- ବେତାର ବ୍ୟୁରୋ
ଅମ୍ପାୟାରଙ୍କୁ ବେଖାତିର କରିବାରୁ ପୋଲାର୍ଡଙ୍କ ଉପରେ ଟ.35,000 ଜରିମାନା

(ବେତାର ବ୍ୟୁରୋ) ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ ଚାଲିଥିବା ଭାରତ-ୱେଷ୍ଟ ଇଣ୍ଡିଜ ଟି20 ସିରିଜର ଦ୍ବିତୀୟ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା କାରଣରୁ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର୍ କୈରନ୍ ପୋଲାର୍ଡଙ୍କ ଉପରେ ପ୍ରାୟ ଟ.35,000 ଜରିମାନା ଲଗାଇଛି ଆଇସିସି।
ଏହି ଅର୍ଥ ତାଙ୍କ ମ୍ୟାଚ ଫି' ରୁ କଟାଯିବ ।
ୱେଷ୍ଟଇଣ୍ଡିଜ ବୋର୍ଡ ନିୟମ ଅନୁସାରେ A ଗ୍ରେଡର ଖେଳାଳି ଟି20 ମ୍ୟାଚ ପିଛା 2500 ଡଲାର ପାଇଥାନ୍ତି । ଏଣୁ 20% ହିସାବରେ 500 ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ 35,000 ଟଙ୍କା ଜରିମାନା ପୋଲାର୍ଡଙ୍କୁ ଦେବାକୁ ହେବ ।
ସୂଚନାଯୋଗ୍ୟ ଯେ ଦ୍ଵିତୀୟ ଟି20 ମ୍ୟାଚ୍ରେ ଫିଲଡିଂ କରୁଥିବା ବେଳେ ପୋଲାର୍ଡ କିଛିଟା ଅସୁବିଧା ଅନୁଭବ କରିବାରୁ ବଦଳ ଫିଲଡରଙ୍କୁ ପଡ଼ିଆକୁ ଡାକିଥିଲେ।
ତେବେ ପଡ଼ିଆକୁ ବଦଳ ଫିଲଡର ଡାକିବା ନିମନ୍ତେ ଅମ୍ପାୟାରଙ୍କୁ ପ୍ରଥମେ ଅନୁରୋଧ କରିବା ଆବଶ୍ୟକ ବୋଲି ପଡ଼ିଆରେ ଉପସ୍ଥିତ ଅମ୍ପାୟାର ପୋଲାର୍ଡଙ୍କୁ କହିଥିଲେ। ହେଲେ ପୋଲାର୍ଡ ଅମ୍ପାୟାରଙ୍କ କଥା ଶୁଣିନଥିଲେ।
ସେହିପରି ଓଭର ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅମ୍ପାୟାର ପୋଲାର୍ଡଙ୍କୁ କହିଥିବା ବେଳେ ସେ ଏହାକୁ ଅଣଦେଖା କରିଥିଲେ।
ଶୁଣାଣି ସମୟରେ ବି ବେଖାତିର
ପୋଲାର୍ଡ ଆଇସିସି ଆଦର୍ଶ ଆଚରଣବିଧିର ୨.୪ ଧାରା ଭଙ୍ଗ କରିଥିବା ଦର୍ଶାଇ ଅମ୍ପାୟାରମାନେ ମ୍ୟାଚ୍ ରେଫରୀ ଜେଫ୍ କ୍ରୋଙ୍କ ନିକଟରେ ଅଭିଯୋଗ କରିଥିଲେ। ମ୍ୟାଚ୍ ରେଫରୀ ପୋଲାର୍ଡଙ୍କୁ ଡକାଇ ଅଭିଯୋଗ ସଂପର୍କରେ ଜଣାଇବା ପରେ ପୋଲାର୍ଡ ଅଭିଯୋଗକୁ ଅସ୍ବୀକାର କରିଥିଲେ।
ଏହା ପରେ ମ୍ୟାଚ୍ ରେଫରୀ ଶୁଣାଣି କରିବା ସହ ପୋଲାର୍ଡଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ପ୍ରତିଶତ ମ୍ୟାଚ୍ ଫି କାଟିବା ସହ ଗୋଟିଏ ନକରାତ୍ମକ ପଏଣ୍ଟ ପ୍ରଦାନ କରିଥିଲେ।