• ବେତାର ବ୍ୟୁରୋ

‘କାଳିଆ’ ଯୋଜନାରେ ଅଯୋଗ୍ୟଙ୍କୁ ଲୋକେ କରିବେ ଚିହ୍ନଟ


ଭୁବନେଶ୍ଵର, ଅଗଷ୍ଟ ୬ (ବେତାର ବ୍ୟୁରୋ) ଓଡିଶା ସରକାରଙ୍କ ଲୋକପ୍ରିୟ କୃଷକ ସଶକ୍ତିକରଣ ଯୋଜନା ‘କାଳିଆ’ରେ ଯେଉଁ ଅଯୋଗ୍ୟ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଥିଲା ତାହାକୁ ଫେରାଇ ଆଣିବା ନିମନ୍ତେ କାର୍ଯ୍ୟକ୍ରମ କୃଷି ବିଭାଗ ତରଫରୁ ଆରମ୍ଭ ହେଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଟଙ୍କା ପାଇଥିବା ସମସ୍ତ ହିତାଧିକାରୀଙ୍କ ନାମ ତାଲିକା ସବୁ ଗ୍ରାମ ପଞ୍ଚାୟତରେ ଅଗଷ୍ଟ 6 ରୁ 14 ତାରିଖ ଯାଏଁ ପ୍ରଦର୍ଶିତ କରାହେବ ।

ଯେଉଁ ଅଯୋଗ୍ୟ ବ୍ୟକ୍ତିମାନେ ଏହି ଯୋଜନାରେ ଟଙ୍କା ପାଇଛନ୍ତି ବୋଲି କେହି ଅନୁଭବ କରନ୍ତି ସେମାନଙ୍କ ନାମ ବାଦ ଦେବାପାଇଁ ଉଲ୍ଲେଖ କରି ପଞ୍ଚାୟତ ନୋଡାଲ ଅଫିସରଙ୍କୁ ଦରଖାସ୍ତ ଲେଖାଯାଇପାରିବ। ଏପରି ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ ଓ ପରିଚୟ ଗୋପନ ରଖାଯିବ ।

ଜୁନରେ ନିଷ୍ପତ୍ତି

ସୂଚନାଯୋଗ୍ୟ ଯେ ରାଜ୍ୟରେ ବହୁ ଅଯୋଗ୍ୟ ହିତାଧିକାରୀ ‘କାଳିଆ’ ଯୋଜନାରେ ଟଙ୍କା ପାଇଥିବା କଥା ଚଳିତ ଫେବୃୟାରି ମାସରେ ରାଜ୍ୟ ସରକାର ସ୍ଵୀକାର କରିଥିଲେ । ଏହାପରେ ଗତ ମାସରେ କାଳିଆ ଟଙ୍କା ଫେରାଇଆଣିବା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିଲା ।

ବିଭିନ୍ନ ଗ୍ରାମରେ ଗୋଟିଏ ପରିବାର ଏକାଧିକ ସଦସ୍ୟ, ଚାକିରିଆ ଥିବା ପରିବାର, ଧନୀକ ଶ୍ରେଣୀର ଲୋକ, ଗଁାରେ ରହୁ ନ ଥିବା ପରିବାର ପ୍ରମୁଖ ଏହି ଯୋଜନାରେ ସାମିଲ ହୋଇଥିବାର ଖବର ସରକାରଙ୍କ ହସ୍ତଗତ ହୋଇଥିଲା, ଯାହା ଫଳରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଏହାବାଦ ଯେଉଁ ବ୍ୟକ୍ତି ନିଜେ ଚାହିଁବେ ସେ କାଳିଆ ଯୋଜନାରେ ପାଇଥିବା ଟଙ୍କାକୁ ପଞ୍ଚାୟତ ଅଫିସରେ ଜଣାଇ ବ୍ୟାଙ୍କ ଅଧିକାରୀଙ୍କୁ ସରକାରଙ୍କୁ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିପାରିବେ ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଚଳିତ ବର୍ଷ ଜାନୁଆରୀ ୧ ଯାଏଁ ମୋଟ ୨୨ ଲକ୍ଷ ହିତାଧିକାରୀ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇବା ପାଇଁ ତାଲିକାଭୁକ୍ତ ହୋଇଥିବା ବେଳେ ପ୍ରାୟ ସାଢେ ୧୨ ଲକ୍ଷ ହିତାଧିକାରୀଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ଥିଲା ।

#Kalia #NaveenPatnaik #odisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon