- ବେତାର ବ୍ୟୁରୋ
ଆଇସିସିକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ମନାକଲେ ନ୍ୟୁଜିଲାଣ୍ଡର ୱିଲିୟମସନ

(ବେତାର ବ୍ୟୁରୋ) ଗତ ରବିବାର ଇଂଲଣ୍ଡର ଲର୍ଡ୍ସଠାରେ ଖେଳାଯାଇଥିବା କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ ଯେତିକି ରୋମାଞ୍ଚକର ଥିଲା ସେତିକି ବିବାଦୀୟ ମଧ୍ୟ ହୋଇଛି । ମ୍ୟାଚ ଓ ସୁପରଓଭର ଟାଇ ହେବା ପରେ ବାଉଣ୍ଡାରୀ ନିୟମକୁ ଆଧାର କରି ଇଂଲଣ୍ଡକୁ ମ୍ୟାଚ ବିଜେତା ଘୋଷଣା କରାଯାଇଥିଲା ।
ଏହା ପରେ ଆଇସିସିର ଏହି ନିୟମକୁ ଅନେକ କ୍ରିକେଟ ପଣ୍ଡିତ ସମାଲୋଚନା କରିଛନ୍ତି । ଏପରିକି ଏହି ନିୟମକୁ କେହି ‘ଅଜବ’, ‘ହାସ୍ୟାସ୍ପଦ’ କହି ସମାଲୋଚନା କରୁଥିଲେ ମଧ୍ୟ ଉପବିଜେତା ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଆଇସିସିକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ମନା କରିଛନ୍ତି।
ପ୍ରେସ କନ୍ଫରେନ୍ସରେ ଏପରି କହିଲେ ୱିଲିୟମସନ ୱିଲିୟମସନଙ୍କୁ ଆଇସିସିର ଏହି ନିୟମ ବିଷୟରେ ପଚରାଯିବାରେ ସେ କହିଲେ, ଆପଣ ଭାବି ମଧ୍ୟ ନ ଥିବେ ଯେ ଏପରି ପ୍ରଶ୍ନ ମଧ୍ୟ ପଚାରିବେ । ମୁଁ ମଧ୍ୟ ଏପରି ପ୍ରଶ୍ନର ଉତ୍ତର ଦେବି ବୋଲି କଳ୍ପନା କରି ନ ଥିଲି । ଫାଇନାଲ ମୁହୂର୍ତ୍ତ ପାଇଁ ଦୁଇ ଦଳ କଠିନ ପରିଶ୍ରମ କରିଥିଲେ ।
ନିୟମ ଉପରେ ଆଙ୍ଗୁଳି ଉଠାଇବାକୁ ମନା କଲେ ୱିଲିୟମସନ କହିଲେ ଯେ, ଦୁଇ ଦୁଇ ଥରର ପ୍ରୟାସ ପରେ ମଧ୍ୟ ଫାଇନାଲର ବିଜେତା ଘୋଷିତ ହୋଇପାରି ନ ଥିଲେ । ଏହା ପରେ ଯେଉଁ ପ୍ରକାରେ ବିଜେତା ଚୟନ କରାଗଲା କୌଣସି ଦଳ ଏପରି ହେଉ ବୋଲି ଚାହିଁବେ ନାହିଁ । ଏଥିସହ ଖେଳୁଆଡ ମନୋବୃତ୍ତି ରଖି ଆଇସିସିର ଏହି ନିୟମ ଉପରକୁ ଆଙ୍ଗୁଳି ଉଠାଇବାକୁ ମନା କରିଦେଇଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ ।
ଟୁର୍ନାମେଣ୍ଟ ଆରମ୍ଭରୁ ହିଁ ଏହି ନିୟମ ରହିଛି । ତେଣୁ ଏହା ଉପରେ କୌଣସି ମନ୍ତବ୍ୟ ଦେଇହେବ ନାହିଁ । ଉଭୟ ଦଳ ଭଲ ଖେଳି ମ୍ୟାଚକୁ ରୋମାଞ୍ଚକର କରିଥିଲେ । ଏହାକୁ ଦର୍ଶକ ବେଶ ଉପଭୋଗ କରିଥିବେ ବୋଲି ୱିଲିୟମସନ କହିଛନ୍ତି।
ଗୁପଟିଲଙ୍କୁ ବାଛିବା ନିଷ୍ପତ୍ତି ଠିକ୍ ଥିଲା ସୁପରଓଭରରେ ମାର୍ଟିନ ଗୁପଟିଲଙ୍କୁ ବାଛିବା ନିଷ୍ପତ୍ତି କେତେଦୂର ଠିକ୍ ଥିଲା ପ୍ରଶ୍ନରେ ୱିଲିୟମସନ କହିଛନ୍ତି, ଗୁପଟିଲ ଜଣେ ବହୁତ ଭଲ ଫାଷ୍ଟ ରନର୍ । ଏହା ହିଁ ସୁପରଓଭର ଖେଳରେ ଆବଶ୍ୟକ ଥିଲା । ଏଥିସହ ଆମେ କେବେ ପୂର୍ବରୁ ସୁପରଓଭର ପାଇଁ ପ୍ରସ୍ତୁତି କରି ନ ଥିଲୁ । ତେବେ ଏହା କ୍ରିକେଟ । ତେଣୁ ଏଠାରେ କିଛି ବି ସମ୍ଭବପର । ସୁପରଓଭରରେ ମଧ୍ୟ ଆମେ ଭଲ ଖେଳିବାରୁ ମ୍ୟାଚ ଟାଇ ହୋଇଥିଲା ।