• ବେତାର ବ୍ୟୁରୋ

ଏଟିଏମ୍ ଠକେଇ ରୋକିବା ପ୍ରସ୍ତାବ: ଥରେ ଟଙ୍କା ଉଠାଇଲେ ଅପେକ୍ଷା କରିବାକୁ ହେବ 6-12 ଘଣ୍ଟା


(ବେତାର ବ୍ୟୁରୋ) ଦେଶରେ ବଢୁଥିବା ଏଟିଏମ୍ ଠକେଇ ରୋକିବାକୁ ଦିଲ୍ଲୀ ଷ୍ଟେଟ ଲେଭଲ ବ୍ୟାଙ୍କର୍ସ କମିଟି ପକ୍ଷରୁ ନୂଆ ପ୍ରସ୍ତାବ ଦିଆଯାଇଛି । ପ୍ରତି ଟ୍ରାଞ୍ଜାକସନ ବା ଟଙ୍କା ଉଠାଣରେ ୬ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଗ୍ୟାପ ରଖିବାକୁ ଏହି ପ୍ରସ୍ତାବରେ କୁହାଯାଇଛି । ଅର୍ଥାତ ଜଣେ ବ୍ୟକ୍ତି ଥରେ ଏଟିଏମରୁ ଟଙ୍କା ଉଠାଇବା ପରେ ଏହାର ୬ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଆଉ ଟଙ୍କା ଉଠାଇପାରିବେ ନାହିଁ ବୋଲି କମିଟି ପ୍ରସ୍ତାବ ରଖିଛି ।

ଏଟିଏମ୍ ଠକେଇ ମାମଲା ଉଦବେଗଜନକ

ଦିନକୁ ଦିନ ଏଟିଏମ ଠକେଇ ମାମଲା ବଢିବାକୁ ନେଇ ଉଦବେଗ ପ୍ରକାଶ କରିଛି ବ୍ୟାଙ୍କର୍ସ କମିଟି । କେବଳ ନୂଆ ଦିଲ୍ଲୀରେ ୨୦୧୮-୧୯ ବର୍ଷରେ ୧୭୯ ଟି ଏଟିଏମ୍ ଠକେଇ ସଂକ୍ରାନ୍ତୀୟ ମାମଲା ରୁଜୁ କରାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨୨୩ଟି ମାମଲା ରୁଜୁ ହୋଇଛି । ଏଥିରେ ରୋକ ଲଗାଇବା ପାଇଁ କମିଟି ଏହି ପ୍ରସ୍ତାବ ରଖିଛି ।

ରାତିରୁ ସକାଳ ସମୟ ମଧ୍ୟରେ ବଢୁଛି ଲୁଟ୍

କମିଟି ସଂଯୋଜକଙ୍କ କହିବା ମୁତାବକ, ମଧ୍ୟରାତିରୁ ଭୋର ସମୟ ମଧ୍ୟରେ ଏଟିଏମ୍ ଠକେଇ ଅଧିକ ହେଉଥିବା ଜଣାପଡିଛି । ଯଦି ଟ୍ରାଞ୍ଜାକସନ ଉପରେ ଏହି କଟକଣା ଲାଗୁ କରାଯାଏ ତେବେ ଅନେକ ମାତ୍ରାରେ ଲୁଟ୍ ରୋକିହେବ ବୋଲି ୧୮ ବ୍ୟାଙ୍କ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ କୁହାଯାଇଛି । ତେବେ ଏହି ପ୍ରସ୍ତାବ କେବେ କାର୍ଯ୍ୟକାରୀ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ବଢିପାରେ ସିକ୍ୟୁରିଟି ଫିଚର

ଏଟିଏମ୍ ରେ ସିକ୍ୟୁରିଟି ଫିଚର ବଢାଇବା ପାଇଁ ମଧ୍ୟ କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଏଟିଏମରୁ ଟଙ୍କା ଉଠାଣ କରିବା ପୂର୍ବରୁ ଅନଲାଇନ ଟ୍ରାଞ୍ଜାକସନ ପରି ଆକାଉଣ୍ଟ ହୋଲ୍ଡରଙ୍କ ନିକଟକୁ ଓଟିପି ପଠାଇବାକୁ ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ଆଗତ ହୋଇଥିଲା।

ଏଥିସହ ସମସ୍ତ ଏଟିଏମରେ ସେଣ୍ଟ୍ରାଲାଇଜଡ ମନିଟରିଂ ସିଷ୍ଟମ ଉପଲବ୍ଧ କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଷ୍ଟେଟ ବ୍ୟାଙ୍କ, ଓବିସି, ପିଏନବି, ଆଇଡିବିଆଇ ବ୍ୟାଙ୍କ ଏଟିଏମରେ ଏପରି ବ୍ୟବସ୍ଥା କରାଯାଇଛି ।

#news #atmfraud #Crime #Citizen

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon