• ବେତାର ବ୍ୟୁରୋ

କଦଳୀ ଉପରେ ଜିଏସଟି ଆଦାୟ ଆଇନ ସମ୍ମତ : ହୋଟେଲ ସଂଘ


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ରାହୁଲ ବୋଷ ଏକ ଫାଇଭ ଷ୍ଟାର ହୋଟେଲରେ ଦୁଇଟି କଦଳୀ ଖାଇବା ପରେ ତାଙ୍କୁ ୪୨୨ ଟଙ୍କାର ବିଲ୍ ଦିଆଯାଇଥିଲା । ଏହାକୁ ନେଇ ରାହୁଲ ଅସନ୍ତୋଷ ପ୍ରକାଶ କରିବା ପରେ ଚାରିଆଡୁ ଉକ୍ତ ହୋଟେଲକୁ ସମାଲୋଚନା କରାଯାଇଥିଲା । ଏପରିକି ଜିଏସଟିରୁ ବାଦ ଦିଆଯାଇଥିବା ସାମଗ୍ରୀ ଉପରେ କର ଆଦାୟ କରିଥିବାରୁ କେନ୍ଦ୍ର କର ବିଭାଗ ଏଥିପାଇଁ ହୋଟେଲ ଉପରେ 25,000 ଟଙ୍କାର ଜରିମାନା ନୋଟିସ ମଧ୍ୟ ପଠାଇଥିଲା।

ହେଲେ କଦଳୀରେ ଜିଏସଟି ଲଗାଯାଇ ମୂଲ୍ୟ ବୃଦ୍ଧି କରାଯିବାକୁ ସମର୍ଥନ ଦେଇଛି ହୋଟେଲ ସଂଘ । ଏହା ଆଇନ ସମ୍ମତ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଜିଏସଟି ଆଦାୟ ବେଆଇନ ନୁହେଁ-ଏଫଏଚଆରଏଆଇ ଫେଡେରେଶନ ଅଫ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ ଇଣ୍ଡିଆ (ଏଫଏଚଆରଏଆଇ) ପକ୍ଷରୁ କୁହାଯାଇଛି, କଦଳୀ ଉପରୁ ୧୮ ପ୍ରତିଶତ ଜିଏସଟି ଆଦାୟ ବେଆଇନ ନୁହେଁ । ବାହାରେ ବଜାରରୁ କଦଳୀ କିଣିବା ଓ ଏକ ଫାଇପ ଷ୍ଟାର ହୋଟେଲରୁ କଦଳୀ କିଣିବା ଭିତରେ ବହୁ ପାର୍ଥକ୍ୟ ରହିଛି । 

ହୋଟେଲ କର୍ମଚାରୀ ନିଜ ଗ୍ରାହକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇଥାନ୍ତି । ଦାମୀ ପାତ୍ର, ପରିଷ୍କାର ପରିଚ୍ଛନ୍ନତା, ସୁସ୍ଥକର ଖାଦ୍ୟ ଯୋଗାଇବାକୁ ହୋଟେଲ ପକ୍ଷରୁ ସମସ୍ତ ଚେଷ୍ଟା କରାଯାଇଥାଏ, ଯାହା ବଜାରରେ ମିଳେନାହିଁ । ଏପରିକି ବାହାରେ ୧୦ ଟଙ୍କାରେ ମିଳୁଥିବା କଫି ପାଇଁ ଏକ ବଡ ହୋଟେଲରେ ୨୫୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଦେବାକୁ ପଡିଥାଏ ବୋଲି ଆସୋସିଏଶନର ଭାଇସ ପ୍ରେସିଡେଣ୍ଟ ଗୁରବକ୍ସିସ ସିଂ କୋହଲି କହିଛନ୍ତି । ଏଥିସହ ସମସ୍ତ ସାମଗ୍ରୀ ଉପରେ ଜିଏସଟି ଲାଗୁ ବାଧ୍ୟତାମୂଳକ କରାଯାଇଥିବାରୁ ହୋଟେଲ ପକ୍ଷରୁ ୯ ପ୍ରତିଶତ ସିଜିଏସଟି ଓ ୯ ପ୍ରତିଶତ ୟୁଟି ଜିଏସଟି ଆଦାୟ କରାଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ରାହୁଲ ବୋଷ ଚଣ୍ଡୀଗଡରେ ଫିଲ୍ମ ସୁଟିଂବେଳେ ଏକ ଫାଇପ ଷ୍ଟାର ହୋଟେଲରେ ରହୁଥିଲେ । ଜିମରୁ ଫେରିବା ପରେ ହୋଟେଲରୁ ଦୁଇଟି କଦଳୀ ଅର୍ଡର କରିଥିଲେ । ଏହା ପରେ ତାଙ୍କ ନିକଟକୁ ୪୨୨ ଟଙ୍କାର ବିଲ୍ ଆସିଥିଲା । ଏହା ଦେଖି ରାହୁଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ । ଏହାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।

#news #gst

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon