• ବେତାର ବ୍ୟୁରୋ

ନୟାଗଡ ଜିଲ୍ଲାକୋର୍ଟରେ ହେବ 17 ନିଯୁକ୍ତି :ଜାଣନ୍ତୁ ଆବେଦନର ଶେଷ ତାରିଖ, ଚୟନ ପଦ୍ଧତି


(ବେତାର ବ୍ୟୁରୋ) ଯୁକ୍ତଦୁଇ ଓ କମ୍ପ୍ୟୁଟର ବିଜ୍ଞାନରେ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ନୟାଗଡ ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟରେ ଜୁନିୟର କ୍ଳର୍କ/କପିଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ-3,ଜୁନିୟର ଟାଇପିଷ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପଦବୀସଂଖ୍ୟା

ପ୍ରକାଶ ପାଇଥିବା ମୋଟ 17ଟି ପଦ ମଧ୍ୟରୁ ଜୁନିୟର କ୍ଳର୍କ/କପିଷ୍ଟ ପାଇଁ 12ଟି, ଷ୍ଟେନୋଗ୍ରାଫର ଗ୍ରେଡ-3 ପାଇଁ ଦୁଇଟି ଓ ଜୁନିୟର ଟାଇପିଷ୍ଟ ପାଇଁ ତିନୋଟି ପଦ ରହିଛି।

ଆବେଦନ ତାରିଖ

ଏହି ସବୁ ପଦ ନିମନ୍ତେ ଆବେଦନ କରିବା ପାଇଁ ଶେଷ ତାରିଖ ସେପ୍ଟେମ୍ବର 5 ରହିଛି।

ଦରମା

ଏହି ସବୁ ପଦ ନିମନ୍ତେ ସଫଳ ପ୍ରାର୍ଥୀମାନେ କେତେ ଦରମା ପାଇବେ ସେ ବିଷୟରେ ଉଲ୍ଲେଖ ହୋଇନାହିଁ ।

ତେବେ ନିକଟରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୋର୍ଟରେ ବାହାରିଥିବା ବିଜ୍ଞପ୍ତି ଅନୁସାରେ ଜୁନିୟର କ୍ଳର୍କ/କପିଷ୍ଟ ଓ ଜୁନିୟର ଟାଇପିଷ୍ଟ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.19,900-ଟ.63,200 ପେ ସ୍କେଲ ହିସାବରେ ଦରମା ପ୍ରଦାନ କରାଯିବ। ଷ୍ଟେନୋଗ୍ରାଫର ଗ୍ରେଡ-3 ପଦ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,500-ଟ.81,100 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର କ୍ଳର୍କ-କମ-ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ଗ୍ରେଡ-3 ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ ଏବଂ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଜୁନିୟର ଟାଇପିଷ୍ଟ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ପ୍ରତି ମିନିଟକୁ (ଇଂରାଜୀ) 40ଟି ଶବ୍ଦ ଟାଇପ କରିପାରୁଥିବା ଆବଶ୍ୟକ।

ଚୟନ ପଦ୍ଧତି

ଏହିସବୁ ପଦ ନିମନ୍ତେ ଲିଖିତ ପରୀକ୍ଷା ଓ ଏହାପରେ ସାକ୍ଷାତକାର ଅନୁଷ୍ଠିତ ହେବ ।

ଷ୍ଟେନୋଗ୍ରାଫର ପ୍ରାର୍ଥୀମାନେ ଇଂରାଜୀ-ଓଡିଆ ଅନୁବାଦ, ପ୍ରବନ୍ଧ ଲିଖନ, ଟାଇପିଙ୍ଗ ତଥା ସର୍ଟହ୍ୟାଣ୍ଡ (କ୍ଷିପ୍ରଲେଖନ) ଏବଂ କମ୍ପ୍ୟୁଟର ବିଜ୍ଞାନ ବିଷୟରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ଥିବା ବେଳେ ଜୁନିୟର କ୍ଳର୍କ ଓ ଟାଇପିଷ୍ଟ ପଦ ନିମନ୍ତେ ପ୍ରାର୍ଥୀମାନେ ଇଂରାଜୀ,ଓଡିଆ, ବ୍ୟବହାରିକ ଗଣିତ ଓ କମ୍ପ୍ୟୁଟର ସମ୍ବନ୍ଧରେ ପରୀକ୍ଷା ଦେବେ ।

ଲିଖିତ ତଥା କମ୍ପ୍ୟୁଟର ପ୍ରାକ୍ଟିକାଲ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ପରେ ପରୀକ୍ଷା ଅନୁଷ୍ଠିତ ହେବ ।

ଆବେଦନ ଫି'

ଆବେଦନ କରିବା ପାଇଁ ଫି' ବାବଦରେ ପ୍ରାର୍ଥୀଙ୍କୁ ଟ.100 ର ଚାଲାଣ କାଟିବାକୁ ପଡିବ। ଏହି ଚାଲାଣ ରସିଦକୁ ଆବେଦନ ଫର୍ମ ସହିତ ସଂଲଗ୍ନ କରିବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ କୌଣସି ଫି' ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଆବଶ୍ୟକୀୟ ଶିକ୍ଷାଗତ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ରର ଜେରକ୍ସ ଓ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହିତ ଚାଲାଣ ରସିଦକୁ ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟ ଠିକଣାରେ ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ।

ପରୀକ୍ଷାର ବିଷୟବସ୍ତୁ, ଆବେଦନ କରିବାର ଠିକଣା ଓ ଅନ୍ୟାନ୍ୟ ଜରୁରୀ ତଥ୍ୟ ପାଇଁ ଜିଲ୍ଲାର ଅଫିସିଆଲ ୱେବସାଇଟ https://nayagarh.nic.in/ ରେ ଲଗଇନ କରିପାରିବେ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon