- (ବେତାର ବ୍ୟୁରୋ)
ରାଜ୍ୟ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ : ଜୁଲାଇ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦେବେ ସବୁ ସରକାରୀ କର୍ମଚାରୀ

(ବେତାର ବ୍ୟୁରୋ) ମୁଖ୍ୟମନ୍ତ୍ରୀ, ନେତା, ମନ୍ତ୍ରୀ, ବିଧାୟକ, ସରକାରୀ ବାବୁଙ୍କ ଭଳି ବଡ ପଦବୀରେ ଥିବା ଲୋକଙ୍କୁ ଦୁର୍ନୀତି ମାମଲାରେ ତଦନ୍ତ ପରିସରକୁ ଆଣିବାକୁ ଗଠିତ ହେଇଚି ସଂସ୍ଥା ଲୋକାୟୁକ୍ତ । ଜନସାଧାରଣଙ୍କ ଦ୍ୱାରା ଆଗତ ଅଭିଯୋଗର ବିଚାର କରି ମାମଲା ରୁଜୁ ସହ ଦୋଷୀଙ୍କୁ ଦଣ୍ଡିତ କରିବାର କ୍ଷମତା ରହିଛି ଏହି ସଂସ୍ଥା ନିକଟରେ । ଏଥିସହ ସମସ୍ତ ସରକାରୀ କର୍ମଚାରୀଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ରଖିବାକୁ ଏହି ସଂସ୍ଥାର ସ୍ୱତନ୍ତ୍ର ନିୟମ ରହିଛି ।
ଲୋକାୟୁକ୍ତ ଆକ୍ଟ ଧାରା ୪୪ ଅନୁସାରେ ଜୁଲାଇ ୩୧ ତାରିଖ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀ ସେମାନଙ୍କ ସମ୍ପତ୍ତିର ତାଲିକା ଦାଖଲ କରିବାକୁ ବାଧ୍ୟ ବୋଲି କହିଛନ୍ତି ଓଡ଼ିଶାର ନବଗଠିତ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂହ ।
ତଥ୍ୟ ନ ଦେଲେ କେସ୍ ଉକ୍ତ ନିୟମ ଅନୁଯାୟୀ ସରକାରୀ କର୍ମଚାରୀମାନେ ସେମାନଙ୍କ ତାଲିକା ବିବରଣୀ ଜୁଲାଇ ୩୧ ତାରିଖ କିମ୍ବା ଏହା ପୂର୍ବରୁ ପ୍ରଦାନ କରିବା ଜରୁରୀ । ଯେଉଁ ସମ୍ପତ୍ତି ତାଲିକାରେ ଦର୍ଶାଯାଇ ନ ଥିବ ତାହାକୁ ସମ୍ପୃକ୍ତ କର୍ମଚାରୀଙ୍କ ଆୟ ବର୍ହିଭୂତ ସମ୍ପତ୍ତି ବା ଦୁର୍ନୀତି କରି ସେହି ସମ୍ପତ୍ତି ହାସଲ କରାଯାଇଥିବା ବିବେଚନା କରାଯିବ । ଏଥିସହ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଷ୍ଟିସ ସିଂହ ସୂଚନା ଦେଇଛନ୍ତି ।
ଛ' ମାସ ମଧ୍ୟରେ ଦୁର୍ନୀତିର ଚାର୍ଜସିଟ୍ ଲୋକାୟୁକ୍ତଙ୍କ ନିକଟରେ ଦୁର୍ନୀତି ଶାଖା ଓ ତଦନ୍ତ ଶାଖା ରହିଛି । କେବଳ ଦୁର୍ନୀତି ସଂକ୍ରାନ୍ତୀୟ ଅଭିଯୋଗ ଏହି ସଂସ୍ଥାରେ ଗ୍ରହଣ କରାଯିବ । ୭ ବର୍ଷ ମଧ୍ୟରେ ହୋଇଥିବା ଦୁର୍ନୀତି ଘଟଣା ଉପରେ ଅଭିଯୋଗ ଆଧାରିତ ହେବା ଆବଶ୍ୟକ । ଅଭିଯୋଗର ୬୦ ଦିନ ମଧ୍ୟରେ ପ୍ରାଥମିକ ତଦନ୍ତ ଶେଷ ପରେ ରିପୋର୍ଟ ଦାଖଲ କରାଯିବ । ଅଭିଯୋଗର ସତ୍ୟତା ଥିବା ପ୍ରମାଣ ମିଳିଲେ ତଦନ୍ତକାରୀ ସଂସ୍ଥା ଏହାର ଖୋଳତାଡ କରି ୬ ମାସ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ।
ଦୁଇ ବର୍ଷ ଭିତରେ ରାୟ ଚାର୍ଜସିଟ୍ ଦାଖଲ ପରେ ସମ୍ପୃକ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ ଲୋକାୟୁକ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇପାରିବେ । ୨ ବର୍ଷ ଭିତରେ ହିଁ ମାମଲାର ବିଚାର କରାଯାଇ ରାୟ ପ୍ରକାଶ କରାଯିବ ବୋଲି ଜଷ୍ଟିସ ସିଂହ କହିଛନ୍ତି । ଏଥିରେ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରିବାକୁ ସରକାରଙ୍କ ଅନୁମତି ଆବଶ୍ୟକ ନାହିଁ ।
୪ ମାସରେ ୨୮ ମାମଲା ରୁଜୁ ଚଳିତବର୍ଷ ଫେବୃୟାରୀ ୨୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ୪ ମାସ ମଧ୍ୟରେ ଲୋକାୟୁକ୍ତରେ ୨୮ଟି ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି । ଲୋକପାଳ ଓ ଲୋକାୟୁକ୍ତଙ୍କ ନିକଟକୁ ମୋଟ ୫୯୨ଟି ମାମଲା ଆସିଛି । ସେଥିରୁ ୬୨ଟି ଖାରଜ କରାଯାଇଛି । ୫୪ଟି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଗ୍ରହଣ କରାଯାଇଛି । ଏହାକୁ ମିଶାଇ ମୋଟ ୮୨ଟି ମାମଲା ଲୋକାୟୁକ୍ତଙ୍କ ଅଧୀନରେ ବିଚାରାଧୀନ ରହିଛି ।