• ବେତାର ବ୍ୟୁରୋ

ନୂଆ ଯୋଜନା : ଘରେ ଘରେ ଲାଗିବ ସ୍ମାର୍ଟ ଇଲେକ୍ଟ୍ରି ମିଟର


(ବେତାର ବ୍ୟୁରୋ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସାରା ଦେଶରେ ଆଗାମୀ ତିନି ବର୍ଷ ସମୟସୀମା ଭିତରେ ଉଭୟ ଘରୋଇ ଓ କମରସିଆଲ ଗ୍ରାହକଙ୍କ ପାଇଁ ୩୦ କୋଟି ପ୍ରିପେଡ୍‌ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରୁଛନ୍ତି। ମୋବାଇଲ ଫୋନ ଭଳି ଏହି ମିଟରକୁ ପୂର୍ବରୁ ରିଚାର୍ଜ କରି ହେବ। ଏହାଦ୍ୱାରା ବିଜୁଳି ଚୋରି ବନ୍ଦ ହୋଇଯିବା ସହିତ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇପାରିବ।

ଅବଶ୍ୟ ଏଭଳି ମିଟର ଆଦୌ ନୂଆ ନୁହେଁ ଓ ଦେଶରେ ମହାରାଷ୍ଟ୍ର ଭଳି ରାଜ୍ୟରେ କିଛିଟା ମାତ୍ରାରେ ଏହା ବ୍ୟବହୃତ ହେଉଛି । ତେବେ ଦେଶରେ ଘରେ ଘରେ ଏହି ମିଟର ଲାଗୁ ହେଉ ବୋଲି ମୋଦୀ ସରକାର ଯୋଜନା କରୁଛନ୍ତି । ସରକାର ବର୍ତ୍ତମାନ ଏହାର ଟେଣ୍ଡର ପ୍ରକ୍ରିୟାରେ ବ୍ୟସ୍ତ ଥିବାରୁ ଏବିଷୟରେ ସମସ୍ତ ତଥ୍ୟ ସାର୍ବଜନୀନ କରିନାହାନ୍ତି ।

ସବସିଡି ଦେବେ ସରକାର

ଇଂରାଜୀ ଦୈନିକ ଖବରକାଗଜ ଇକୋନୋମିକ ଟାଇମସ ରିପୋର୍ଟ ଅନୁଯାୟୀ, ସ୍ମାର୍ଟ ମିଟର ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ଉତ୍ପାଦକଙ୍କ ସହ ଆଲୋଚନା ଆରମ୍ଭ ହୋଇଯାଇଛି। ଏହାଦ୍ୱାରା ବିଜୁଳି ଯୋଗାଣ ଉପରେ ସହଜରେ ନଜର ରଖିହେବ।

ଏହି ଯୋଜନା ଅନୁଯାୟୀ, ସରକାର ମିଟର ମୂଲ୍ୟ ଉପରେ ସବ୍‌ସିଡି ଦେବେ। ପ୍ରାରମ୍ଭିକ ଅନୁମାନ ଅନୁଯାୟୀ, ଗୋଟିଏ ସ୍ମାର୍ଟ ମିଟର ମୂଲ୍ୟ ପ୍ରାୟ ୨୦୦୦ ଟଙ୍କା ହେବ। ଏଥିପୂର୍ବରୁ ୨୦୧୭ରେ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ସ୍ମାର୍ଟ ମିଟର କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମିଟର ପ୍ରତିଟିର ମୂଲ୍ୟ ୨୫୦୩ ଟଙ୍କା ଥିଲା। ତେବେ ଏଥର ଅଧିକ ମାତ୍ରାରେ ମିଟର କିଣାଯିବାକୁ ଥିବାରୁ ଏହାର ମୂଲ୍ୟ କମିବ ବୋଲି ଆଶାକରାଯାଉଛି।

ଏମିତି ମିଳିବ ଫାଇଦା

ତେବେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଖୋଲାଖୋଲି ମତପ୍ରକାଶ କରାଯାଇ ନାହିଁ। ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ସ୍ମାର୍ଟ ମିଟରକୁ ପ୍ରିପେଡ୍‌ କରିଦେବା ଯୋଗୁ ବିଜୁଳି ବିତରଣ କମ୍ପାନୀ(ଡିସ୍‌କମ୍‌)ଙ୍କ ଖର୍ଚ୍ଚ ଅନେକାଂଶରେ କମିଯିବ ଏବଂ ସେମାନେ ସହଜରେ କ୍ଷତିରୁ ବାହାରି ଆସିପାରିବେ।

ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ କାର୍ଯ୍ୟରତ ସରକାରୀ ବିଦ୍ୟୁତଯୋଗାଣ କମ୍ପାନୀଗୁଡ଼ିକ କ୍ଷତିରେ ଚାଲୁଥିବାରୁ ସେମାନଙ୍କ ନିକଟରେ ବିଜୁଳି କିଣିବା ଲାଗି ଅର୍ଥ ନାହିଁ। ଫଳରେ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଣ ସେମାନଙ୍କ ଦ୍ୱାରା ସମ୍ଭବ ହେଉନାହିଁ।

#centralgovt #GovtOfIndia #modigovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon