• ବେତାର ବ୍ୟୁରୋ

ବିବାହ ନ ହେବା ଜାଣି ସମ୍ପର୍କ ରଖିଲେ ବଳାତ୍କାର ଅଭିଯୋଗ ଆଣିପାରିବେନି ମହିଳା: ସୁପ୍ରିମ କୋର୍ଟ


(ବେତାର ବ୍ୟୁରୋ) ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ସମ୍ବନ୍ଧିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବାହାଘର ସମ୍ଭାବନା କମ୍ ଥିବା କିମ୍ବା ଅସୁବିଧା ଥିବା ଜାଣି ମଧ୍ୟ ପ୍ରେମିକଙ୍କ ସହ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖିଥିବା ପ୍ରେମିକା ବିବାହ ହୋଇ ନ ପାରିଲେ ବଳାତ୍କାର ଅଭିଯୋଗ ଆଣିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

କ’ଣ ଥିଲା ମାମଲା

ଜଣେ ସିଆରପିଏଫ ଡ୍ୟୁଟି କମାଣ୍ଡାଣ୍ଟ ଓ ଜଣେ ସେଲ୍ସ ଟ୍ୟାକ୍ସ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ କରୁଥିବା ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୧୯୯୮ରୁ ଉଭୟେ ପରସ୍ପରକୁ ଜାଣିଥିଲେ । ଯୁବତୀଙ୍କ ଅଭିଯୋଗ ମୁତାବକ, ୨୦୦୮ରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ପ୍ରେମିକ ଶାରୀରିକ ସମ୍ପର୍କ ରଖିଥିଲେ । ୨୦୧୬ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଏହି ସମ୍ପର୍କ ରହିଥିଲା । ଏପରିକି ଉଭୟେ ଉଭୟଙ୍କ ଘରେ ମଧ୍ୟ ଅନେକ ଥର ରହିଛନ୍ତି ।

ବିବାହରେ ଜାତି ପ୍ରତିବନ୍ଧକ

ଉଭୟଙ୍କ ବିବାହରେ ପ୍ରତିବନ୍ଧକ ହୋଇଥିଲା ଜାତି । ପରିବାର ଲୋକେ ବାହାଘରରେ ରାଜି ନ ହେବା ନେଇ ସିଆରପିଏଫ କମାଣ୍ଡାଣ୍ଟ ଯୁବତୀଙ୍କୁ ୨୦୧୪ରେ ଜଣାଇଥିଲେ । ଏହା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ୨୦୧୬ରେ ଯୁବତୀ ଜଣକ ପ୍ରେମିକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ । ଅଧିକାରୀ ଜଣଙ୍କର ଅନ୍ୟତ୍ର ବିବାହ ଠିକ୍ ହୋଇଥିବା ଜାଣି ପ୍ରେମିକା ଏହି ଅଭିଯୋଗ କରିଥିଲେ ।

ପ୍ରତିଶ୍ରୁତି ରଖି ନ ପାରିବା ଅର୍ଥ ମିଥ୍ୟା ପ୍ରତିଶ୍ରୁତି ନୁହେଁ

ଏହି ମାମଲାର ବିଚାର କରି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ପଡି ପ୍ରତିଶ୍ରୁତି ନ ରଖିପାରିବା ଅର୍ଥ ମିଥ୍ୟା ପ୍ରତିଶ୍ରୁତି ନୁହେଁ । ଏହି ମାମଲାରେ ଉଭୟ ଝିଅ ଏବଂ ପୁଅ ପରସ୍ପରକୁ ଭଲ ଭାବେ ଦୀର୍ଘ ବର୍ଷରୁ ଜାଣିଥିଲେ । ତେଣୁ ବାହାଘରରେ ଉପୁଜିବାକୁ ଥିବା ସମସ୍ୟା ସମ୍ପର୍କରେ ଉଭୟେ ଭଲ ଭାବେ ଅବଗତ ଥିଲେ ।

ଏ ସବୁ କଠିନ ପରିସ୍ଥିତି ଉପୁଜିବ ଜାଣି ମଧ୍ୟ ମହିଳା ଶାରୀରିକ ସମ୍ପର୍କ ପାଇଁ ସହମତ ହୋଇଥିଲେ । ତେଣୁ ଏହି କ୍ଷେତ୍ରରେ ବିବାହ ହୋଇ ନ ପାରିଲେ ମହିଳା ଜଣଙ୍କ ବଳାତ୍କାର ଅଭିଯୋଗ ଆଣିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।

#news #relationship #supremecourt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon