• ବେତାର ବ୍ୟୁରୋ

ରୁଷ ଭାଷାରେ ଗ୍ରାଜୁଏସନ ନିମନ୍ତେ ଜେଏନୟୁ ଏଣ୍ଟ୍ରାନ୍ସ କ୍ଲିଅର କଲେ ସିକ୍ୟୁରିଟି ଗାର୍ଡ


(ବେତାର ବ୍ୟୁରୋ) ଦିଲ୍ଲୀସ୍ଥିତ ପ୍ରତିଷ୍ଠିତ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନୟୁ)ର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ସେହି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡ । ରାଜମାଲ ମୀନା ନାମକ ଏହି ୩୩ ବର୍ଷୀୟ ଯୁବକ ୟୁନିଭର୍ସିଟିରେ ରୁଷ ଭାଷାରେ ଅନର୍ସ ରଖି ସ୍ନାତକ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିପାଇଁ ତାଙ୍କୁ ୟୁନିଭର୍ସିଟିର ଶିକ୍ଷକ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀମାନେ ଅଭିନନ୍ଦନ ଜଣାଇଛନ୍ତି।

ଶୈକ୍ଷିକ ପରିବେଶରେ ପ୍ରଭାବିତ ହୋଇଥିଲେ ୨୦୧୪ରୁ ରାଜସ୍ଥାନ ରାଜ୍ୟ କରୌଲି ଜିଲା ଭଜେରା ଗ୍ରାମର ବାସିନ୍ଦା ମୀନା ଜେଏନୟୁ ୟୁନିଭର୍ସିଟିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରି ଆସୁଛନ୍ତି । ବିଶ୍ୱ ବିଦ୍ୟାଳୟରେ ଅନେକ ମେଧାବୀ ପିଲାଙ୍କୁ ସେଠାରେ ପାଠ ପଢୁଥିବା ପ୍ରତିଦିନ ଦେଖିବା ଓ ସୃଷ୍ଟି ହେଉଥିବା ଶୈକ୍ଷିକ ପରିବେଶ ତାଙ୍କୁ ବେଶ ପ୍ରଭାବିତ କରିଥିଲା ବୋଲି ମୀନା କୁହନ୍ତି । ପରେ ସେ ମଧ୍ୟ ସେଠାରେ ପାଠ ପଢିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।

ସଫଳତା ପଛରେ ମୋବାଇଲ ବଡ ଭୂମିକା ପ୍ରବେଶିକା ପରୀକ୍ଷା ପାସ୍ କରିବା ପରେ ତାଙ୍କ ପ୍ରସ୍ତୁତି ଉପରେ ମୀନା କହିଛନ୍ତି ଯେ, ମୋବାଇଲ ଯୋଗୁ ସେ ଏଥିପାଇଁ ଆଗେଇ ପାରିିଥିଲେ । ବିଭିନ୍ନ ପ୍ରକାରର କରେଣ୍ଟ ଆଫାୟାର୍ସ, ଜେନେରାଲ ନଲେଜ ଓ ଆବଶ୍ୟକ ପାଠ୍ୟକ୍ରମର ଆପ୍ଲିକେଶନ ସେ ମୋବାଇଲରେ ଡାଉନଲୋଡ କରି ସେଥିରୁ ଆବଶ୍ୟକ ବିଷୟବସ୍ତୁ ଉପରେ ଜାଣିପାରିଥିଲେ । ଏଥିସହ କ୍ୟାମ୍ପସର ଅନେକ ଛାତ୍ର ତାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ବହୁତ ସହଯୋଗ କରିଥିଲେ ବୋଲି ମୀନା କହିଛନ୍ତି।

ବିବାହିତ, ୩ ପିଲାଙ୍କ ବାପା ମୀନା ବିବାହିତ ହୋଇଥିବାବେଳେ ତାଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀରେ ପାଠ ପଢୁଥିବାବେଳେ ଜଣେ ସପ୍ତମ ଓ ଅନ୍ୟ ଜଣେ ଚତୁର୍ଥରେ ପଢୁଛନ୍ତି । ତେଣୁ ପରିବାରର ଦାୟିତ୍ୱ, ଚାକିରି, ପାଠପଢା ଆଦି ସବୁ ଦାୟିତ୍ୱକୁ ବେଶ ସନ୍ତୁଳିତ ଭାବେ ତୁଲାଇ ସେ ଏହି ସଫଳତା ପାଇପାରିଛନ୍ତି । ୨୦୧୮ରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମଧ୍ୟ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଦିନରେ କ୍ଲାସକୁ ଯିବା ସହ ରାତିରେ ଡ୍ୟୁଟି କରିବେ ବୋଲି ମୀନା କହିଛନ୍ତି। ଏଥିପାଇଁ ତାଙ୍କୁ ସହଯୋଗ କରିବାକୁ ୟୁନିଭର୍ସିଟିର ମୁଖ୍ୟ ସିକ୍ୟୁରିଟି ଅଧିକାରୀ କହିଛନ୍ତି ।

#news #education #OddNews #InterestingNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon