- (ବେତାର ବ୍ୟୁରୋ)
ସ୍ୱାସ୍ଥ୍ୟସେବାରେ ଓଡ଼ିଶା ତୃତୀୟ ପଛୁଆ ରାଜ୍ୟ : ନୀତି ଆୟୋଗ

(ବେତାର ବ୍ୟୁରୋ) ନୀତି ଆୟୋଗ ପକ୍ଷରୁ ‘ହେଲଦି ଷ୍ଟେଟ୍ସ, ପ୍ରେଗ୍ରୋସିଭ ଇଣ୍ଡିଆ’ର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି । ୨୧ଟି ବଡ ରାଜ୍ୟଗୁଡିକୁ ନେଇ ପ୍ରକାଶ ପାଇଥିବା ଏହି ସୂଚକାଙ୍କରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶା ପଛୁଆ ରହିଛି । ସ୍ୱାସ୍ଥ୍ୟବ୍ୟବସ୍ଥାରେ ଖରାପ ପ୍ରଦର୍ଶନ କରିଥିବା ନିକୃଷ୍ଟ ପାଞ୍ଚଟି ରାଜ୍ୟ ମଧ୍ୟରେ ଉତ୍ତର ପ୍ରଦେଶ ଓ ବିହାର ପରେ ଓଡ଼ିଶା ତିନି ନମ୍ବର ସ୍ଥାନରେ ରହିଛି ।
ଚଳିତ ରିପୋର୍ଟରେ ଓଡ଼ିଶାର ର୍ୟାଙ୍କ ୧୯ ନମ୍ବର ଥିବାବେଳେ ଗତଥର ଏହା ୧୮ ଥିଲା।ଏହା ପଛକୁ ରହିଛି ଉତ୍ତର ପ୍ରଦେଶ ଓ ବିହାର । କେରଳ ସ୍ୱାସ୍ଥ୍ୟକ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ଛୋଟ ରାଜ୍ୟଗୁଡିକ ମଧ୍ୟରେ ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଚଣ୍ଡୀଗଡ ଶୀର୍ଷ ସ୍ଥାନରେ ରହିଛି ।
ଗତଥରଠାରୁ ୩.୪୬ ପଏଣ୍ଟ ହ୍ରାସ ପାଇଛି ସ୍ୱାସ୍ଥ୍ୟସେବା ପ୍ରଦାନରେ ସୁଧାର ସମ୍ବନ୍ଧରେ ପ୍ରସ୍ତୁତ କରାଯାଇଥିବା ଏହି ତାଲିକାରେ ଓଡ଼ିଶାର ପ୍ରଦର୍ଶନ ଗତଥରଠାରୁ ୩.୪୬ ପଏଣ୍ଟ ହ୍ରାସ ପାଇଛି । ୨୦୧୮ ଫେବୃୟାରୀରେ ନୀତି ଆୟୋଗ ପକ୍ଷରୁ ପ୍ରଥମ ସ୍ୱାସ୍ଥ୍ୟ ସୂଚୀ ପ୍ରକାଶ ପାଇଥିଲା । ଏଥିରେ ଓଡ଼ିଶା ୧୮ ନମ୍ବର ସ୍ଥାନରେ ଥିବାବେଳେ ଚଳିତ ବର୍ଷ ଆଉ ଗୋଟିଏ ସ୍ଥାନ ତଳକୁ ଖସିଛି ।
ବିଚାରକୁ ନିଆଯାଇଥିଲା ୨୩ ମାନଦଣ୍ଡ ନବଜାତ ଶିଶୁ ମୃତ୍ୟୁହାର, ଲିଙ୍ଗ ଅନୁପାତ, ଜନ୍ମବେଳେ ଶିଶୁର ଓଜନ, ପ୍ରଜନନ ହାର, ସଞ୍ଚାଳନ ବ୍ୟବସ୍ଥା ଏବଂ ସୂଚନା (ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଆଦି), ଟିବି (ଯକ୍ଷ୍ମା)ର ସଫଳ ଚିକିତ୍ସା ହାର, ଖାଲି ପଡିଥିବା ବିଭିନ୍ନ ପଦବୀ ପୂରଣ, ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ଆଦି ୨୩ଟି ମାନଦଣ୍ଡକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ଏହି ମାନଦଣ୍ଡଗୁଡିକରେ ଓଡ଼ିଶାର ପ୍ରଦର୍ଶନ ଖରାପ ରହିଛି ।
ଛୋଟ ରାଜ୍ୟ ମଧ୍ୟରେ ମିଜୋରାମ ଶୀର୍ଷରେ ସଦ୍ୟ ପ୍ରକାଶିତ ରିପୋର୍ଟରେ ବଡ ରାଜ୍ୟଗୁଡିକରେ କେରଳ ପୂର୍ବଥର ପରି ତାର ପ୍ରଥମ ସ୍ଥାନ ବଜାୟ ରଖିଥିବାବେଳେ ଛୋଟ ରାଜ୍ୟଗୁଡିକରେ ମିଜୋରାମ ଶୀର୍ଷରେ ରହିଛି । ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଚଣ୍ଡୀଗଡ ପ୍ରଥମରେ ରହିଛି । ବଡ ରାଜ୍ୟ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି । ଏହା ପରେ ଗୁଜରାଟ, ପଞ୍ଜାବ, ହିମାଚଳ ପ୍ରଦୋ ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ଅଧିକାର କରିଛି । ଛୋଟ ରାଜ୍ୟ ତାଲିକାରେ ତ୍ରିପୁରା, ମଣିପୁର ୨ୟ ଓ ୩ୟ ସ୍ଥାନରେ ରହିଛି ।
ଜିଡିପିର ୨.୫% ସ୍ୱାସ୍ଥ୍ୟକ୍ଷେତ୍ରରେ ବିନିଯୋଗ ହେଉ ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ କେନ୍ଦ୍ର ସରକାର ଜିଡିପିର ୨.୫ ପ୍ରତିଶତ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ବିନୋଦ କୁମାର ପଲ । ରାଜ୍ୟ ସରକାରମାନେ ମଧ୍ୟ ସେମାନଙ୍କ ବଜେଟର ୪.୭%ରୁ ୮% ପର୍ଯ୍ୟନ୍ତ ଅର୍ଥ ସ୍ୱାସ୍ଥ୍ୟକ୍ଷେତ୍ରରେ ଲଗାଇବା ଆବଶ୍ୟକ ବୋଲି ସେ କହିଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ବିଶ୍ୱ ବ୍ୟାଙ୍କର ପ୍ରାଦ୍ୟୋଗିକ ସହାୟକଙ୍କ ମିଳିତ ସହଯୋଗରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏହି ସଂସ୍କରଣରେ ୨୦୧୫-୧୬ (ମୂଳ ବର୍ଷ)ରୁ ୨୦୧୭-୧୮ (ରେଫରେନ୍ସ ବର୍ଷ) ଆର୍ଥିକ ବର୍ଷକୁ ବିଚାରକୁ ନିଆଯାଇଛି ।