- ବେତାର ବ୍ୟୁରୋ
ଭିଡିଓ : ଏହି ଗରିବ ଗାୟିକାଙ୍କ ଗୀତ ଭିଡିଓ ଏବେ ଭାଇରାଲ, ତିନି ଦିନରେ ଦେଢ କୋଟି କ୍ଲିକ

(ବେତାର ବ୍ୟୁରୋ) ଯଦି ଅଧ୍ୟବସାୟ ଓ ଭଗବାନଙ୍କ ଆଶୀର୍ବାଦ ଥାଏ , ତେବେ ପ୍ରତିଭା କେବେ ନା କେବେକ ବାହାରକୁ ଜଣାପଡେ । ସେହିପରି ଏକ ଘଟଣା ସମ୍ପ୍ରତି ଦେଖିବାକୁ ମିଳିଛି । ଏକଦା ରେଳଷ୍ଟେସନରେ ଗାଉଥିବା ଜଣେ ଗରିବ ମହିଳା ବଲିଉଡରେ ଗୀତ ଗାଇବା ପରେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ତିନିଦିନରେ ଦେଢକୋଟି
ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେଶନରେ ଗୀତ ଗାଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଳ ନିକଟରେ ବଲିଉଡ୍ର ଜଣାଶୁଣା ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରେଶମିଆଙ୍କ ଆଗାମୀ ଚଳଚ୍ଚିତ୍ର ଚଳଚ୍ଚିତ୍ର ‘ହାପି ହାର୍ଡି ହିର୍’ର ‘ତେରି ମେରି କହାନୀ’ ରେ ଗୀତ ଗାଇବାର ସୁଯୋଗ ପାଇଥିଲେ ।
ହିମେଶ ଏହି ଗୀତ ରେକର୍ଡିଙ୍ଗର ଏକ ଛୋଟ ଭିଡିଓ ନିଜ ଇନଷ୍ଟାଗ୍ରାମରେ ଶେୟର କରିବା ପରେ ଏହାକୁ ଏଯାବତ ପ୍ରାୟ ପାଞ୍ଚ ଲକ୍ଷ ଲୋକ ଦେଖିସାରିଲେଣି । ଏହାଛଡା ଏହି ଭିଡିଓକୁ ନେଇ ଅନେକ ବ୍ୟକ୍ତି ୟୁଟ୍ୟୁବରେ ଛାଡିବା ପରେ ପ୍ରାୟ ଦେଢ କୋଟିରୁ ଉର୍ଦ୍ଧ୍ଵ ଲୋକେ ଏହାକୁ ଦେଖିସାରିଲେଣି ।
ଚଳିତ ଜୁଲାଇ ମାସରେ ରାନୁ ପଶ୍ଚିମବଂଗର ରାନାଘାଟ ରେଳ ଷ୍ଟେସନରେ ଏକ ଗୀତ ଗଉଥିବା ବେଳେ ଜଣେ ଯୁବକ ତାଙ୍କୁ ଦେଖିଥିଲେ ଓ ଲତା ମଙ୍ଗେସକର ଗାଇଥିବା ପ୍ରସିଦ୍ଧ ହିନ୍ଦୀ ସିନେମା ଗୀତା “ଇକ ପ୍ୟାର କା ନଗମା” ଗାଇବାକୁ ଅନୁରୋଧ କରିଥିଲେ ।
ସେ ଏହି ଗୀତକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ।ଗୀତ ଭିଡିଓକୁ ଯୁବକ ଜଣକ ଫେସବୁକରେ ଅପଲୋଡ କରିବା ପରେ ବିଜୁଳି ବେଗରେ ଏହା ବ୍ୟାପିଯାଇଥିଲା ଓ ପ୍ରାୟ 25 ଲକ୍ଷ ଲୋକେ ଏହାକୁ ଦେଖିଥିଲେ ଓ ଶେୟର ମଧ୍ୟ କରିଥିଲେ ।
ମୁମ୍ବାଇ ଯାତ୍ରା
ରେଳଷ୍ଟେସନରେ ଗାଉଥିବା ଏହି ଗରିବ ମହିଳାଙ୍କ ଭିଡିଓ ଭାଇରାଲ ହେବାପରେ ତାଙ୍କୁ ମୁମ୍ବାଇ ଯିବାର ଆମନ୍ତ୍ରଣ ଆସିଥିଲା । ଗତ ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ସେଠାରେ ଏକ ସଂଗୀତ ପ୍ରତିଯୋଗୀତା ଶୋ’କୁ ଯାଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମୀୟା ତାଙ୍କୁ ନିଜର ଏକ ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ଦେବାକୁ କହିଥିଲେ । ଶେଷରେ ଅଗଷ୍ଟ 23 ତାରିଖରେ ଗୀତଟି ରେକର୍ଡ ହୋଇଥିଲା ।