- ବେତାର ବ୍ୟୁରୋ
ବଲିଉଡ ରିଲିଜ : 'ଜଜମେଣ୍ଟାଲ ହୈ କ୍ୟା'ର ଏହି କାହାଣୀ ହେଇଛି ମନ ଛୁଆଁ

(ବେତାର ବ୍ୟୁରୋ) ବହୁ ବିବାଦ ପରେ ଶୁକ୍ରବାର ପରଦାକୁ ଆସିଛି ବଲିଉଡ କୁଇନ କଙ୍ଗନା ରାଣାୱତ ଓ ରାଜକୁମାର ରାଓଙ୍କ ପ୍ରତୀକ୍ଷିତ ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ । କମେଡି, ଡ୍ରାମା, ଥ୍ରିଲରକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି । ବିଶେଷ କରି କଙ୍ଗନା ଓ ରାଜକୁମାରଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ଏବେ ସୁଦ୍ଧା ଚଳଚ୍ଚିତ୍ରକୁ ୩.୫ ରେଟିଂ ମିଳିଥିବା ଜଣାପଡିଛି ।
ଏପରି ରହିଛି ଫିଲ୍ମର କାହାଣୀ
ସାଇକୋ ବବି ପିଲାବେଳୁ ବାପା ମା’ଙ୍କ ମୃତ୍ୟୁ ପରେ ବବି (କଙ୍ଗନା) ଆକ୍ୟୁଟ ସାେଇକୋସିସ୍ ନାମକ ଏକ ମାନସିକ ରୋଗର ଶିକାର ହୁଅନ୍ତି । ଏହି କାରଣରୁ ବବି ଅନେକ ସମୟରେ ସତ, ମିଛ ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି ନାହିଁ । ଏଥିଯୋଗୁ ସେ ଅତ୍ୟଧିକ ରାଗ, ହାଲୋସିନେଶନ, ଇଲ୍ୟୁଜନ ଆଦିର ଶିକାର ହୁଅନ୍ତି । ଫିଲ୍ମରେ ସେ ଏକ ଡବିଂ ଆର୍ଟିଷ୍ଟ ଭାବେ କାମ କରୁଥିବାରୁ ବେଳେବେଳେ ନିଜକୁ ସେହି ଚରିତ୍ର ବୋଲି ଭାବି ସେହିଭଳି ବ୍ୟବହାର ପ୍ରଦର୍ଶନ କରନ୍ତି । କେତେବେଳେ ପୋଲିସ ତ କେତେବେଳେ ହରର୍ ଫିଲ୍ମର ନାୟିକା ଭଳି ।
ମର୍ଡର ମିଷ୍ଟ୍ରି
ଏ ସବୁ ଭିତରେ କେଶବ (ରାଜକୁମାର) ସ୍ତ୍ରୀ ରିମା (ଅମାୟରା ଦସ୍ତୁର)ଙ୍କ ସହ ଆସି ବବିଙ୍କ ଘରେ ଭଡାରେ ରୁହନ୍ତି । ଏହି ଦୁଇଜଣଙ୍କ ପରଫେକ୍ଟ ଲାଇଫ ଦେଖି କଙ୍ଗନା କେଶବଙ୍କ ଆଡକୁ ଆକର୍ଷିତ ହୁଅନ୍ତି । ଏଥିସହ ବେଳେବେଳେ କେଶବଙ୍କୁ ବବି ସନ୍ଦେହ ମଧ୍ୟ କରନ୍ତି । ଏ ସବୁ ଭିତରେ ହଠାତ୍ ଏକ ମର୍ଡର ହୋଇଯାଏ ଏବଂ ବବି ପୋଲିସକୁ ବିଶ୍ୱାସ ଦିଅନ୍ତି ଯେ ହତ୍ୟା କେଶବ ହିଁ କରିଛି ବୋଲି । ସେପଟେ କେଶବ ମଧ୍ୟ ବବିକୁ ପାଗଳ ବୋଲି କହି ସେ ହିଁ ହତ୍ୟାକାରୀ ବୋଲି ଅଭିଯୋଗ ଆଣନ୍ତି । ଏହା ପରେ ଏକ ଅଜବ ପରିସ୍ଥିତିରେ କିପରି ଉଭୟେ ଫସିଛନ୍ତି ସେ ଉପରେ କାହାଣୀ ଗତିଶୀଳ ହୋଇଛି ।
ନିର୍ଦ୍ଦେଶକ ପ୍ରକାଶ କୋଭଲାମୁଡି ପ୍ରଥମାର୍ଦ୍ଧରେ ଦର୍ଶକଙ୍କୁ ଜବରଦସ୍ତ କମେଡି, ଥ୍ରିଲରେ ବାନ୍ଧି ରଖି ବାରେ ସଫଳ ହୋଇଛନ୍ତି । ଲେଖିକା କନିକା ଢିଲନଙ୍କ କାହାଣୀକୁ ପରଦାରେ ସୁନ୍ଦର ଭାବେ ପ୍ରତିଫଳନ କରିଛନ୍ତି କଙ୍ଗନା ଓ ରାଜକୁମାର । ଉଭୟଙ୍କ ଚରିତ୍ରରେ ବିବିଧତା ଭର୍ତ୍ତି ହୋଇରହିଛି ଯାହା ଦର୍ଶକଙ୍କୁ ପସନ୍ଦ ଆସିଛି । ରାମାୟଣର କେତେକ ଚରିତ୍ରକୁ ମଧ୍ୟ ଏହି ଫିଲ୍ମରେ ପ୍ରତୀକାତ୍ମାକ ଭାବେ ଦେଖିବାକୁ ମିଳିଛି ।