• (ବେତାର ବ୍ୟୁରୋ)

ମାଟି ଓ ମେଘର ମିଳନ ପର୍ବ : ରଜ


(ବେତାର ବ୍ୟୁରୋ) ମାଟି ଓ ମେଘର ମିଳନ ପର୍ବ ରଜ । ଏଥିଯୋଗୁ ଉତ୍ସବ ମୁଖର ହୋଇଉଠେ ପୁରପଲ୍ଲୀ । ଧରିତ୍ରୀ ମା’ ରଜସ୍ଵଳା ହୁଏ । ଏକମାତ୍ର ଜୀବନଧାରୀ ଗ୍ରହକୁ ଆହୁରି ଜୀବନ୍ତ କରିବାର ଶକ୍ତି ହାସଲ କରେ । ମୌସୁମୀ ବର୍ଷାରେ ଭିଜି ପ୍ରସ୍ତୁତ ହୋଇଥାଏ ବୀଜରୁ ଅଙ୍କୁର ସୃଷ୍ଟି କରିବା ପାଇଁ । ନାରୀଟିଏ ମା’ ହେବାର ସାମର୍ଥ୍ୟ ହାସଲ କଲା ପରି ମାଟି ଶସ୍ୟ ଉତ୍ପାଦନ କରିବାର ଶକ୍ତି ଅର୍ଜନ କଲେ ମଧ୍ୟ ସୃଷ୍ଟି ହୋଇଥାଏ ଖୁସିର ମାହୋଲ । ଆଉ ଏହାକୁ ଉତ୍ସବ ଭାବେ ପାଳନ କରି ଧରଣୀ ମା’କୁ କୃତଜ୍ଞତା ଜଣାଇଥାନ୍ତି ଓଡ଼ିଶାବାସୀ । ଯାହାକୁ ଆମେ ‘ରଜ ପର୍ବ’ ବୋଲି କହିଥାଉ ।

କୃଷିଭିତ୍ତିକ ପର୍ବ ରଜ ଓଡ଼ିଆମାନେ ରଜକୁ କୃଷିଭିତ୍ତିକ ପର୍ବ ଭାବେ ପାଳନ କରିଥାନ୍ତି । ନିଦାଘ ଗ୍ରୀଷ୍ମରେ ମଉଳି ଯାଇଥିବା ମାଟି ମୌସୁମୀ ବର୍ଷାର ଆଗମନରେ ତାର ପୂର୍ବ ରୂପ ଫେରିପାଏ । ଏହି ସମୟରେ ବୀଜରୁ ଅଙ୍କୁର ସୃଷ୍ଟି ହୁଏ । ଚାଷୀ ମନରେ ଭଲ ଫସଲ ଉପୁଜାଇବାର ସ୍ୱପ୍ନ ଦେଖେ ।

୩ ଦିନ ଧରି ପାଳନ ହୁଏ ରଜ ଉତ୍ସବକୁ ୩ ଦିନ ଧରି ପାଳନ କରାଯାଏ । ବୃଷ ମାସର ମାସନ୍ତରେ ପଡେ ପ୍ରଥମ ରଜ । ଯାହାକୁ ପହିଲି ରଜ କୁହାଯାଏ । ପରେ ମିଥୁନ ମାସର ଆରମ୍ଭ ସଂକ୍ରାନ୍ତି ରଜ ପର୍ବର ଦ୍ୱିତୀୟ ଦିନ । ଏହାକୁ ରଜ ସଂକ୍ରାନ୍ତି କୁହାଯାଏ । ତା’ ପରଦିନକୁ ଭୂମି ଦହନ ବା ପର୍ବର ତୃତୀୟ ଦିନ ଭାବେ ପାଳନ କରାଯାଏ । ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହ ରଜ ଶେଷ ହୁଏ ।

ମୁଖ୍ୟ ଖାଦ୍ୟ ଭୁଜା, ପୋଡପିଠା ରଜ ଉତ୍ସବର ମୁଖ୍ୟ ଖାଦ୍ୟ ହେଉଛି ଭୁଜା ଓ ପୋଡପିଠା । ଅରୁଆ ଚାଉଳରୁ ପ୍ରସ୍ତୁତ ଏହି ପିଠା ଅତ୍ୟନ୍ତ ସୁଆଦିଆ । ଚାଉଳ ଚୁନା ଯନ୍ତାକୁ ଆବଶ୍ୟକ ପ୍ରଣାଳୀରେ କାଠ ବା ଘଷି ନିଆଁରେ ସିଝାଇବା ପରେ ଏହା ପ୍ରସ୍ତୁତ ହୋଇଯାଏ ।

ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଓଡ଼ିଆ ଝିଅମାନଙ୍କ ପାଇଁ ରଜ ଏକ ସ୍ୱତନ୍ତ୍ର ପର୍ବ । ପରମ୍ପରା ଅନୁଯାୟୀ ରଜରେ କୁମାରୀ କନ୍ୟାଙ୍କୁ ୩ ଦିନ ସ୍ନାନ କରିବା, ଲୁଣ ଖାଇବା ଓ ଭୂମିରେ ଚାଲିବା ମନା । ଝିଅ ଓ ସ୍ତ୍ରୀ ଲୋକମାନଙ୍କୁ ଏହି ୩ ଦିନ ସମ୍ପୂର୍ଣ୍ଣ କର୍ମମୁକ୍ତ କରାଯାଏ ।

ମାଟି ମା’କୁ ମିଳେ ବିଶ୍ରାମ ରଜ ୩ ଦିନରେ ମାଟି ମାକୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ । ସେଥିପାଇଁ ଏହି ଦିନ ହଳ କରିବା, ମାଟି ହାଣିବା, ଘାସ ବାଛିବା ଆଦି କାର୍ଯ୍ୟ ବନ୍ଦ ରୁହେ । 

ମୁଖ୍ୟ ଆକର୍ଷଣ ଦୋଳି

ରଜ ପର୍ବରେ ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଦୋଳି । ଝିଅ ଓ ମହିଳାମାନଙ୍କୁ କର୍ମମୁକ୍ତ କରାଯାଇଥିବାରୁ ସେମାନଙ୍କ ଆମୋଦ ପାଇଁ ଲଗାଯାଇଥାଏ ଦୋଳି । ରଜ ଗୀତ  ଗାଇ ସେମାନେ ଦୋଳିରେ ଝୁଲିବାର ମଜା ନିଅନ୍ତି ।

#Raja #Festival #Odisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon