• ବେତାର ବ୍ୟୁରୋ

ପ୍ରତିଶ୍ରୁତି ରଖିଲା ବିଜେପି: କଶ୍ମୀରରୁ ଧାରା 370 ହଟିଲା


(ବେତାର ବ୍ୟୁରୋ) ଜମ୍ମୁ ଓ କାଶ୍ମୀରକୁ ନେଇ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦି ସରକାର । ସୋମବାର ଗୃହମନ୍ତ୍ରୀ ଅମିତ ଶାହ ଧାରା ୩୭୦ ହଟାଇବାକୁ ରାଜ୍ୟ ସଭାରେ ପ୍ରସ୍ତାବ ଆଣିଛନ୍ତି । ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦ ପାଇଁ ସମ୍ବିଧାନ ସଂଶୋଧନ ଲାଗି କେନ୍ଦ୍ର ସରକାର ସଂସଦରେ ଏହି ସଂକଳ୍ପ ଆଗତ କରିଛନ୍ତି ।

ରାଜ୍ୟ ମାନ୍ୟତା ହରାଇବ ଜମ୍ମୁ ଓ କଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିବା ଜମ୍ମୁ ଓ କଶ୍ମୀର ୩୭୦ ଧାରା ଉଚ୍ଛେଦ ପରେ ଏହି ମାନ୍ୟତା ହରାଇବ । ଫଳରେ ଏହା ଦ୍ୱାରା ବର୍ତ୍ତମାନ ଏହି ରାଜ୍ୟକୁ ମିଳୁଥିବା ସମସ୍ତ ସ୍ୱତନ୍ତ୍ର ସୁବିଧା ବନ୍ଦ କରିଦିଆଯିବ । ଏଥିସହ ଜମ୍ମୁ ଓ କଶ୍ମୀରଠାରୁ ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାକୁ ସଂକଳ୍ପ ଆଗତ ହୋଇଛି । ରାଷ୍ଟ୍ରପତିଙ୍କ ମୋହର ପରେ ୩୭୦ ଧାରାରେ ଥିବା ବ୍ୟବସ୍ଥା ଆଉ ସେଠାରେ ଲାଗୁ ହେବ ନାହିଁ ଶାହ କହିଛନ୍ତି ।

ଅଲଗା ହେବ ଲଦାଖ ରାଜ୍ୟ ସଭାରେ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ଏକାଧିକ ପ୍ରସ୍ତାବ ଆଣିଛନ୍ତି ଗୃହମନ୍ତ୍ରୀ ଶାହ । ଲଦାଖକୁ ଜମ୍ମୁ ଓ କଶ୍ମୀରରୁ ଅଲଗା କରି ଏହାକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ପ୍ରସ୍ତାବ ରଖିଛନ୍ତି କେନ୍ଦ୍ର ସରକାର । ଏଣିକି ଏହି ରାଜ୍ୟର ଆଇନଶୃଙ୍ଖଳା ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ରହିବ । ଏହି ପ୍ରସ୍ତାବକୁ ପୂର୍ବରୁ ରାଷ୍ଟ୍ରପତି ମଞ୍ଜୁରି ଦେଇଥିବା ଶାହ କହିଛନ୍ତି ।

ରବିବାରଠାରୁ ଜମ୍ମୁ କଶ୍ମୀରରେ ସେନା ମୁତୟନ ବଢାଯିବା ସହ ପୋଲିସ ପ୍ରଶାସନ ଅଧରାତିରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଗିରଫ କରାଯିବା ସହ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଥିଲା । ଉତ୍ତେଜନାକୁ ଦେଖି ସେଠାରେ ୧୪୪ ଧାରା ଲାଗୁ କରାଯିବା ସହ ମୋବାଇଲ ଓ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରିଦିଆଯାଇଥିଲା । ଏଥିସହ ଏବେ ପର୍ଯ୍ୟଟକମାନଙ୍କୁ ମଧ୍ୟ ଜମ୍ମୁ କଶ୍ମୀର ନ ଯିବା ପାଇଁ ସତର୍କ କରାଯାଇଥିଲା ।

#news #act370 #jammukashmir #BreakingNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon