• ବେତାର ବ୍ୟୁରୋ

ଚର୍ବି କମାଇବାକୁ ବଢୁଛି ଅପରେସନର ଲୋକପ୍ରିୟତା: ୧୫ ବର୍ଷରେ ଶହେ ଗୁଣ ବୃଦ୍ଧି


(ବେତାର ବ୍ୟୁରୋ) ସମ୍ପ୍ରତି ମେଦ ବହୁଳତା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଅଧିକାଂଶ ଲୋକେ ମୋଟାପଣ ଶିକାର ହେଉଛନ୍ତି । ଖରାପ ଖାଦ୍ୟ ଗ୍ରହଣ, ଅସନ୍ତୁଳିତ ଦିନଚର୍ଯ୍ୟା ସହ କେତେକାଂଶରେ ଜିନ୍ ଗତ ସମସ୍ୟା ଯୋଗୁ ଲୋକେ ମେଦବହୁଳତାର ଶିକାର ହେଉଥିବା ଦେଖିବାକୁ ମିଳିଛି । ତେବେ ଜାଣିବାର କଥା ହେଲା ଏଥିରୁ ମୁକ୍ତି ପାଇବା ପାଇଁ ଅଧିକ ସଂଖ୍ୟାରେ ଲୋକ ଏବେ ଅପରେଶନ କରି ଚର୍ବି କାଢୁଥିବା ଜଣାପଡିଛି ।

୧୫ ବର୍ଷରେ ଶହେ ଗୁଣ ବୃଦ୍ଧି

ଗତ ୧୫ ବର୍ଷରେ ଦେଶରେ ଚର୍ବି ଅପରେଶନ ଶହେ ଗୁଣା ବଢିଥିବା ଓବେସିଟି ସର୍ଜରୀ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ୨୦୦୪ରେ ମାତ୍ର ଦୁଇଶହ ମେଦବହୁଳ ରୋଗୀ ଅପରେଶନ କରି ଚର୍ବି କାଢିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୨୦ ହଜାରକୁ ବୃଦ୍ଧି ପାଇଛି ।

ବଢିଛି ସର୍ଜରିଆନଙ୍କ ସଂଖ୍ୟା

ଏହି ୧୫ ବର୍ଷ ଭିତରେ ଡାକ୍ତରଖାନାରେ ସର୍ଜରିଆନ ନିଯୁକ୍ତି ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ୨୦୦୩ରେ  ୮ ଜଣ ସର୍ଜରିଆନଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏବେ ୪୫୦ରେ ପହଞ୍ଚିଛି । ଦିଲ୍ଲୀ, ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁରେ ପ୍ରତିବର୍ଷ ନୂତନ ସର୍ଜରିଆନ ଡାକ୍ତର ନିଯୁକ୍ତି ପାଇଥିବା ଜଣାପଡିଛି ।

ମୁମ୍ବାଇରେ ସର୍ଜରୀର ମୂଲ୍ୟ ସର୍ବାଧିକ

ଶରୀରରୁ ଚର୍ବି ହଟାଇବାକୁ ପ୍ରାୟ ୪ ଲକ୍ଷ ଟଙ୍କା ଲାଗିଥାଏ । ତେବେ ମୁମ୍ବାଇରେ ଏଥିଲାଗି ଅଧିକ ଟଙ୍କା ଲାଗୁଥିବା ଜଣାପଡିଛି । ଏଠାରେ ଲୋକଙ୍କୁ ୪ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡିଥିବା ଜଣାଯାଇଛି । ଯୁବପିଢୀ ବିଶେଷ କରି ୩୦ରୁ ୪୦ ବର୍ଷ ବୟସର ଲୋକେ ଏହି ସର୍ଜରୀ କରାଉଥିବା ଜଣାଯାଇଛି ।

ସର୍ଜରୀର ମୁଖ୍ୟ କାରଣ

ବିଶେଷ କରି ସୁନ୍ଦର ଦେଖାଯିବା, ପ୍ରତିବନ୍ଧକ ପୂର୍ଣ୍ଣ ଜୀବନଶୈଳୀରୁ ମୁକ୍ତି ପାଇବାକୁ ଅଧିକାଂଶ ସର୍ଜରୀ କରାଉଛନ୍ତି । ଏଥିସହ ଡାଇବେଟିସ ରୋଗୀ, ଜଏଣ୍ଟ ପେନ୍ ବା ଆଣ୍ଠୁଗଣ୍ଠି ବ୍ୟଥା ଓ ଅନ୍ୟାନ୍ୟା ଶାରୀରିକ ଅସୁସ୍ଥତା କାରଣରୁ ମଧ୍ୟ ଅନେକେ ଚର୍ବି ହଟାଇବା ପାଇଁ ସର୍ଜରୀ କରାଉଛନ୍ତି । ଅଧିକାଂଶ କ୍ଷେତ୍ରରେ ଏହି ଅପରେଶନ ପ୍ରାୟ ୯୦ ପ୍ରତିଶତ ସଫଳ ହେଉଥିବାର ରେକର୍ଡ ରହିଛି । କେବଳ ୧୦ ପ୍ରତିଶତ ବ୍ୟକ୍ତିଙ୍କ କ୍ଷେତ୍ରରେ ପୁଣି ଓଜନ ବଢିବାର ସମ୍ଭାବନା ରହିଥିବା ତଥ୍ୟରୁ ଜଣାପଡିଛି ।

#news #healthnews #obesityoperation

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon