• (ବେତାର ବ୍ୟୁରୋ)

ଗୋଟିଏ ସମୟରେ ୪-୫ ବିଶ୍ବବିଦ୍ୟାଳୟ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା: ଅସୁବିଧାରେ ଛାତ୍ରଛାତ୍ରୀ


(ବେତାର ବ୍ୟୁରୋ) ରାଜ୍ୟରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଚଳିତ ମାସରୁ ବିଭିନ୍ନ ବିଭାଗରେ ପିଜି (ସ୍ନାତକୋତ୍ତର)ରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ହେବାକୁ ଯାଉଛି । ଏହି ପରୀକ୍ଷା ଦେବାକୁ ଅସୁବିଧାରେ ପଡିଛନ୍ତି ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟ ଗୁଡିକରେ ସମନ୍ୱୟର ଅଭାବ ଯୋଗୁ ଗୋଟିଏ ଦିନରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଫଳରେ କେଉଁ ୟୁନିଭର୍ସିଟିରେ ସେମାନେ ପରୀକ୍ଷା ଦେବେ ସେ ନେଇ ସେମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି। 

ଏହି ସବୁ ବିଶ୍ଵବିଦ୍ୟାଳୟରେ ଏକସଙ୍ଗେ ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ବହୁ ବିଶ୍ୱ ବିଦ୍ୟାଳୟରେ ଗୋଟିଏ ଦିନରେ ପରୀକ୍ଷା ହେବାର ଅଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା, ଉତ୍ତର ଓଡ଼ିଶା, ବ୍ରହ୍ମପୁର ଆଦି ବିଶ୍ୱବିଦ୍ୟାଳୟରେ ଗୋଟିଏ ଦିନରେ ଏଣ୍ଟ୍ରାନ୍ସ ହେବାକୁ ସ୍ଥିର କରାଯାଇଛି । ଜୁଲାଇ ୨ରୁ ୧୩ ତାରିଖ ଭିତରେ ଏହି ୪ଟି ୟୁନିଭର୍ସିଟିରେ ପ୍ରବେଶିକା ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ବିଭିନ୍ନ ବିଭାଗରେ ଗୋଟିଏ ଦିନରେ ପରୀକ୍ଷା ପଡୁଛି ।

ଏହାଦ୍ୱାରା ଦେୟ ଦାଖଲ କରି ଫର୍ମ ଫିଲଅପ କରିଥିବା ଆବେଦନକାରୀ ଯେ କୌଣସି ଗୋଟିଏ ୟୁନିଭର୍ସିଟିରେ ପରୀକ୍ଷା ଦେବାକୁ ବାଧ୍ୟ ହେବେ । ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଅନ୍ୟ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ସହ ଆଡମିଶନ କରିବାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି । 

ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ହସ୍ତକ୍ଷେପ ଦାବି ଓଡ଼ିଆ, ଇଂରାଜୀ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଭୂତତ୍ତ୍ୱ ବିଜ୍ଞାନ ଭଳି ବିଷୟରେ ବିଶ୍ୱବିଦ୍ୟାଳୟଗୁଡିକରେ ଗୋଟିଏ ଦିନରେ ପରୀକ୍ଷା ରଖାଯାଇଥିବାରୁ ଚିନ୍ତାରେ ପଡିଛନ୍ତି ଛାତ୍ରଛାତ୍ରୀ। ରାଜ୍ୟ ଶିକ୍ଷା ବିଭାଗ ଏଥିରେ ହସ୍ତକ୍ଷେପ କରି ପରୀକ୍ଷା ଘୁଞ୍ଚାଇବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି । 

କାର୍ଯ୍ୟକାରୀ ହେଉନି ଏକକ ପ୍ରବେଶିକା ପରୀକ୍ଷା ନିଷ୍ପତ୍ତି ପୂର୍ବରୁ ମଧ୍ୟ ଏପରି ସମସ୍ୟା ଉପୁଜିବାରୁ ରାଜ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଗୋଟିଏ ଏକକ ପ୍ରବେଶିକା ପରୀକ୍ଷା କରାଯିବାକୁ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ ବିଶ୍ୱବିଦ୍ୟାଳୟରେ ସମାନ ପ୍ରବେଶିକା ପ୍ରଶ୍ନପତ୍ର କରାଯାଇ ଗୋଟିଏ ଦିନରେ ପରୀକ୍ଷା କରାଯିବାକୁ ସ୍ଥିର ହୋଇଥିଲା । ହେଲେ ଚଳିତ ବର୍ଷ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । 

ମନପସନ୍ଦର ଶିକ୍ଷାନୁଷ୍ଠାନରେ ପରୀକ୍ଷା ଦେବାକୁ ପରାମର୍ଶ ଛାତ୍ରଛାତ୍ରୀଙ୍କ ଏହି ସମସ୍ୟା ଦୂର କରିବାକୁ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାବେଳେ ନିଜ ମନ ପସନ୍ଦର ଅନୁଷ୍ଠାନରେ ପରୀକ୍ଷା ଦେବାକୁ ବିଶ୍ୱବିଦ୍ୟାଳୟଗୁଡିକ ପକ୍ଷରୁ ପରାମର୍ଶ ଦିଆଯାଇଛି । ପସନ୍ଦର ଶିକ୍ଷାଅନୁଷ୍ଠାନକୁ ପ୍ରାଥମିକତା ଦେଇ ପରୀକ୍ଷାର୍ଥୀମାନେ ଏଣ୍ଟ୍ରାନ୍ସ ଦେବାକୁ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି ।

ପୂର୍ବରୁ ଦୁଇ ଥର ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇସାରିଥିବାରୁ ଆଉ ଥରେ ଦିନ ଘୁଞ୍ଚାଇବା ସମ୍ଭବ ନୁହେଁ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏକକ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ଲାଗୁହେଲେ ସୁବିଧା ହୋଇପାରିବ ବୋଲି ଏହି ୟୁନିଭର୍ସିଟିର ଜଣେ ପ୍ରଫେସର ପ୍ରକାଶ କରିଛନ୍ତି ।

#news #Education #collegeadmission

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon