• ବେତାର ବ୍ୟୁରୋ

ଓଡିଶା +2 ପରୀକ୍ଷା ଫଳ : ଆର୍ଟ୍ସ, କମର୍ସ ପାସ ହାର କମିଲା


(ବେତାର ବ୍ୟୁରୋ) ଶୁକ୍ରବାର ଅପରାହ୍ନରେ ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ଶିକ୍ଷା ବୋର୍ଡର +2 ଯୁକ୍ତଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥରର ପରୀକ୍ଷାଫଳରେ ଉଭୟ କଳା ଓ ବାଣିଜ୍ୟର ପାସ ହାର 2018 ଠାରୁ କମ ରହିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ସେ କହିଥିଲେ “ପାସ ହାର ପୂର୍ବ ବର୍ଷ ତୁଳନାରେ କମ ରହିଛି , ତେବେ ଏହାର କାରଣ ଆମେ ବର୍ତ୍ତମାନ ଅନୁଧ୍ୟାନ କରି ନାହୁଁ । ଖୁବଶୀଘ୍ର ଏହା ଉପରେ ତର୍ଜମା କରାଯିବ। “

ଚଳିତ ବର୍ଷ କଳାରେ 2ଲକ୍ଷ 31 ହଜାରରୁ ଅଧିକ, ବାଣିଜ୍ୟରେ 26 ହଜାର 794 ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

କଳାରେ ଚଳିତ ବର୍ଷ ମୋଟ ପାସ ହାର 65.89 ପ୍ରତିଶତ ରହିଛି, ଯାହା ଗତ ବର୍ଷର 68.79ରୁ କମ । ଖାଲି ସେତିକି ନୁହେଁ ଚଳିତ ବର୍ଷ କଳାରେ ପ୍ରଥମ ଶ୍ରେଣୀ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ପୂର୍ବବର୍ଷ ଠାରୁ କମ ।

ଚଳିତ ବର୍ଷ ଆର୍ଟସରେ ପ୍ରଥମ ଶ୍ରେଣୀରେ 18, 733 ଜଣ ପାସ କରିଛନ୍ତି ଯାହାକି ପୂର୍ବ ବର୍ଷର ୧୯, ୯୯୩ ପ୍ରଥମ ଡିଭିଜନ ଠାରୁ କମ । କଳା ପାସ୍ ହାରରେ ବାଲେଶ୍ଵର ଜିଲ୍ଲା ପ୍ରଥମ ଥିବାବେଳେ ନବରଙ୍ଗପୁର ଜିଲ୍ଲା ସର୍ବନିମ୍ନ ରହିଛି । ପୂର୍ବ ବର୍ଷ କଳା ବିଭାଗରେ ପାସ ହାର ପୁରୀରେ ସର୍ବାଧିକ ଥିଲା ।

ଚଳିତ ବର୍ଷ ମାଟ୍ରିକ ପାସ ହାର ମଧ୍ୟ କମିଥିଲା । ଅନେକ ଶିକ୍ଷାବିତଙ୍କ ମତରେ କପି ଉପରେ କଡାକଡି କାର୍ଯ୍ୟାନୁଷ୍ଠାନ ହେଉ ଥିବାରୁ ପାସ ହାର ଲଗାତାର କମୁଛି । ଚଳିତ ବର୍ଷ ଉଭୟ କଳା ଓ ବାଣିଜ୍ୟ ବିଭାଗ ମିଶାଇ ପ୍ରାୟ 600ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ କପି କରୁଥିବା ଅବସ୍ଥାରେ ଧରା ଯାଇଥିଲା ।

ନୟାଗଡକୁ କାଟିଲା ଖୋର୍ଦ୍ଧା

ଯୁକ୍ତ ଦୁଇ ବାଣିଜ୍ୟରେ ଚଳିତ ଥରର ପାସ୍ ହାର ପୂର୍ବ ବର୍ଷର ପ୍ରାୟ 75% ରୁ ଖସି 70.26% ରେ ପହଞ୍ଚିଛି । ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍ ହାର ରହିଛି , ଯାହାକି ପୂର୍ବ ବର୍ଷ ନୟାଗଡ ଜିଲ୍ଲାରେ ହେଇଥିଲା ।

ପରୀକ୍ଷାର୍ଥୀ ମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.chseodisha.nic.in ଏବଂ www.orissaresults.nic.in ରେ ରୋଲ ନମ୍ବର ଓ ରେଜିଷ୍ଟ୍ରେଶନ ନମ୍ବର ଦେଇ ପରୀକ୍ଷା ଫଳ ଚେକ କରିପାରିବେ।

ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟର ରି-ଚେକିଂ ପାଇଁ ଆଗାମୀ 15 ଦିନ ମଧ୍ୟରେ ଅର୍ଥାତ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ‌ଆବେଦନ କରିପାରିବେ। ଏହା ପରେ instant ପରୀକ୍ଷା ଦୁଇମାସ ପରେ ଅନୁଷ୍ଠିତ ହେବ ।

#2exam #CHSE #Odisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon