୂପ : ଯଦି ଆମେ କୌଣସି କାମ କରୁଥିବା ସମୟରେ ମୋବାଇଲରେ ଆସୁଥିବା ବାରମ୍ବାର ମେସେଜ ଓ ଆପ ନୋଟିଫିକେସନ ଦେଖୁ, ତେବେ ଏହା ଆମର ଏକାଗ୍ରତା ଉପରେ ପ୍ରଭାବ ପକାଇଥାଏ ।“

ଉପକାରୀ ପ୍ରଭାବ

ତେବେ ଇଣ୍ଟରନେଟର ବ୍ୟବହାର ଫଳରେ କେବଳ ଯେ ନକରାତ୍ମକ ପ୍ରଭାବ ପଡିଥାଏ, ତାହା ନୁହେଁ । ଏହାର କିଛିଟା ସକାରାତ୍ମକ ଦିଗ ମଧ୍ୟ ରହିଛି । ଡଃ ପର୍ଥଙ୍କ ମତରେ ,” ଯେହେତୁ ଏବେ ଦୁନିଆଯାକର ତଥ୍ୟ ଓ ଖବର ଏବେ ମୋବାଇଲରେ ତତକ୍ଷଣାତ ମିଳୁଛି, ଏହା ଆମ ମସ୍ତିଷ୍କର ମନେରଖିବା କ୍ଷମତା ଓ ସାମାଜିକ ବ୍ୟବହାର ସ୍ତରକୁ ପ୍ରଭାବିତ କରିଥାଏ ।

ମୋଟ ଉପରେ ଏହା ମସ୍ତିଷ୍କର କୌଣସି ତଥ୍ୟକୁ ବିଶ୍ଳେଷଣ କରିବା କ୍ଷମତା ବହୁଗୁଣିତ କରିଥାଏ ଓ ଅନେକ ଗୁଡିଏ ବିଷୟ ଉପରେ ଆମର ମତକୁ ସୁଦୃଢ କରିଥାଏ । ଅନ୍ୟ ଅର୍ଥରେ ଇଣ୍ଟରନେଟର ବ୍ୟବହାର ମସ୍ତିଷ୍କକୁ ଜାଗୃତ କରିଥାଏ ।

ସୀମିତ ବ୍ୟବହାର

ତେବେ ଯାହା ବି ହେଉ ନା କାହିଁକି ଇଣ୍ଟରନେଟର ବ୍ୟବହାରକୁ ସୀମିତ କରାଯିବା ସ୍ୱାସ୍ଥ୍ୟ ଓ ମସ୍ତିଷ୍କ ଉଭୟ ପାଇଁ ଉପାଦେୟ । ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ମୁତାବକ , ପାଞ୍ଚ ବର୍ଷ ବୟସ୍କ ଶିଶୁଙ୍କୁ ଗୋଟିଏ ଦିନରେ ସର୍ବାଧିକ ଗୋଟିଏ ଘଣ୍ଟା ମୋବାଇଲ, ଲାପଟପ ବା ଟିଭି ସ୍କ୍ରିନ ଦେଖାଇବା ଉଚିତ ।

ବିଗତ କିଛି ବର୍ଷରେ ଯେତେ ବି ଗବେଷଣା ମନୁଷ୍ୟର ଇଣ୍ଟରନେଟ ବ୍ୟବହାର ପାଇଁ ହେଇଛି ତାହା କେବଳ ବୟସ୍କଙ୍କ ପାଇଁ । ଶିଶୁ ଓ କିଶୋର ମାନଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଜାଣିବା ଆହୁରି ଅଧିକ ଗବେଷଣା ହେବା ଦରକାର ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି ।

#smartphone #mobileinternet

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon