- ବେତାର ବ୍ୟୁରୋ
ଏବେ ପେଟିଏମରେ ମିଳିବ ଲୋନ, ଏମିତି ରହିବ ପ୍ରକ୍ରିୟା

(ବେତାର ବ୍ୟୁରୋ) ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଲୋକପ୍ରିୟ ହେଇସାରିଥିବା ପେଟିଏମ ଖୁବ ଶୀଘ୍ର ନିଜ ଆପ ଜରିଆରେ ଲୋନ ଯୋଗାଇଦେବାର ଘୋଷଣା କରିଛି । ମଙ୍ଗଳବାର କମ୍ପାନୀ ତରଫରୁ ପ୍ରକାଶିତ ଏକ ପ୍ରେସ ରିଲିଜରେ କୁହାଯାଇଛି ଯେ ଏଣିକି ପେଟିଏମର ଗ୍ରାହକ ଓ ପେଟିଏମରେ ଜିନିଷ ବିକ୍ରି କରୁଥିବା ବ୍ୟବସାୟୀମାନେ ଆପ ଜରିଆରେ ଲୋନ ନେଇ ପାରିବେ ।
ପେଟିଏମ କମ୍ପାନୀ ଏଥି ପାଇଁ ଟଙ୍କା ସୁଧରେ ଦେଉଥିବା କ୍ଲିକ କ୍ୟାପିଟାଲ ନାମକ ଗୁରୁଗ୍ରାମସ୍ଥିତ ଏକ କମ୍ପାନୀ ସହିତ ଚୁକ୍ତି ସ୍ଵାକ୍ଷର କରିଛି ।
ସଫ୍ଟୱେର ସ୍ଥିର କରିବ ତତକ୍ଷଣାତ ଲୋନ ଆବେଦନ
ପେଟିଏମ ଓ କ୍ଲିକ୍ କ୍ୟାପିଟାଲ ମଧ୍ୟରେ ହେଇଥିବା ଚୁକ୍ତି ଅନୁସାରେ ଯଦି ଏଥିରେ କେହି ଜଣେ ଲୋନ ନେବା ପାଇଁ ଆବେଦନ କରେ ତେବେ ଏସବୁ ପ୍ରକ୍ରିୟା ସଫ୍ଟୱେର ମାଧ୍ୟମରେ ହେବ । କୌଣସି ମାନବିକ ହସ୍ତକ୍ଷେପ ନ ହେବା ଫଳରେ ଅତିଶୀଘ୍ର ଆବେଦନକାରୀଙ୍କୁ ଲୋନ ମିଳିପାରିବ । ତେବେ ଏଥିପାଇଁ ଆବେଦନକାରୀ ପେଟିଏମ ଆପ ବ୍ୟବହାର କରୁଥିବା ତଥା ପେଟିଏମ ବ୍ଯାଙ୍କର ଗ୍ରାହକ ହେଇଥିବା ଆବଶ୍ୟକ ।
କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ବ୍ୟବସ୍ଥା ମୁଖ୍ଯତଃ ସେହିମାନଙ୍କପାଇଁ ଉଦ୍ଦିଷ୍ଟ ଯେଉଁମାନେ ପ୍ରଥମ ଥର ଲୋନ ନେବାପାଇଁ ଆଗ୍ରହୀ ଅଥଚ ବ୍ଯାଙ୍କରୁ ସେମାଙ୍କୁ ଲୋନ ମିଳିପାରୁନାହିଁ। ସେହିଭଳି ଗ୍ରାହକମାନଙ୍କ ନିମନ୍ତେ ଏହି ସେବା ଆରମ୍ଭ ହେବାକୁ ଯାଉଛି ବୋଲି ପେଟିଏମ ତରଫରୁ କୁହାଯାଇଛି ।
ଦଶଲକ୍ଷ ଯାଏଁ ମିଳିବ ଲୋନ
ପେଟିଏମ ତରଫରୁ ଲୋନ ସେବା କେବେ ଆରମ୍ଭ ହେବ ସେ ନେଇ ବିଧିବଦ୍ଧ ଘୋଷଣା ହୋଇନାହିଁ। ତେବେ ଦୁଇରୁ ତିନି ସପ୍ତାହ ଭିତରେ ଏହି ସେବା ଆରମ୍ଭ ହେଇଯିବ ବୋଲି କମ୍ପାନୀ ସୂତ୍ର କହିଛନ୍ତି । ସେହିପରି କେତେ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିବ, ସେ ନେଇ କମ୍ପାନୀ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଭାରତୀୟ ରିଜର୍ଭ ବ୍ଯାଙ୍କର ନିର୍ଦ୍ଦେଶ ଅନୁଯାୟୀ ଏହିପରି ଇଂଷ୍ଟାଣ୍ଟ ଲୋନ କ୍ଷେତ୍ରରେ ସର୍ବାଧିକ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦିଆଯାଇପାରିବ ବୋଲି ଉଲ୍ଲେଖ ରହିଛି ।
ସେହିପରି ଏହାର ସୁଧହାର ବିଷୟରେ କମ୍ପାନୀ ତରଫରୁ କୁହାଯାଇ ନାହିଁ ।ତେବେ ଏହିପରି ଆପ ଜରିଆରେ ଲୋନ ପ୍ରଦାନ କରୁଥିବା କମ୍ପାନୀମାନଙ୍କ ସୁଧହାର ମାସିକ 0.5% ରୁ ଆରମ୍ଭ କରି 2% ଯାଏଁ ଥାଏ ।