- ବେତାର ବ୍ୟୁରୋ
ବେତାର ଉତ୍ତର : ଖରାଦିନରେ କଞ୍ଚା ପିଆଜ କାହିଁକି ଜରୁରୀ

(ବେତାର ବ୍ୟୁରୋ) ପିଆଜ ବିଭିନ୍ନ ବ୍ୟଞ୍ଜନର ସୁଆଦ ବଢ଼ାଇଥାଏ। ତେବେ ଗ୍ରୀଷ୍ମରେ ଏହାର ବ୍ୟବହାର ଶରୀର ପାଇଁ ଖୁବ ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଉଚିତ୍। ଭାତ ହେଉ କିମ୍ବା ରୁଟି ଭୋଜନ ସମୟରେ କଞ୍ଚା ପିଆଜର ସାଲାଡ ଖାଆନ୍ତୁ। ନଚେତ ଦହିରେ ଟିକ୍ ଟିକ୍ କାଟି ପିଆଜକୁ ଖାଇପାରିବେ। ଏହା ଶରୀରର ପାଇଁ ବେଶ୍ ଲାଭଦାୟକ।
କାରଣ ଏଥିରେ ଅନେକ ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ, ଯାହା ଅନେକ ଅପକାରୀ ଉପାଦାନକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ସେହିପରି ଏଥିରେ ଥିବା ପଟାସିୟମ ଖରାଦିନେ ଶରୀରର ଜଳୀୟ ଅଂଶକୁ ଖସିବାକୁ ଦିଏ ନାହିଁ, ଯାହାକି ଖରାଦିନ ପାଇଁ ଅତ୍ୟନ୍ତ ଜରୁରୀ ।
ସେହିପରି ଅନେକ ପ୍ରକାରର ଭିଟାମିନ B ରେ ପିଆଜ ପରିପୂର୍ଣ୍ଣ । ତେଣୁ ଖରାଦିନେ ଏହାର ଖାଦ୍ୟରେ ବ୍ୟବହାର ନିହାତି ଆବଶ୍ୟକ ।
ଏବେ ଆସନ୍ତୁ ଜାଣିବା ଖରାଦିନେ ଏହାକୁ ଖାଇଲେ କେଉଁ କେଉଁ ଉପକାର ମିଳିଥାଏ ।
*ଗ୍ରୀଷ୍ମ ଋତୁରେ ଅଂଶୁଘାତ ହେବା ସାଧାରଣ କଥା। ହେଲେ ଆପଣ ଜାଣିଛନ୍ତି କି ଏଥିରୁ ବର୍ତ୍ତିବା ପାଇଁ କଞ୍ଚା ପିଆଜର ବ୍ୟବହାର ଅତ୍ୟନ୍ତ ଲାଭଦାୟକ। କଞ୍ଚା ପିଆଜ ଖାଇବା ଦ୍ୱାରା ଅଂଶୁଘାତ ହୋଇ ନ ଥାଏ। ଓ ଅଂଶୁଘାତ ହୋଇଥିଲେ ପିଆଜ ରସ ପିଇଲେ ଭଲ ହୋଇଥାଏ।
* ଗ୍ରୀଷ୍ମରେ ଅଧିକାଂଶ ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ବୃଦ୍ଧି ପାଇଥାଏ। ଏହି ବର୍ଗର ଲୋକେ ଦ୍ବିପହର ଭୋଜନ ସମୟରେ କଞ୍ଚା ପିଆଜ ଫାଳେ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।
* କଞ୍ଚା ପିଆଜ ଖାଇବା ଦ୍ବାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
* ପିଆଜ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାର ଉପଯୋଗ କରିବା ସହ ସ୍ୟାଣ୍ଡୱିଚ ଘରେ ପ୍ରସ୍ତୁତ କରି କଞ୍ଚା ପିଆଜର ଉପଯୋଗ କରନ୍ତୁ। କଞ୍ଚା ପିଆଜରେ ଥିବା ବିଭିନ୍ନ ପୋଷକତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
* ସେହିପରି ମଳ ଦୁର୍ଗନ୍ଧ ସମସ୍ୟା ଦେଖାଦେଲେ ମଧ୍ୟ କଞ୍ଚା ପିଆଜର ବ୍ୟବହାର କରିପାରିବେ। ଏହାକୁ ଖାଇଲେ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି।